ଭୁବନେଶ୍ବର : ମୁକୁଳା ଡ୍ରେନରେ ଭାସିଯାଇ ବୃଦ୍ଧାଙ୍କ ମୃତ୍ୟୁ, ସ୍ଥାନୀୟ ଲୋକଙ୍କ ରାସ୍ତାରୋକ
25/07/2019 at 8:39 PM

ଭୁବନେଶ୍ବର୨୫|୭: ରାଜଧାନୀର ଏକମ୍ର ପାର୍କ ଓ ସାଲିଆ ସାହି ନିକଟ ଏକ ମୁକୁଳା ଡ୍ରେନରେ ପଡି ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି । ଗତକାଲି ରାତିରୁ ଭୁବନେଶ୍ବରରେ ଲଗାଣ ବର୍ଷା ହେଉଥିବାରୁ ବିଭିନ୍ନ ଅଞ୍ଚଳ ଜଳ ମଗ୍ନ ହୋଇ ରହିଛି । ରାସ୍ତା ଓ ଡ୍ରେନ ପାଣିରେ ବୁଡି ରହିଥିବାରୁ ରାସ୍ତା ଓ ଡ୍ରେନ ମଧ୍ୟରେ ଫରକ ଜାଣିବା ମୁସ୍କିଲ ହୋଇପଡୁଛି ।
ସାଲିଆ ସାହି ନୟାଗଡ କଲୋନୀର ଜଣେ ବୃଦ୍ଧା କୌଣସି କାମରେ ଆସିଥିବାବେଳେ ସେ ଡ୍ରେନ ମଧ୍ୟକୁ ଖସିପଡିଥିଲେ । ଏଥିରେ ତାଙ୍କର ମୃତ୍ୟୁ ହୋଇଛି । ମୃତ ବୃଦ୍ଧାଙ୍କ ନାଁ ଟି. ଆକାମ୍ମା ବୋଲି ଜଣାପଡିଛି । ଏହି ଦୁର୍ଘଟଣାରେ ଉତ୍ୟକ୍ତ ହୋଇ ସ୍ଥାନୀୟ ଲୋକମାନେ ନୟାପଲ୍ଲୀ ଭିଆଇପି ରାସ୍ତା ଉପରେ ଶବ ରଖି ରାସ୍ତା ରୋକ କରିଛନ୍ତି ।
ସାମାନ୍ୟ ବର୍ଷାରେ ଭୁବନେଶ୍ବର ଜଳାର୍ଣ୍ଣବ ହୋଇପଡୁଛି । ସ୍ମର୍ଟ ସିଟି ହୋଇ ମଧ୍ୟ ଏଠି ଡ୍ରେନ ମୁକୁଳା ପଡିବା ଦୁର୍ଭଗ୍ୟଜନକ । ଡ୍ରେନରେ ପଡି ମୃତ୍ୟୁ ଘଟଣା ରାଜଧାନୀରେ ନୂଆ ନୁହେଁ । କିଛି ମାସ ତଳେ ନୟାପଲ୍ଲୀର ଏକ ଡ୍ରେନରେ ଭାସିଯାଇ ଜଣେ ବାଳକଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା ।