ନାମଯଜ୍ଞ ବେଳେ ଗୁଳିମାଡ଼ ଘଟଣାରେ ୩ ଅଭିଯୁକ୍ତ ଗିରଫ, ବନ୍ଧୁକ ଓ ଗୁଳି ଜବତ

Published By : Prameya-News7 Bureau | April 20, 2024 IST

ବୌଦ୍ଧ ୨୦।୪: ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ପିପଲପାଲି ଗ୍ରାମରେ ନାମଯଜ୍ଞ ବେଳେ ଗୁଳିମାଡ଼ ଘଟଣାରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି କଣ୍ଟାମାଳ ପୋଲିସ । ଗୁଳିମାଡରେ ବ୍ୟବହୃତ ଗୋଟିଏ ପିସ୍ତଲ ଓ ଗୁଳି ଜବତ କରିଛି ପୋଲିସ । ଗିରଫ ଅଭିଯୁକ୍ତ ବଳବନ୍ତ ନାଏକ, କନକ ସିଂ ମାଝୀ ଓ ଜୟ ପ୍ରକାଶ ସାମନ୍ତରା । 

ସୂଚନାଯୋଗ୍ୟ ଯେ, ଗତ ୧୭ ତାରିଖ ରାତିରେ ପିପଲପାଲି ଗ୍ରାମରେ ରାମ ନବମୀ ଉପଲକ୍ଷେ ନାମଯଜ୍ଞ ଚାଲିଥିବା ବେଳେ ସାନ ମନମୁଣ୍ଡା ଗ୍ରାମର ବିଶ୍ଵାମିତ୍ର ଜାନୀଙ୍କୁ ଗୁଳିମାରି ଫେରାର ମାରିଥିଲେ ଦୁର୍ବୃତ୍ତ । ତେବେ ବିଶ୍ଵାମିତ୍ରଙ୍କ ଛାତି ନିକଟରେ ଗୁଳି ବାଜିଥିବା ବେଳେ ତାଙ୍କୁ ପ୍ରଥମେ ଗ୍ରାମବାସୀ ଉଦ୍ଧାର କରି କଣ୍ଟାମାଳ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ଏବଂ ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ତେବେ ସେଠାରେ ମଧ୍ୟ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ରାୟପୁରରେ ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ଏବଂ ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି । 

ତେବେ ଗୁଳି ଚଳାଇବା ପରେ ଘଟଣାସ୍ଥଳରୁ ଦୁର୍ବୃତ୍ତ ମାନେ ଫେରାର ମାରୁଥିବା ସମୟରେ ସାନ ମନମୁଣ୍ଡା ଗ୍ରାମର ବଳବନ୍ତ ନାଏକଙ୍କୁ ଗ୍ରାମବାସୀ କାବୁକରି କଣ୍ଟାମାଳ ପୋଲିସର ଜିମା ଦେଇଥିଲେ । ପୋଲିସ ଉକ୍ତ ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଥିବା ବେଳେ ସମସ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି କଣ୍ଟାମାଳ ପୋଲିସ । ତେବେ ବିଶ୍ଵାମିତ୍ର ଜାନୀଙ୍କ ସହିତ ପୂର୍ବ ଶତ୍ରୁତାକୁ ନେଇ ଜନୈକ ବ୍ୟକ୍ତି ଏହି ଅଭିଯୁକ୍ତଙ୍କୁ ସୁପାରି କିଲର ଭାବେ ବ୍ୟବହାର କରିଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡିଥିବା ବେଳେ ଅଭିଯୁକ୍ତଙ୍କୁ ଗିରଫ କରି ସେ ଦିଗରେ ମଧ୍ୟ କଣ୍ଟାମାଳ ପୋଲିସ ତଦନ୍ତ ଆରମ୍ଭ କରିଛି ।

You Can Read :

ରାଉରକେଲାରେ ମାଓ କ୍ୟାମ୍ପ ଧ୍ବଂସ, ଛତ୍ରଭଙ୍ଗ ଦେଲେ ମାଓବାଦୀ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.