କେନ୍ଦୁପତ୍ର ତୋଳି ଫେରିବା ବେଳେ ବିସ୍ଫୋରଣ, ଜଣେ ବୃଦ୍ଧା ଗୁରୁତର

Published By : Prameya-News7 Bureau | May 06, 2023 IST

ଉମରକୋଟ ୬।୫: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ଅନ୍ତର୍ଗତ ହାତିଗାଁ ସଂରକ୍ଷିତ ଜାମବେଡ଼ା ଜଙ୍ଗଲରୁ କେନ୍ଦୁପତ୍ର ତୋଳି ଫେରିବା ସମୟରେ ବିସ୍ଫୋରଣ ହୋଇଛି । ବିସ୍ଫୋରଣରେ ଜଣେ ବୃଦ୍ଧା ଗୁରୁତର ହୋଇଥିବା ଜଣାପଡିଛି । ବୃଦ୍ଧା ଜଣଙ୍କ ରାଇଘର ବ୍ଲକ୍ ଟିମନପୁର ପଞ୍ଚାୟତ ବିନୟପୁର ଜଗତପାରା ଗ୍ରାମର ଲଛ ରାଉତଙ୍କ ପତ୍ନୀ ଉକିୟା ବାଈ ରାଉତ ।

ସୂଚନାଯୋଗ୍ୟ ଯେ, ଉକିୟା ବାଈଙ୍କ ସହିତ ପ୍ରାୟ ୧୨ ଜଣ ମହିଳା ଜାମବେଡ଼ା ଜଙ୍ଗଲ ମଧ୍ୟକୁ କେନ୍ଦୁପତ୍ର ତୋଳିବାକୁ ଯାଇଥିଲେ l ଫେରିବା ବେଳକୁ ଉକିୟା ବାଈଙ୍କ ପାଦ ତଳେ ଏକ ବିସ୍ଫୋରଣ ହୋଇଥିଲା । ଫଳରେ ବିସ୍ଫୋରଣ ଶବ୍ଦରେ ଘଟଣାସ୍ଥଳରେ ଉକିୟା ବାଈ ଅଚେତ ହୋଇ ପଡ଼ିବା ସହିତ ତାଙ୍କ ଗୋଡ଼ରେ ଆଘାତ ଲାଗିଥିଲା l ଏପରିକି ସେହି ସମୟରେ ତାଙ୍କ ଚପଲ ମଧ୍ୟ ପୋଡ଼ି ଯାଇଥିଲା । ସାଥିରେ ଯାଇଥିବା ମହିଳାମାନେ ତାଙ୍କୁ ଚେତା ଫେରାଇ ଗାଁ ଲୋକଙ୍କୁ ଖବର ଦେବା ପରେ ପରିବାର ଲୋକେ ବାଇକ୍ ଯୋଗେ ଘରକୁ ନେଇ ଆଣିଥିଲେ । ପରେ ସେ ଚାଲି ନପାରିବାରୁ ତାଙ୍କୁ ରାଇଘର ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା ପରେ ସ୍ବାସ୍ଥ୍ୟାବସ୍ଥା ଭଲ ଥିବା ଡାକ୍ତର ପ୍ରକାଶ କରିଛନ୍ତି । ବନ୍ୟଜନ୍ତୁଙ୍କ ଶିକାର ପାଇଁ ଲାଗିଥିବା କୌଣସି ବିସ୍ଫୋରକ ଜିନିଷ ହୋଇ ଥାଇପାରେ ବୋଲି ସନ୍ଦେହ କରାଯାଉଛି । ଅନ୍ୟ ପକ୍ଷରେ ରାଇଘର ଥାନା ଅଧିକାରୀ ପ୍ରମୋଦ କୁମାର ନାୟକ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.