ଗୋଟେ ପରେ ଗୋଟେ ୱିକେଟ ପଡୁଛି କଂଗ୍ରେସର: ଟେନସନରେ ମୁଖିଆ
18/01/2019 at 7:10 PM

ଭୁବନେଶ୍ବର ୧୮/୧ : ନବଙ୍କ ପରେ ଯୋଗେଶ । କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ବିଧାୟକ ଯୋଗେଶ ସିଂ । କାଲି ନିଲମ୍ବନ ପରେ ଆଜି ଦଳରୁ ସେ ଇସ୍ତଫା ଦେଇଛନ୍ତି । ସେପଟେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଏବେ ନେତା ନୁହେଁ, ଦଳ ଗୁରୁତ୍ବପୂର୍ଣ୍ଣ। ସେହପରି କୃଷ୍ଣଚନ୍ଦ୍ର ସଗରିଆଙ୍କୁ କଂଗ୍ରେସ ଟିକେଟ ନମିଳିବା ନେଇ ଆଭାସ ମିଳିବାକୁ ନେଇ ସେ ବି ନିରଞ୍ଜନଙ୍କୁ ଟାର୍ଗେଟ କରିଛନ୍ତି। ….

ନବଙ୍କ ଇସ୍ତଫା ପରେ ନିଲମ୍ବନ, ଆଉ ଯୋଗେଶଙ୍କୁ ଆଗେ ନିଲମ୍ବନ ପରେ ସେ ଦେଲେ ଇସ୍ତଫା । ରାହୁଲ ଗାନ୍ଧିଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଛନ୍ତି ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂ । ତାଙ୍କୁ କୌଣସି କାରଣ ଦର୍ଶାଅ ନୋଟିସ୍ ଜାରି କରାନଯାଇ ପାର୍ଟିରୁ ନିଲମ୍ବନ କରାଯାଇଥିବାରୁ ସେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିବା କେମିତି ଦଳ ବିରୋଧୀ କାର୍ଯ୍ୟକଳାପ, ପୂର୍ବରୁ ୟୁପିଏ ସରକାର ଅମଳରେ ବହୁ କେନ୍ଦ୍ରମନ୍ତ୍ରୀ , ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଥିଲେ ବୋଲି କହି ଓଲଟା ପିସିସି ସଭାପତିଙ୍କୁ ଦାୟୀ କରିଛନ୍ତି ଯୋଗେଶ । ସେପଟେ ନିରଞ୍ଜନ କହିଛନ୍ତି ନବ ଦାସ ଓ ଯୋଗେଶ ସିଂହ ଦଳ ଛାଡ଼ିବା ଦ୍ବାରା ବିଶେଷ କିଛି ପ୍ରଭାବ ପଡ଼ିବ ନାହିଁ । ବିକଳ୍ପ ଚେହେରା ସବୁଠି ଅଛନ୍ତି । ଯୋଗେଶ ସିଂହ ବିଜେଡି ସହ ସଂପର୍କରେ ଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଗଲା।

ସେପଟେ କୃଷ୍ଣଚନ୍ଦ୍ର ସଗରିଆଙ୍କୁ ନେଇ ପୁଣି ତେଜିଛି ବିବାଦ । ପୂର୍ବରୁ ବିଧାୟକ ପଦରୁ ଇସ୍ତଫା ଦେଇ ଦେଇଥିଲେ ସଗରିଆ । ତେବେ ଏଥର ତାଙ୍କୁ ଟିକେଟ ନମିଳିବା ନେଇ ଆଭାସ ପାଇଛନ୍ତି ସଗରିଆ। ସଗରିଆଙ୍କ ସଂପର୍କରେ ଶୃଙ୍ଖଳା କମିଟି ଆଲୋଚନା କରିଛି ଏବଂ ସେ ଆଚରଣ ପରିବର୍ତ୍ତନ କଲେ ଟିକେଟ୍ ର ସମ୍ଭାବନା ଅଛି ବୋଲି ନିରଞ୍ଜନ କହିଛନ୍ତି । ଜବାବରେ ସଗରିଆ କହିଛନ୍ତି କଂଗ୍ରେସ ନିରଞ୍ଜନ ପଟ୍ଟନାୟକଙ୍କ ସଂପତ୍ତି ନୁହେଁ। ମୋର ଟିକେଟ୍ ପାଇବା ନପାଇବା ନିଷ୍ପତ୍ତି ଏଆଇସିସି ନେବ।

ନିର୍ବାଚନ ପାଇଁ ଅଣ୍ଟା ଭିଡୁ ଭିଡୁ ନିରଞ୍ଜନଙ୍କ ଜଣଙ୍କ ପରେ ଜଣେ ସାଥୀ ବିରୋଧୀ ହେବାରେ ଲାଗିଛନ୍ତି । ଏଥିରେ ନିରଞ୍ଜନଙ୍କ ପାଇଁ ଟେନସନ ବଢ଼ିବାରେ ଲାଗିଛି।