ଡମ୍ପର ଧକ୍କାରେ ସାଇକେଲ୍ ଆରୋହି ମୃତ; ଉତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ ଜାରି
7/03/2023 at 9:35 PM

ଭୋଗରାଇ ୦୭/୦୩: ଚନ୍ଦନେଶ୍ଵର ୫୭ ନଂ ରାଜ୍ୟ ରାଜପଥରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବାଲି ବୋଝେଇ ଡମ୍ପର ଧକାରେ ସାଇକେଲ୍ରେ ଚାଳକଙ୍କ ମୃତ୍ୟୁ ହୋଇଛି। ଭୋଗରାଇ ଥାନା ଅନନ୍ତପୁର ଛକରେ ଏପରି ଦୁର୍ଘଟଣା ଘଟିଛି। ମୃତକ ଜଣକ ହେଲେ ମଧୁ ପ୍ରଧାନଙ୍କ ପୁଅ ପଦ୍ମଲୋଚନ ପ୍ରଧାନ (୪୫)। ସେ ସୋହରିଆ ପଞ୍ଚାୟତ ଅନ୍ତର୍ଗତ ରାୟପୁର ଗାଁର ବାସିନ୍ଦା। ଏନେଇ ସେଠାରେ ସ୍ଥାନୀୟ ଲୋକମାନେ ରାସ୍ତା ଅବରୋଧ କରିଛନ୍ତି।

ଖବର ଅଅନୁସାରେ, ପଦ୍ମଲୋଚନ ମଙ୍ଗଳବାର ସନ୍ଧ୍ୟା ୬ଟା ବେଳେ ସାଇକେଲରେ ଘରକୁ ଫେରୁଥିଲେ। ଏହି ସମୟରେ ଜଳେଶ୍ଵର-ଚନ୍ଦନେଶ୍ବର ୫୭ନଂ ରାଜ୍ୟ ରାଜପଥର ଅନନ୍ତପୁର ଛକରେ ପଛରୁ ଆସି ଏକ ବାଲି ବୋଝେଇ ଡମ୍ଫର ତାଙ୍କ ଉପରେ ମାଡ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ପରେ ଡମ୍ପରଟି ଦୃତ ଗତିରେ ଖସିଯିବା ବେଳେ ସ୍ଥାନୀୟ ଲୋକେ ତାକୁ ଅଟକାଇ ଧରିଥିଲେ। ପରେ ଡମ୍ପର ଚାଳକକୁ ଉତ୍ତମ ମଧ୍ୟମ ଦେଇଥିଲେ।

ଅନ୍ୟପଟେ ଘଟଣାସ୍ଥଳରେ ଏନଇ ପ୍ରବଳ ଉତ୍ତେଜନା ଦେଖାଦେଇଛି। ସେଠାରେ ଉତ୍ୟକ୍ତ ଗ୍ରାମବାସୀଙ୍କ ସହ ସ୍ଥାନୀୟ ଲୋକମାନେ ରାସ୍ତା ଅବରୋଧ କରିଛନ୍ତି। ପୋଲିସ ସେମାନଙ୍କୁ ବୁଝାସୁଝା କରୁଥିଲେ ମଧ୍ୟ ରାସ୍ତା ଅବରୋଧ ଜାରି ରହିଛି। ସେପଟେ ମୃତଦେହ ସେମିତି ରାସ୍ତା ଉପରେ ପଡ଼ିରହିଛି। ଲୋକମାନେ ଡମ୍ପରଟିକୁ ନିଆଁ ଲଗାଇ ଦେଇଛନ୍ତି। ପରେ ଅଗ୍ନିଶମ ବିଭାଗ ଆସି ନିଆଁକୁ ଆୟତ୍ତ କରିଛି। ଏହି ଖବର ପାଇ ଭୋଗରାଇ ଥାନାଧିକାରୀ ପ୍ରଭଞ୍ଜନ ବେହେରା ସେଠାରେ ପହଞ୍ଚି ଡମ୍ପରକୁ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି।