ଚାରିଜଣରୁ ଜଣେ ଭାରତୀୟ ଛଟେଇକୁ ନେଇ ଭୟଭୀତ: ସର୍ଭେ ରିପୋର୍ଟ
25/01/2023 at 7:04 PM

ନୂଆଦିଲ୍ଲୀ, ୨୫/୦୧: ବୈଶ୍ବିକ ମାନ୍ଦାବସ୍ଥା ଭୟ ଏବେ ଘାରଛି ଚାକିରିଆଙ୍କୁ। ଅନେକ କମ୍ପାନୀ କର୍ମଚାରୀଙ୍କ ଛଟେଇ ମଧ୍ୟ କରସାରିଛନ୍ତି। ଯାହାକୁ ନେଇ ଏବେ ଅନିଶ୍ଚିତତା। ଏହାରି ମଧ୍ୟରେ ହୋଇଥିବା ଏକ ସର୍ଭେ ଅନୁଯାୟୀ ଭାରତରେ ପ୍ରତି ଚାରିଜଣରେ ଜଣକୁ ଚାକିରିରୁ ଛଟେଇ ଭୟ ରହିଛି। କାନ୍ତାର ଦ୍ବାରା କରାଯାଇଥିବା ସର୍ଭେ ଅନୁଯାୟୀ ଚାରିଜଣରୁ ଜଣେ ଭାରତୀୟ ଚାକିରିରୁ ଛଟେଇକୁ ନେଇ ଚିନ୍ତିତ ଅଛନ୍ତି।
ସୂଚନା ଅନୁଯାୟୀ, ୨୦୨୩ ରେ ଭାରତୀୟ ଷ୍ଟାର୍ଟ ଅପ୍ କମ୍ପାନୀମାନେ ୧୬୦୦-୨୫୦୦ କର୍ମଚାରୀଙ୍କ ଛଟେଇ କରିଛନ୍ତି। ଯାହାକି ଚିନ୍ତାର କାରଣ ପାଲଟିଛି। ତଥ୍ୟ ଅନୁଯାୟୀ, ୩୨ ପ୍ରତିଶତ ଉଚ୍ଚବେତନ ଭୋଗୀ, ୩୦ ପ୍ରତିଶତ ୩୬-୫୫ ବୟସର ବ୍ୟକ୍ତି ଏବଂ ୩୦ ପ୍ରତିଶତ ସାଧାରଣ ବେତନଭୋଗୀଙ୍କୁ ଛଟେଇ ଭୟ ରହିଛି। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ ବୈଶ୍ବିକ ଆର୍ଥିକ ମାନ୍ଦାବସ୍ଥା ଏବଂ କୋଭିଡ୍ର ପୁନଃ ସଂକ୍ରମଣ ଚିନ୍ତାର କାରଣ ପାଲଟିଛି। ଏପରି ସ୍ଥିତିରେ ମୌଳିକ ଆୟକର ଛାଡ ସୀମା (ବର୍ତ୍ତମାନ 2.5 ଲକ୍ଷରୁ) ବୃଦ୍ଧିକୁ ନେଇ ଖାଉଟି ଅଧିକ ଆଶାବାନ୍ ରହିଛନ୍ତି।
ସୂଚନାଯୋଗ୍ୟ, ନିକଟରେ ଦୁଇ ବଡ଼ ଟେକ୍ କମ୍ପାନି ଗୁଗଲ ଏବଂ ମାଇକ୍ରୋସଫ୍ଟ ୨୨ ହଜାର କର୍ମଚାରୀଙ୍କ ଛଟେଇ କରିଛନ୍ତି। ଉଭୟ ଗୁଗଲ ସିଇଓ ଏବଂ ମାଇକ୍ରୋସଫ୍ଟ ସିଇଓ ଛଟେଇ ନେଇ କହିବା ସହ ଗତ କିଛି ବର୍ଷରେ କମ୍ପାନୀ ଅଧିକ କର୍ମଚାରୀଙ୍କୁ ନିଯୁକ୍ତ କରିଥିବା ନେଇ ସଙ୍କେତ ଦେଇଛନ୍ତି। ସେହିପରି ଏହା ପୂର୍ବରୁ ଆମାଜନ୍, ନେଟଫ୍ଲିକ୍ସ, ମେଟା କମ୍ପାନୀମାନନେ ମଧ୍ୟ ବଡ଼ ଆକାରରେ କର୍ମଚାରୀଙ୍କ ଛଟେଇ କରିଛନ୍ତି।