ପିକ୍ନିକ୍ ବସ୍ରେ ଲାଗିଲା ୧୧କେ.ଭି. ବିଦ୍ୟୁତ୍ ତାର, ଜଣେ ଗୁରୁତର
10/02/2020 at 7:56 AM

ଜଳେଶ୍ବର ୧୦।୨: ବାଲେଶ୍ବରରେ ଏକ ପିକନିକ୍ ବସ୍ ରେ ୧୧ କେ.ଭି. ବିଦ୍ୟୁତ୍ ତାର ଲାଗି ଜଣେ ପର୍ଯ୍ୟଟକ ଗୁରୁତର ଆହତ ହୋଇଛନ୍ତି । ବାଲିଆପାଳ ବ୍ଲକ୍ ଡଗରା ଗୁମୁଟି ଛକ ନିକଟରେ ଏହି ଅଘଟଣ ଘଟିଛି ।

ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ୍ ଡଗରା ଗୁମୁଟି ଛକ ନିକଟରେ ୧୧ କେ.ଭି. ବିଦ୍ୟୁତ୍ ତାର ସଂସ୍ପର୍ଶରେ ଏକ ପିକନିକ୍ ବସ୍ ଆସିଥିଲା । ଅଳ୍ପକେ ବର୍ତ୍ତି ଯାଇଛନ୍ତି ୭୦ଜଣ ପର୍ଯ୍ୟଟକ । ଜଣେ ପର୍ଯ୍ୟଟକ ଗୁରୁତର ହୋଇଥିବା ଜଣାପଡିଛି । ଗୁରୁତର ପର୍ଯ୍ୟଟକଙ୍କୁ ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ତେବେ ବସ୍ ଟି ବାରିପଦାରୁ ଡଗରା ବେଳାଭୂମିକୁ ପିକନିକ୍ ପାଇଁ ଆସୁଥିବା ବେଳେ ଏଭଳି ଅଘଟଣ ଘଟିଛି ।

ଗତକାଲି ବ୍ରହ୍ମପୁର ଉପକଣ୍ଠ ଗୋଳନ୍ଥରା-ତୁଲୁ ରାସ୍ତାରେ ଏକ ବସ୍ରେ ୧୧ କେ.ଭି. ବିଦ୍ୟୁତ୍ ତାର ଲାଗି ୯ ଜଣଙ୍କର ମୃତ୍ୟୁ ହୋଇଥିଲା । ୨୦ରୁ ଅଧିକ ଆହତ ହୋଇଥିଲେ । ଗୋଳନ୍ଥରା ଥାନା ଡଙ୍କଲପାଟୁରୁ ସିଲ୍କ ସିଟି ନାମକ ଏକ ଘରୋଇ ବସ୍ ୪୦ଜଣ ଯାତ୍ରୀଙ୍କୁ ନେଇ ଚିକରଡାକୁ ଯାଉଥିବା ବେଳେ ଏହି ଅଘଟଣ ଘଟିଥିଲା ।