୩ଲକ୍ଷ ଟଙ୍କାର ଗଞ୍ଜେଇ ବୋଝେଇ ଗାଡି ଜବତ, ଜଣେ ଗିରଫ
20/02/2020 at 9:14 AM

ଲମତାପୁଟ ୨୦।୨: ମାଛକୁଣ୍ଡ ଓ ଲମତାପୁଟ ପୋଲିସର ମିଳିତ ପେଟ୍ରୋଲିଂ ବେଳେ ବିପୁଳ ପରିମାଣର ଗଞ୍ଜେଇ ବୋଝେଇ ମହିନ୍ଦ୍ରା ମେକ୍ସିମା ଗାଡି ଜବତ ହୋଇଥିବା ବେଳେ ଜଣକୁ ଗିରଫ କରାଯାଇଛି । ଗୁନେଇପଡା ମାକୀଡି ଛକ ନିକଟରେ ପୋଲିସ ଗାଡି ଯାଞ୍ଚ କରୁଥିବା ସମୟରେ ମହିନ୍ଦ୍ରା ମେକ୍ସିମାକୁ ଅଟକାଇ ପୋଲିସ ଯାଞ୍ଚ କରିଥିଲା । ଗାଡି ଯାଞ୍ଚ କରିବାରୁ ପ୍ରାୟ ୬୦କେ.ଜି. ଗଞ୍ଜେଇ ଥିବା ଜାଣିବାକୁ ପାଇଥିଲା ।
ଜବତ ଗଞ୍ଜେଇ ମାଛକୁଣ୍ଡ ଅଞ୍ଚଳରୁ ଜୟପୁର ଚୋରାରେ ଚାଲାଣ ହେଉଥିଲା । ଏହି ଗଞ୍ଜେଇର ମୂଲ୍ୟ ପ୍ରାୟ ୩ ଲକ୍ଷରୁ ଉର୍ଦ୍ଧ୍ବ ହେବ ବୋଲି ଅନୁମାନ କରିଛି ପୋଲିସ । ପୋଲିସ ଗାଡି ଯାଞ୍ଚ କରିବା ପରେ ଗାଡିରେ ଲାଗି ଥିବା ନମ୍ବରକୁ ଆଧାର କରି ଏହି ଗାଡି କାହାର ଏବଂ ଏହି ଗଞ୍ଜେଇ କାହା ପାଖକୁ ଚୋରା ଚାଲାଣ ହେଉଥିଲା ପୋଲିସ ଯାଞ୍ଚ କରୁଛି ।
ଅନ୍ୟପକ୍ଷରେ ଗିରଫ ଡ୍ରାଇଭର ରବି ପରଜା ବୌପାରିଗୁଡା ବ୍ଲକ ସୁକୁପଦର ଗ୍ରାମ ବୋଲି ପୋଲିସ ଜାଣିବାକୁ ପାଇଛି । ଅଟକ ଯୁବକକୁ ପୋଲିସ ପଚାରଉଚରା କରୁଛି । ଏଥିରେ ସ୍ଥାନୀୟ ଯୁବକଙ୍କ ସମପୃକ୍ତି ଥିବା ଜାଣିବାକୁ ପାଇଛି ପୋଲିସ । ପୋଲିସ ସୂଚନା ଅନୁଯାଇ ସମ୍ପୃକ୍ତ ଯୁବକଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ ସୂଚନା ଦେଇଛି ।