ଗାଁରେ ଭୋଜି ଖାଇବା ବେଳେ ହାଣିଦେଲେ ଦୁର୍ବୃତ୍ତ, ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ
29/09/2023 at 4:00 PM

ପୁରୁଷୋତ୍ତମପୁର ୨୯।୯: ଗଞ୍ଜାମ ଜିଲ୍ଲାରେ ଗଡ଼ିଲା ପୁଣି ଏକ ମୁଣ୍ଡ । ଗାଁ ଭୋଜିରେ ବସିଥିବା ବେଳେ ଆକ୍ରମଣ । ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ଦାନପୁର ଗ୍ରାମରେ ବୀଭତ୍ସ ହତ୍ୟାକାଣ୍ଡ । ଗଣେଶ ପୂଜା ଭୋଜି ଖାଇବାକୁ ଗାଁ ମଝିରେ ବସିଥିବା ବେଳେ ଠେଙ୍ଗା, ଲୁହା ରଡ୍ ଓ ଛୁରୀରେ ସଂଘବଦ୍ଧ ଆକ୍ରମଣ ସହିତ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରାଯାଇଛି । ମୃତକ ଆସିକା ବର ଗାଁର ୩୮ବର୍ଷ ବୟସ୍କ ସୁନୀଲ ନାହାକ । ସୁନୀଲଙ୍କ ନାମରେ ଏକାଧିକ ଆପରାଧିକ ମାମଲା ରହିଛି । କୋଦଳା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି । ମୃତକ ସୁନୀଲ ହେଉଛନ୍ତି ବର୍ତ୍ତମାନର ଆସିକା ବ୍ଲକ୍ ଅଧ୍ୟକ୍ଷା ତ୍ରିବେଣୀ ନାହାକଙ୍କ ଦେଢଶୁର । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।
ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ୍ କୋଟିନଡ଼ା ଥାନା ବରଗାଁର ସୁନୀଲ ଗଣେଶ ପୂଜା ଭୋଜିରେ ଯୋଗଦେବାକୁ ଗୁରୁବାର ରାତିରେ ଦାନପୁର ଯାଇଥିଲେ । ଦାନପୁର ଗାଁରେ ଭୋଜି ଖାଇ ବସିଥିବା ବେଳେ କିଛି ଯୁବକଙ୍କ ସହିତ ତାଙ୍କର ପ୍ରଥମେ ବଚସା ହୋଇଥିଲା । ସେହି ଯୁବକମାନେ ସୁନୀଲଙ୍କ ଉପରେ ପୂର୍ବ ଯୋଜନା ଅନୁସାରେ ସଂଘବଦ୍ଧ ଆକ୍ରମଣ କରିଥିଲେ । ଏହା ସହିତ ତାଙ୍କ ମୁଣ୍ଡକୁ ଇଟାରେ ଛେଚି ଦେଇଥିଲେ । ଫଳରେ ଘଟଣାସ୍ଥଳରେ ସୁନୀଲଙ୍କର ମୃତ୍ୟୁ ଘଟିଥିଲା । ଘଟଣା ପରେ ହତ୍ୟାକାରୀ ସେଠାରୁ ଫେରାର ହୋଇ ଯାଇଥିଲେ । ଖବର ପାଇ କୋଦଳା ଥାନା ପୋଲିସ ଗତ ରାତିରେ ଘଟଣାସ୍ଥଳରେ ପହଞ୍ଚି ସୁନୀଲଙ୍କ ମୃତଦେହ ଜବତ କରିଥିଲା ।
ତେବେ ଗଞ୍ଜେଇ ଚାଲାଣ ମାମଲାରେ ଗିରଫ ହେବା ପରେ ସୁନୀଲ ଗତ କିଛି ମାସ ତଳେ ଜେଲ୍ରୁ ବାହାରିଥିଲେ । ଆସ୍କା ସୁଗାର ଫ୍ୟାକ୍ଟ୍ରି ପୋଚକା ନାଳରେ ମଧ୍ୟରେ ଦୁଇ ଜଣଙ୍କୁ ମାରି ପୋତି ଦେବାରେ ତାର ହାତ ଥିଲା । ସୁନୀଲଙ୍କ ନାମରେ ହତ୍ୟା, ହତ୍ୟା ଉଦ୍ୟମ ଓ ଦାଦାବଟି ଭଳି ଏକାଧିକ ଅପରାଧିକ ମାମଲା ବିଚାରାଧୀନ ରହିଛି ।
ତେବେ କେଉଁ କାରଣରୁ ତାଙ୍କୁ ହତ୍ୟା କରାଗଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ଶୁକ୍ରବାର ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚିଛି । ଅନୁସନ୍ଧାନୀ କୁକୁର ସହଯୋଗରେ ଛାନଭିନ୍ କରାଯାଉଛି । ଘଟଣାସ୍ଥଳରୁ ରକ୍ତଭିଜା ଛୁରୀ, ୨ଟି ଲୁହା ରଡ୍ ଓ ଠେଙ୍ଗା ଜବତ କରାଯାଇଛି । ପୋଲିସ ଏ ନେଇ ତଦନ୍ତ ଜାରି ରଖିଛି । ପୂର୍ବ ଶତ୍ରୁତାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ।
You Can Read :