ଚିଲିକାରେ ସରିଲା ପକ୍ଷୀ ଗଣନା; ଚଳିତ ଥର ଅଛନ୍ତି ୧୧ ଲକ୍ଷରୁ ଅଧିକ ପକ୍ଷୀ

Published By : Prameya-News7 Bureau | January 04, 2023 IST

ଟାଙ୍ଗି ୦୪/୦୧: ଚଳିତ ବର୍ଷ ଚିଲିକାକୁ ୧୮୪ଟି ପ୍ରଜାତିର ପକ୍ଷୀ ଆସିଛନ୍ତି। ସେମାନଙ୍କ ସଂଖ୍ୟା ୧୧ ଲକ୍ଷ ୩୧ ହଜାର ୯୨୯ ରହିଛି। ଗଣନା ସରିବା ପରେ ଏନେଇ ସରକାରୀ ରିପୋର୍ଟ ପ୍ରକାଶ ପାଇଛି। ଗତ ବର୍ଷ ଚିଲିକାକୁ ୧୮୩ଟି ପ୍ରଜାତିର ପକ୍ଷୀ ଆସିଥିବା ବେଳେ ସେମାନଙ୍କର ସଂଖ୍ୟା ୧୦ ଲକ୍ଷ ୭୪ ହଜାର ୧୭୩ ଥିଲା। ସରକାରୀ ରେକର୍ଡରୁ ଏହା ଜଣାପଡ଼ିଛି। "ଚିଲିକା ବନ୍ୟପ୍ରାଣୀ ଡିଭିଜନ ବାଲୁଗାଁ"ପକ୍ଷରୁ ସମଗ୍ର ଚିଲିକା ଅଞ୍ଚଳରେ ବୁଧବାର ଏହି ପକ୍ଷୀ ଗଣନା କାର୍ଯ୍ୟ ଶେଷ ହୋଇଛି।

ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ) ସହଯୋଗରେ ବିଭିନ୍ନ ସ୍ୱେଚ୍ଛାସେବୀ ସଙ୍ଗଠନ, ପକ୍ଷୀ ବିଶେଷଜ୍ଞ, ବମ୍ବେ ନ୍ୟାଚ୍ୟୁରାଲ୍ ହିଷ୍ଟ୍ରି ଅଫ୍ ସୋସାଇଟି (B.N.H.S.)ର ବିଶେଷଜ୍ଞମାନଙ୍କୁ ନେଇ ଗଣନା କରାଯାଇଥିଲା। ବାଲୁଗାଁ ବନ୍ୟପ୍ରାଣୀ ଡିଭିଜନ ଅଧୀନରେ ଥିବା ୫ଟି ରେଞ୍ଜ୍‌ରେ (୫ ରେଞ୍ଜ ଅଞ୍ଚଳ: ଟାଙ୍ଗୀ, ବାଲୁଗାଁ, ସାତପଡ଼ା, ନୂଆପଡ଼ା ଓ ରମ୍ଭା) ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଗଣନା କରାଯାଇଥିଲା। ଗୋଟିଏ ଦିନ ପାଇଁ ଏହି ଗଣନା କରାଯାଇଛି। ଏଥିପାଇଁ ୨୧ଟି ଟିମ୍ ଗଠନ କରାଯାଇ ୧୦୧ ଜଣ ସଦସ୍ୟ ସାମିଲ ହୋଇଥିଲେ।

ସୂଚନାଥାଉକି, ଶୀତ ଋତୁ କାରଣରୁ ଚିଲିକାକୁ ରଙ୍ଗ ବେରଙ୍ଗର ବିଦେଶାଗତ ପକ୍ଷୀ ଆସିଲେଣି। ପକ୍ଷୀଙ୍କ କଳରବରେ ମରାଳ ମାଳିନୀ ନିଳାମ୍ବୁ ଚିଲିକା ମୁଖରିତ ହେଉଛି। ଚିଲିକାକୁ ପ୍ରତିବର୍ଷ ଦେଶ ବିଦେଶରୁ ଏହି ରଙ୍ଗ ବେରଙ୍ଗର ବିଦେଶୀ ପକ୍ଷୀମାନେ ଆସନ୍ତି। ୟୁରୋପ ମହାଦେଶରୁ ରୁଡିସଲଡକ, ପୂର୍ବ ମହାଦେଶରୁ ରୋଜିଷ୍ଟୋଲିଙ୍ଗ, ଭଡିଟର ଫ୍ଲାଏକେଚର, ରେଡକ୍ରେଷ୍ଟେଟ୍‌, ପୋଚାର୍ଡ, ଲିଟିଲଗ୍ରେବ, ବ୍ଲାକ ବେଲିଡ୍‌ ଟର୍ନ, ପେଲିକାନପେରି ଭଳି ପ୍ରମୁଖ ବିରଳ ପକ୍ଷୀ ଶୀତଦିନରେ ଆସି ଚିଲିକାର ଶୋଭା ବଢ଼ାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.