ସମୟ ଆସିବ ଦେଶରେ ମିଡିଆ ବୋଲି କିଛି ରହିବ ନାହିଁ: ବିବିସି ଉପରେ ଚଢଉ ପରେ କେନ୍ଦ୍ରକୁ ମମତାଙ୍କ ଟାର୍ଗେଟ୍

Published By : Prameya-News7 Bureau | February 15, 2023 IST

କୋଲକାତା: ଦୁଇ ଦିନ ହେଲା ଭାରତରେ ଥିବା ବିବିସି ଅଫିସ୍‌ ଉପରେ ଆୟକର ବିଭାଗର ଚଢ଼ାଉ ଜାରି ରହିଛି। ଏହାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସମୟ ଆସିବ ଭାରତରେ ଆଉ ମିଡିଆ ରହିବ କିଛି ନାହିଁ ବୋଲି ମମତା କହିଛନ୍ତି।

ଗତ ଦୁଇଦିନ ହେଲା ଦିଲ୍ଲୀ ଓ ମୁମ୍ବାଇ ସ୍ଥିତି ବିବିସି ଅଫିସ୍ ଉପରେ ଚଢ଼ାଉ କରିଛି ଆୟକର ବିଭାଗ। ଦୁର୍ନୀତି ଅଭିଯୋଗରେ ବିଭାଗ ଚଢ଼ାଉ ଜାରି ରଖିଛି। ସେପଟେ ଆଜି ସବୁ କର୍ମଚାରୀଙ୍କୁ ମେଲ୍ ଦେଇଛି ମିଡିଆ କମ୍ପାନୀ। ଆୟକର ବିଭାଗକୁ ସମସ୍ତ ସହଯୋଗ କରିବାକୁ କର୍ମଚାରୀଙ୍କୁ କହିଛି ବିବିସି।

ଏହି ଚଢ଼ାଉକୁ ବିଜେପିର ଏକ ଏଜେଣ୍ଡା ବୋଲି କହି ଟାର୍ଗେଟ୍ କରିଛନ୍ତି ମମତା। ସେ କହିଛନ୍ତି " ଏଭଳି ଘଟଣା କେବଳ ଗଣମାଧ୍ୟମ ସ୍ୱାଧୀନତା ଉପରେ ପ୍ରଭାବ ପକାଇବ ନାହିଁ ବରଂ ଦିନ ଆସିବ ଦେଶରେ ଆଉ ମିଡିଆ ବୋଲି କିଛି ରହିବ ନାହିଁ। ଗଣମାଧ୍ୟମ ପୂର୍ବରୁ ହିଁ ବିଜେପି ଅଧିନରେ ରହିଛି।"

ମମତା ଆହୁରି କହିଛନ୍ତି ଯେ ମିଡିଆ କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିପାରିବ ନାହିଁ। ଯଦି ସେମାନେ ସ୍ୱର ଉତ୍ତୋଳନ କରିବେ ତେବେ ମ୍ୟାନେଜ୍‌ମେଣ୍ଟ ୨୪ ଘଣ୍ଟା ଭିତରେ ତାଙ୍କ ସେବା ରଦ୍ଦ କରିଦେବ। ଗଣମାଧ୍ୟମ ଓ ବିବିସି ପ୍ରତି ମୋର ସହାନୁଭୁତି ରହିଛି ବୋଲି ମମତା କହିଛନ୍ତି।   

ତେବେ ବିବିସି ଯଦି କୌଣସି ବେଆଇନ୍ କାର୍ଯ୍ୟ କରିଛି ମୁଁ ଏହାକୁ ସମର୍ଥନ କରୁ ନାହିଁ। କିନ୍ତୁ ବିବିସି କେନ୍ଦ୍ର ସରକାରଙ୍କ ବିରୋଧରେ ରିପୋର୍ଟ ପ୍ରକାଶ ପରେ ହିଁ କାର୍ଯ୍ୟାନୁଷ୍ଠ ହୋଇଛି। ତେଣୁ ଦୁର୍ନୀତି ନେଇ ମୋର ବିଶ୍ୱାସ ହେଉନାହିଁ। ଆଉ ଯଦି ଏମିତି ହୋଇଛି ତେବେ ଆଗ ଏକ ନୋଟିସ୍ ପଠାଯିବା ଦରକାର ଥିଲା ବୋଲି କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।

ମମତା ବିଜେପି ସରକାର ସହ ନିଜ ସରକାରର ତୁଳନା କରି କହିଛନ୍ତି ଯେ ଆମେ ସମ୍ବିଧାନ ଓ ଲୋକମତରେ କାମ କରୁଛୁ। ହେଲେ ବିଜେପି ଲୋକମତକୁ ଖାତିର କରୁ ନାହିଁ। ବିଜେପି ହିଟଲରଙ୍କ ଭଳି ଏକଛତ୍ରବାଦୀ ଶାସନ କରୁଛି ବୋଲି ମମତା କହିଛନ୍ତି।

କେବଳ ସେତିକି ନୁହେଁ, ବିଜେପି ମିଡିଆ ସହ ନ୍ୟାୟପାଳିକକୁ ମଧ୍ୟ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛି ବୋଲି ଅଭିଯୋଗ କରିବା ସହ ଦେଶକୁ କେବଳ ନ୍ୟାୟପାଳିକ ହିଁ ସୁରକ୍ଷା ଦେଇପାରିବ ବୋଲି ମମତା କହିଛନ୍ତି।  

ସେପଟେ ଦିଲ୍ଲୀର କସ୍ତୁରବା ଗାନ୍ଧୀ ରୋଡ୍‌ରେ ଥିବା ବିବିସି ଅଫିସ୍‌ରେ ସୁରକ୍ଷା ବଢାଇ ଦିଆଯାଇଛି। ଅଫିସ୍‌ ବାହାରେ ହିନ୍ଦୁ ସେନା ବିକ୍ଷୋଭ ଜାରି ରଖିଥିବା ବେଳେ ସମ୍ଭାବିତ ହିଂସାରୁ ମିଡିଆ ହାଉସ୍‌କୁ ସୁରକ୍ଷା ଦେବାକୁ ବିବିସି ଗେଟ୍ ସାମ୍ନାରେ  ଅନେକ ଆଇଟିବିପି ଯବାନ ମୁତୟନ କରାଯାଇଛି। କେବଳ ସେତିକି ନୁହେଁ ଆନ୍ଦୋଳନକାରୀଙ୍କ ଠାରୁ ବ୍ୟାନର ପୋଷ୍ଟର ମଧ୍ୟ ଜବତ କରାଯାଇଛି। ବିବିସି ଭାରତ ଛାଡ଼ ବୋଲି ଲେଖାଥିବା ପୋଷ୍ଟର ଜବତ କରିଛି ପୁଲିସ୍।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.