ଜଣେ ଜଜ୍ ୫୦ ମାମଲାର ସମାଧାନ କରୁଥିବା ବେଳେ ଆଉ ୧୦୦ କେସ୍ ରୁଜୁ ହୋଇ ଯାଉଛି: କିରେନ ରିଜିଜୁ
20/08/2022 at 6:55 PM

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ବିଚାରଧୀନ ମାମଲା ସଂଖ୍ୟା ବଢିବାରେ ଲାଗିଛି। ଏମିତି କେସ୍ ସଂଖ୍ୟା ୫ କୋଟି ପାଖାପାଖି ପହଞ୍ଚିଲାଣି। ଏହା କାେର୍ଟକୁ ଭାରାକ୍ରାନ୍ତ କରିବା ସହ ଜନତାଙ୍କୁ ନୟାନ୍ତ କରୁଛି। ବିଚାରଧୀନ ମାମଲାର ସଂଖ୍ୟା ପାଖାପାଖି ପାଞ୍ଚ କୋଟି ପହଞ୍ଚିବା ଉପରେ ଗୁରୁତ୍ଵପୂର୍ଣ୍ଣ ଟିପ୍ପଣୀ କରିଛନ୍ତି ଆଇନ ମନ୍ତ୍ରୀ କିରେନ ରିଜିଜୁ। ସେ କହିଛନ୍ତି, ଯଦି କୌଣସି ବିଚାରପତି ୫୦ ମାମଲାର ସମାଧାନ କରୁଛନ୍ତି, ସେଠି ଆଉ ୧୦୦ ନୂତନ ମାମଲା ରୁଜୁ ହୋଇ ଯାଉଛି। କାରଣ ଲୋକେ ଏବେ ସଚେତନ ହୋଇଗଲେଣି ଏବଂ ସେମାନେ ବିବାଦର ସମାଧାନ ପାଇଁ କୋର୍ଟ ପହଞ୍ଚୁଛନ୍ତି।
ରିଜିଜୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଉପସ୍ଥିତିରେ ଶନିବାର ସଶସ୍ତ୍ର ବଳ ନ୍ୟାୟାଧିକରଣର କାମକୁ ନେଇ ଆୟୋଜିତ ଏକ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ କହିଛନ୍ତି, ସରକାର ଅଦାଲତରେ ବିଚାରଧୀନ ମାମଲାକୁ କମ କରିବା ପାଇଁ ଜ୍ଞାନ କୌଶଳର ବ୍ୟବହାର କରୁଛନ୍ତି।
ଆଇନ ମନ୍ତ୍ରୀ ସଂସଦର ମୌସୁମୀ ଅଧିବେଶନରେ ଏକ ପ୍ରଶ୍ନର ଉତ୍ତରରେ କହିଥିଲେ, ସମଗ୍ର ଦେଶରେ ଅଦାଲତଗୁଡିକରେ ୪ କୋଟି ୮୩ ଲକ୍ଷରୁ ଅଧିକ ମାମଲା ବିଚାରଧୀନ ରହିଛି। ନିମ୍ନ ଅଦାଲତରେ ଚାରି କୋଟିରୁ ଅଧିକ ଏବଂ ସୁପ୍ରିମକୋର୍ଟରେ ୭୨ ହଜାରରୁ ଅଧିକ କେସ୍ ବିଚାରଧୀନ ରହିଛି। ମନ୍ତ୍ରୀ କହିଛନ୍ତି, ମଧ୍ୟସ୍ଥତା ଉପରେ ପ୍ରସ୍ତାବିତ ଆଇନ ଦ୍ଵାରା ବିବାଦର ସମାଧାନ ଉପରେ ଜୋର ଦିଆଯିବ।
ରିଜିଜୁ କହିଛନ୍ତି, ଭାରତକୁ ଅନ୍ୟ ଦେଶଗୁଡିକରେ ବିଚାରଧୀନ ମାମଲା ସହ ତୂଳନା କରାଯିବା ଉଚିତ୍ ନୁହେଁ। କାରଣ ଆମର ସମସ୍ୟା ଅଲଗା। କିଛି ଦେଶର ଜନସଂଖ୍ୟା ତ ୫ କୋଟି ବି ନୁହେଁ। କିନ୍ତୁ ଭାରତରେ ବିଚାରଧୀନ ମାମଲା ସଂଖ୍ୟା ପାଖାପାଖି ୫ କୋଟି। ମୁଁ ଆଶ୍ଵାସନ ଦେଉଛି ଆଇନ ମନ୍ତ୍ରଣାଳୟ ତ୍ଵରିତ ନ୍ୟାୟ ଦେବାରେ ସଶସ୍ତ୍ର ବଳ ନ୍ୟାୟାଧିକରଣର ଯଥା ସମ୍ଭବ ସାହାଯ୍ୟ କରିବ।