୧୦ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ
28/02/2020 at 8:15 AM

ଲମତାପୁଟ ୨୮।୨: କୋରାପୁଟ ଜିଲ୍ଲା ଜଲାପୁଟରୁ ଶିମିଳିଗୁଡା ଚାଲାଣ ବେଳେ ମାଛକୁଣ୍ଡ ଲମତାପୁଟ ପୋଲିସ ହାତରେ ଧରାପଡିଛି । ୧ କ୍ବିଣ୍ଟାଲ ୭୩ କେ.ଜି. ଗଞ୍ଜେଇ । ଗଞ୍ଜେଇ ଚାଲାଣ ବେଳେ ବ୍ୟବହୃତ ହୋଇଥିବା ପିକଅପ ଜବତ କରିବା ସହ ଜଣକୁ ଗିରଫ କରିଛି ପୋଲିସ । ଗିରଫ ବ୍ୟକ୍ତି ହେଲେ ସାମୁଏଲ ଦୁସୁରା ବାରିକ । ତାଙ୍କ ଘର ପଟାଙ୍ଗୀ ବ୍ଲକ ପଣ୍ଡେଇ ଗାଁରେ । ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି ।

ସୂଚନାଯୋଗ୍ୟ ଯେ, ସଗର ଗ୍ରାମ ଛକ ନିକଟରେ ମାଛକୁଣ୍ଡ ଲମତାପୁଟ ପୋଲିସ ପେଟ୍ରୋଲିଂ କରି ଗାଡି ଯାଞ୍ଚ କରୁଥିବା ସମୟରେ ଜଲାପୁଟ ପଟୁ ଏକ ଦ୍ରୁତ ଗତିରେ ଆସୁଥିବା ମହିନ୍ଦ୍ରା ମେକ୍ସ ପିକଅପକୁ ଅଟକାଇଥିଲା ପୋଲିସ । ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ଜଣକୁ କାବୁ କରିବାରେ ପୋଲିସ ସଫଳ ହୋଇଥିଲା । ଭ୍ୟାନକୁ ଯାଞ୍ଚ କରିବା ବେଳେ ଏଥିରେ ବିପୁଳ ପରିମାଣର ଗଞ୍ଜେଇ ଥିବା ଜଣାପଡିଥିଲା ।

ପୋଲିସ ଗାଡି ଜବତ କରିବା ପରେ ଯୁବକକୁ ଗିରଫ କରି ଥାନାକୁ ଆଣିଛି । ଯୁବକକୁ ପଚରାଉଚରା ବେଳେ ସ୍ଥାନୀୟ ଯୁବକଙ୍କ ସପୃକ୍ତି ଥିବା ଜଣାପଡିଛି । ଗିରଫ ଯୁବକ ସାମୁଏଲକୁ ପଚରା ଉଚରା ପରେ ଆଜି କୋର୍ଟ ଚାଲାଣ କରିବ ପୋଲିସ ।