ନିର୍ଦ୍ଦେଶକଙ୍କ କଥା ଖୁବ୍ ବାଧିଥିଲା ବୋଲି ଦିନେ ଏଭଳି ନିଷ୍ପତ୍ତି ନେଇଥିଲେ ରାଇମୋହନ...

Published By : Prameya-News7 Bureau | June 24, 2022 IST

ଭୁବନେଶ୍ୱର ୨୪/୦୬ : ନିରବୀ ଯାଇଛି ନାଗା। ଆଉ ଶୁଭିବନି ସେଇ ଛାତିଥରା ଲୋମ ଟାଙ୍କୁରା ସଂଳାପ। ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ଚେହେରା ତଥା ଦୁର୍ଦ୍ଦାନ୍ତ ଖଳନାୟକ ରାଇମୋହନ ପରିଡ଼ା ଆଉ ଆମ ଗହଣରେ ନାହାନ୍ତି। ଶୁକ୍ରବାର ସକାଳେ ଭୁବନେଶ୍ୱର ପ୍ରାଚୀ ବିହାରରେ ଥିବା ତାଙ୍କ ବାସ ଭବନରେ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି। ମାମଲାରେ ପୋଲିସ ତଦନ୍ତ ଆରମ୍ଭ କରିଛି।
ଏପଟେ ରାଇମୋହନଙ୍କୁ ହରାଇ ଦୁଃଖରେ ଭାଙ୍ଗିପଡ଼ିଛି ଓଲିଉଡ, ଜଲିଉଡ ସହ ସାରା ଓଡ଼ିଶା। ରାଜ୍ୟ ସହ ଜାତୀୟ ଗଣମାଧ୍ୟମରେ ମୁଖ୍ୟ ସିରୋନାମା ପାଲଟିଛି ରାଇମୋହନଙ୍କ ବିୟୋଗ ଖବର।

ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଦୁଃଖ ପ୍ରକାଶ କରିଛନ୍ତି। କୁନାଲ ପରିଡ଼ାରୁ ରାଇମୋହନ ପରିଡ଼ା। ସିନେମା ଜଗତରେ ପ୍ରାୟ ୩ ଦଶନ୍ଧିର ଯାତ୍ରାରେ ସେ ଅନେକ ସଫଳତା ପାଇଛନ୍ତି। ତେବେ ଆସନ୍ତୁ ଜାଣିବା ଜଣେ ସାଧାରଣ ମଣିଷରୁ ଚର୍ଚ୍ଚିତ ଅଭିନେତା ହେବା ପର୍ଯ୍ୟନ୍ତ କେମିତି ଥିଲା ତାଙ୍କର ଯାତ୍ରା।

୧୯୬୩ ଜୁଲାଇ ୧୦ ତାରିଖରେ କେନ୍ଦୁଝରର ଉଦୟପୁର ଗାଁରେ ଜନ୍ମଗ୍ରହଣ କରିଥିଲେ ରାଇମୋହନ। ଗାଁ ସ୍କୁଲ୍ରେ ପାଠପଢ଼ା ସାରି ମୟୁରଭଞ୍ଜର କରଞ୍ଜିଆ କଲେଜ୍ରୁ ବିଏ ପାସ୍ କରିଥିଲେ। ପରେ ଅଭିନୟର ନିଶା ଏମିତି ଘାରିଲା ଯେ ଗାଁ ମାଟି ଛାଡ଼ି ଚାଲିଆସିଲେ କଟକ। ଏଇଠୁ ଆରମ୍ଭ ହେଲା କଳାକାର ଜୀବନ। ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରୁ ଅଭିନୟରେ ସ୍ନାତକୋତ୍ତର ଶିକ୍ଷା ଲାଭ କରିବା ପରେ ୧୯୮୬ ଆରମ୍ଭ କରିଥିଲେ ଅଭିନୟ କ୍ୟାରିଅର।

୧୯୮୬ ମସିହାରେ ପ୍ରଶାନ୍ତ ନନ୍ଦଙ୍କ ‘ପକା କମ୍ୱଳ ପୋତ ଛତା’ ଓଡ଼ିଆ ସିନେମାରେ ପ୍ରଥମେ ଡେବ୍ୟୁ କରିଥିଲେ ରାଇମୋହନ। ଯେଉଁଥିରେ ସେ ଏକ ଗୁଣ୍ଡା ଭୂମିକାରେ ଅଭିନୟ କରିଥିଲେ। ଯାହାର ଅଭିନୟ ଥିଲା ମାତ୍ରେ କେଇ ମିନିଟର। ତାଙ୍କର ପ୍ରଥମ ଅଭିୟନକୁ ଦେଖିବା ପାଇଁ ସେ ଅଶ୍ରୁମୋଚନଙ୍କୁ ସିନେମା ହଲ୍କୁ ଡାକିନେଇଥିଲେ। ହେଲେ ଅଶ୍ରୁ ଫିଲ୍ମ ଦେଖିସାରିବା ପରେ ରାଇମୋହନଙ୍କୁ ରାଗରେ ଶକ୍ତ ଚାପୁଡ଼ା ମାରିଥିଲେ। କାରଣ ମୋହନଙ୍କ ଭଲି ପ୍ରତିଭାବାନ ଅଭିନେତାଙ୍କ ପାଇଁ ଏଇ ଛୋଟିଆ ଚରିତ୍ର ଅଶ୍ରୁମୋଚନଙ୍କୁ ଭଲ ଲାଗି ନଥିଲା।

ତା’ ପରେ ୧୯୮୭ ମସିହାରେ ‘ସାଗର’ ଚଳଚ୍ଚିତ୍ରରେ ଖଳନାୟକ ଭୂମିକାରେ ଅଭିନୟ କରି ସେ ସାଉଁଟିଥିଲେ ଅଜଶ୍ର ଲୋକପ୍ରିୟତା। ଲୋକେ କହିଲେ, ଓଡ଼ିଆ ସିନେମାକୁ କେହି ଜଣେ ଦୁର୍ଦ୍ଦାନ୍ତ ଖଳନାୟକ ଆସିଛି। ଏଇଠୁ ଆରମ୍ଭ ହେଲା ରାଇମୋହନ ପରିଡ଼ାଙ୍କ ଅସଲ ସିନେମା ଯାତ୍ରା।
ସିନେମାରେ କ୍ୟାରିଅର ଆରମ୍ଭ କରିଥିଲେ ବି ସେଇଠି ଅଟକି ଯାଇ ନଥିଲେ ରାଇମୋହନ। କରିଥିଲେ ଯାତ୍ରାରେ ଏଣ୍ଟ୍ରି। ୧୯୯୧ ମସିହାରେ ତାରିଣୀ ଗଣନାଟ୍ୟର ଓଡ଼ିଆ ଜାତ୍ରା ‘ଭଙ୍ଗା ଆଇନା’ରେ ସେ ନିର୍ଦ୍ଦେଶନା ଦେଇଥିଲେ। ଏପଟେ ସିନେମାରେ ଜାରି ରହିଲା ଅଭିନୟ। ୧୯୯୧ରେ ‘କୋଟିଏ ମଣିଷ ଗୋଟିଏ ଜଗା’ ସିନେମାରେ ତାଙ୍କର ନାଗା ଚରିତ୍ରଟି ବେଶ୍ ଦର୍ଶକୀୟ ଆଦ୍ରୁତା ଲାଭ କରିଥିଲା। ୧୯୯୪ ରେ ମସିହାରେ ସୁନା ଭାଉଜ ଓ ୧୯୯୮ରେ ସିଂହ ବାହିନୀ ସିନେମାରେ ତାଙ୍କ ଅଭିନୟ ଥିଲା ଖୁବ୍ ଜୀବନ୍ତ। ଏହି ସିନେମାରେ ତାଙ୍କ ଅଭିନୟକୁ ଦର୍ଶକମାନେ ଭୁରି ଭୁରି ପ୍ରଶଂସା କରିଥିଲେ।

ଅଭିନୟର ସବୁସ୍ତରରେ ନିଜର କରିସ୍ମା ଦେଖାଇ ଥିଲେ ରାଇମୋହନ। ସିନେମା, ଥିଏଟର, ଯାତ୍ରା ସେ ସବୁଠି ତାଙ୍କ ଅଭିନୟର ଛାପ ଛାଡ଼ିଯାଇଛନ୍ତି। ଓଡ଼ିଆ ସିନେମା ଜଗତର ନିର୍ଦ୍ଦେଶକ ତଥା ଅଭିନେତା ହର ପଟ୍ଟନାୟକଙ୍କ ପରେ ଦୁର୍ଦ୍ଦାନ୍ତ ଖଳନାୟକ ରାଇମୋହନ ପରିଡ଼ାଙ୍କୁ ସମସ୍ତେ ଜାଣିଥିଲେ।
ରଣଭୂମି ଚଳଚ୍ଚିତ୍ରରେ ତାଙ୍କର “ହେଇଟି ଅନାନି ଜ୍ୟୋତି ମାଷ୍ଟ୍ରାଣୀ” ସଂଳାପକୁ ଲୋକେ ଆଜିବି ମନେ ରଖିଛନ୍ତି। ସେ ଜଣେ ମିଷ୍ଠଭାଷୀ ଓ ମେଳାପି ବ୍ୟକ୍ତି ଥିଲେ। ବରିଷ୍ଠ କଳାକାରମାନଙ୍କୁ ସମ୍ମାନ ଦେବା ସହ ଜୁନିୟର କଳାକାରମାନଙ୍କୁ ଉତ୍ସାହିତ କରୁଥିଲେ। ଏଥିପାଇଁ ସିନେମା ଇଣ୍ଡଷ୍ଟ୍ରୀରେ ସେ ଥିଲେ ସଭିଙ୍କର ପ୍ରିୟ ରାଇ ଭାଇ।

ଚମତ୍କାର ଅଭିନୟ ପାଇଁ ସେ ଅନେକ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ରାଇମୋହନ ତାଙ୍କ କ୍ୟାରିଅରେ ୧୦୦ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ର, ୧୫ରୁ ଅଧିକ ବଙ୍ଗାଳି ସିନେମା ଓ ୪୦ରୁ ଅଧିକ ଯାତ୍ରାରେ ଅଭିନୟ କରିଛନ୍ତି।

ସେ ଅଭିନୟ କରିଥିବା କେତେକ ଲୋକପ୍ରିୟ ଚଳଚ୍ଚିତ୍ର ହେଲା- ବନ୍ଧନ, ଆସିବୁ କେବେ ସାଜି ମୋ ରାଣୀ, ତୁ ଥିଲେ ମୋ ଡର କାହାକୁ, ନେଇଯାରେ ମେଘ ମତେ, ଛାତି ଚିରି ଦେଲେ ତୁ, କାଳିଶଙ୍କର, ତୋ ବିନା ମୋ କାହାଣୀ ଅଧା, ତୋ ପାଇଁ ନେବି ମୁଁ ଶହେ ଜନମ, ଦେ ମା ଶକ୍ତି ଦେ, ରକତେ ଲେଖିଛି ନାଁ, ଉଦଣ୍ଡୀ ସୀତା, ତୁ ଏକା ଆମ ସାହା ଭରସା, ବାବୁ ଆଇ ଲଭ୍ ୟୁ, କଣ୍ଢେଇ ଆଖିରେ ଲୁହ, ଲକ୍ଷେ ଶିବ ପୂଜି ପାଇଛି ପୁଅ, ପୁଅ ମୋର ଜଗତ ଜିତା, ସୁନା ଭାଉଜ, ଦାଦାଗିରି, ନାଗ ଜ୍ୟୋତି, ସହରୀ ବାଘ, ଗଙ୍ଗ ଶିଉଳୀ, ଧର୍ମ, ସତ ମିଛ ଆଦି ଅନେକ। ଶେଷଥର ପାଇଁ ତାଙ୍କୁ ଓଡ଼ିଆ ସିନେମା ‘ବିଶ୍ୱନାଥ’ରେ ଦେଖିବାକୁ ମିଳିଥିଲା। ଏଇ ରଜରେ ବିଶ୍ୱନାଥ ସିନେମାଟି ରିଲିଜ୍ ହୋଇଥିଲା।

ଓଡ଼ିଆ ଚଳଚ୍ଚିତ୍ର ଜଗତରେ ତାଙ୍କ ଖ୍ୟାତି ଏତେ ଯେ ପିଲାଠୁ ବୁଢା ସମସ୍ତେ ତାଙ୍କୁ ଜାଣନ୍ତି। ତାଙ୍କ ଡାଇଲଗ୍ରେ ନକଲ କରନ୍ତି। ତାଙ୍କ ଡାଇଲଗକୁ ନକଲି କରି ଅନେକ ଷ୍ଟାଣ୍ଡଅପ୍ କମେଡିଆନ୍ ଫେମସ୍ ବି ହୋଇଛନ୍ତି। ଆଜି ବି ଗାଁ ଗହଳିରେ ଛୋଟ ପିଲା ହେଉ କିମ୍ବା ବୁଢା ସମସ୍ତଙ୍କ ମୁହଁରୁ ଶୁଣିବାକୁ ମିଳେ ଏ ଅନାନୀ…। ପୁଣି ଆଉ କିଏ କହେ ମୋ ନା ନାଗିନା ମୋର ସବୁଠି ଚିହ୍ନା..। ପ୍ରକୃତରେ ସମସ୍ତଙ୍କର ଚିହ୍ନା ଚେହେରା ରାଇମୋହନ ପରିଡ଼ା ଯେ ହଠାତ ସମସ୍ତଙ୍କୁ ପର କରିଦେବେ ଏକଥା ସହଜରେ ହଜମ କରିବା କଷ୍ଟ।

ରାଇମୋହନ ପରଦାଉ ପରେ ଦୁର୍ଦ୍ଦାନ୍ତ ଖଳନାୟକ ଭୂମିକାରେ ଅଭିୟନ କରିଥିଲେ ବି ବାସ୍ତବ ଜୀବନରେ ସେ ଥିଲେ ଜଣେ ନିଚ୍ଛକ ଦରଦୀ ଓ ଈଶ୍ୱରବିଶ୍ୱାସୀ ମଣିଷ। ଏନେଇ ଥରେ ଜଣେ ଟିଭି ଆଙ୍କର ତାଙ୍କୁ ପଚାରିଥିଲେ- ଏତେ ସବୁ ନକରାତ୍ମକ ଅଭିନୟ କରି ମଧ୍ୟ ଆପଣଙ୍କ ମଧ୍ୟରେ ଅପରାଧ ପ୍ରବଣତା ଆସେନି ?ଉତ୍ତରରେ ରାଇମୋହନ କହିଥିଲେ- ମୁଁ ବିବେକାନନ୍ଦ ନୁହେଁ ସତ, କିନ୍ତୁ ଚରିତ୍ର ହୀନ ନୁହେଁ।ତେବେ ଆସନ୍ତୁ ଦେଖିବା ନିଉଜ୍‌ ସେଭେନ୍‌ର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ବ୍ରେକ୍‌ଫାଷ୍ଟ ଓଡ଼ିଶାରେ ଦେଇଥିବା ଏକ ସାକ୍ଷାତକାରରେ କଣ କହିଥିଲେ ରାଇମୋହନ୍‌

wp:embed {"url":"https://youtu.be/YxVGiatp29E","type":"video","providerNameSlug":"youtube","responsive":true,"className":"wp-embed-aspect-4-3 wp-has-aspect-ratio"}
https://youtu.be/YxVGiatp29E
/wp:embed

ଖଳନାୟକ ଚଳଚ୍ଚିତ୍ରରେ ଅଭିନୟର ଭାବଭଙ୍ଗୀ ସବୁବେଳେ ବଦଳାଇବାକୁ ପଡ଼େ। ନହେଲେ ଦର୍ଶକ ପସନ୍ଦ କରନ୍ତି ନାହିଁ ବୋଲି ରାଇମୋହନ କହନ୍ତି। ତାଙ୍କ ଅଭିନିତ ଫିଲ୍ମ ‘ସତ ମିଛ’ ରାଇମୋହନଙ୍କର ସବୁଠାରୁ ପ୍ରିୟ ସିନେମା ଥିଲା। ଯେଉଁଥିରେ ପୋଲିସ ଇନ୍ସପେକ୍ଟର ଭୂମିକାରେ ଅଭିନୟ କରିଥିଲେ।
ସିନେମାରେ ସଫଳତା ପାଇବା ପରେ ସେ ଯାତ୍ରା ଦୁନିଆରେ ପ୍ରବେଶ କରିଥିଲେ। ସିନେମା ସେଟ୍ରେ ଶୁଟିଙ୍ଗ କଲାବେଳେ ନିର୍ଦ୍ଦେଶକଙ୍କ କଥା ତାଙ୍କ ହୃଦୟକୁ କଷ୍ଟ ଦେଇଥିଲା। ସେଥିପାଇଁ ସିନେମାରେ ଅଭିନୟ ଛାଡ଼ି ଜାତ୍ରାରେ ଅଭିନୟ କରିବେ ବୋଲି ଭାବିଥିଲେ ବୋଲି ଥରେ ଇଣ୍ଟରଭ୍ୟୁରେ କହିଥିଲେ ରାଇମୋହନ।
ହେଲେ ଆଜି ତାଙ୍କର ବିୟୋଗରେ ସାରା ଓଡ଼ିଶା ସ୍ତବ୍ଧ। ଆର୍ଥିକ କାରଣ ଓ ପାରିବାରିକ କାରଣରୁ ସେ ଆତ୍ମହତ୍ୟା କରିଥିବା ଚର୍ଚ୍ଚା ହେଉଛି। ତେବେ ମୃତ୍ୟୁ ପରେ ସେ ତାଙ୍କ ଚକ୍ଷ୍ୟୁ ଦାନ କରିସବୁଦିନ ପାଇଁ ଅମର ହୋଇଯାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.