ତିନି ଛାତ୍ରଙ୍କ ଉପରେ ମାଡିଗଲା ହାଇଓ୍ବା : ଜଣେ ମୃତ, ଦୁଇ ଗୁରୁତର
12/10/2019 at 7:52 AM

ପାରାଦୀପ ୧୨।୧୦: ପାରାଦୀପ ଲକ୍ ଥାନା ଅନ୍ତର୍ଗତ ଭୂତମୁଣ୍ଡାଇ ନିକଟ ବରେଇ ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ତିନି ଜଣ ଛାତ୍ରଙ୍କ ଉପରେ ଚଢିଯାଇଛି ହାଇଓ୍ବା । ଘଟଣାସ୍ଥଳରେ ଜଣଙ୍କର ମୄତ୍ୟୁ ହୋଇଥିବା ବେଳେ ଆଉ ଦୁଇ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।

ସୂଚନାଯୋଗ୍ୟ ଯେ, ପ୍ରତିଦିନ ଭଳି ଆଜି ସକାଳୁ ଏହି ତିନି ଜଣ ଛାତ୍ର ଟ୍ୟୁସନ ହେବା ପାଇଁ ପାଖ ଗ୍ରାମ ଭୂତମୁଣ୍ଡାଇକୁ ସାଇକେଲ ଯୋଗେ ଯାଉଥିଲେ । ଦ୍ରୁତ ଗତିରେ ଆସୁଥିବା ଏକ ହାଇଓ୍ବା ସେମାନଙ୍କୁ ପଛପଟୁ ଧକ୍କା ଦେଇଥିଲା । ଯାହାଫଳରେ ଘଟଣାସ୍ଥଳରେ ଜଣେ ଛାତ୍ରଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଛାତ୍ର ଗୁରୁତର ହୋଇଥିଲେ ।

ଉଭୟ ଗୁରୁତରଙ୍କୁ ପ୍ରଥମେ କୁଜଙ୍ଗ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ଅବସ୍ଥା ଅଧିକ ଗୁରୁତର ହେବାରୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି । ମୄତକ ହେଉଛନ୍ତି ସ୍ଥାନୀୟ ଫୁଲବେଲାରୀ ଗ୍ରାମର ନନ୍ଦ ଚରଣ ପୄଷ୍ଟିଙ୍କ ୧୦ବର୍ଷର ପୁଅ କାହ୍ନୁଚରଣ ମହାନ୍ତି । ଗୁରୁତର ଛାତ୍ର ସେହି ଗ୍ରାମର ଓମ୍ ପ୍ରକାଶ ସ୍ବାଇଁ ଓ ଦିବ୍ୟ ପଟ୍ଟନାୟକ ବୋଲି ଜଣାପଡିଛି।

ତେବେ କ୍ଷତିପୂରଣ ଦାବିରେ ଗ୍ରାମବାସୀମାନେ କଟକ-ପାରାଦୀପ ରାସ୍ତା ଅବରୋଧ କରିଛନ୍ତି । ଘଟଣାସ୍ଥଳରେ ପାରାଦୀପ ଲକ୍ ଥାନା ପୋଲିସ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରିବା ସହ ତଦନ୍ତ ଆରମ୍ଭ କରିଛି।