ଦିନେ ସେ ଥିଲା ମୋଷ୍ଟ ୱାଣ୍ଟେଡ ଅପରାଧି, ଆଜି ଫିଲ୍ମ ଅଭିନେତା: ୬୫ ବର୍ଷ ପରେ ଗିରଫ କଲା ପୁଲିସ

Published By : Prameya-News7 Bureau | August 07, 2022 IST

ନୂଆଦିଲ୍ଲୀ: ୬୫ ବର୍ଷୀୟ ଅଭିନେତା ଓମପ୍ରକାଶ ଓରଫ ପାଶା ନିଜ ଅପକମିଂ ହିନ୍ଦୀ ଫିଲ୍ମ ପାଇଁ ପ୍ରସ୍ତୁତି ଚଳାଇଥିଲେ। ସେ ଘରେ ଥିବା ବେଳେ ହଠାତ୍ ପୁଲିସ ଆସି କବାଟ ଠକ୍ ଠକ୍ କଲା। ଆଉ ପାସା କବାଟ ଖୋଲିବା ମାତ୍ରେ ହଠାତ୍ ତାଙ୍କୁ ଗିରଫ କରିଥିଲା ପୁଲିସ। କିଛି ସମୟ ପୂର୍ବରୁ ସବୁକିଛି ସାଧାରଣ ଥିଲା। ହେଲେ ହଠାତ୍ ୬୫ ବର୍ଷୀୟ ପାସାକୁ ହରିୟାଣାରୁ ଆସି କାହିଁକି ଗିରଫ କଲା ପୁଲିସ? ଏହା ସିନେମାର ଦୃଶ୍ୟ ଥିଲା ନା ସତ ଘଟଣା ଆଗକୁ ପଢ଼ନ୍ତୁ।

ଆଜିର ଅଭିନେତା ସାଜିଥିବା ୬୫ ବର୍ଷୀୟ ଓମପ୍ରକାଶ ଦିନେ ଥିଲା ହରିୟାଣା ପୁଲିସର ମୋଷ୍ଟ ୱାଣ୍ଟେଡ୍ ଅପରାଧି। ଓମପ୍ରକାଶ ଓରଫ ପାସା ଭାରତୀୟ ସେନାରେ ଚାକିରି ସିନା କରିଥିଲା ହେଲେ କାମ ତାର ଥିଲା ସୈତାନର। ହତ୍ୟା ଓ ଲୁଣ୍ଠନ ଅଭିଯୋଗରେ ଗତ ୩୦ ବର୍ଷ ହେଲା ପାସାକୁ ଖୋଜୁଥିଲା ପୁଲିସ୍। ଆଉ ସବୁଥର ଚକମା ଦେଖାଇ ସେ ପୁଲିସ ହାବୁଡ଼ରୁ ଖସିଯାଉଥିଲା।

ହତ୍ୟାକାଣ୍ଡ ଘଟାଇବା ପରେ ସେ ଉତ୍ତର ପ୍ରଦେଶ ଚାଲିଆସି ନୂଆ ଜୀବନ ଆରମ୍ଭ କରିଥିଲା। ଏଇଠି ଜଣେ ସ୍ଥାନୀୟ ମହିଳାଙ୍କୁ ବିବାହ କରି ୧୫ ବର୍ଷ ହେଲା ଖୁସୀରେ ରହୁଥିଲା। ପାସାର ୩ ପିଲାପିଲି ବି ଅଛନ୍ତି। ଉତ୍ତର ପ୍ରଦେଶ ଗାଜିଆବାଦରେ ଏକ ବସ୍ତିରେ ରହୁଥିବା ପାସା ୨୮ ଟି ଫିଲ୍ମରେ ଅଭିନୟ କରିସାରିଛି। ସେ ଅଭିନୟ କରିଥିବା ଚରିତ୍ର ମଧ୍ୟରୁ କନଷ୍ଟେବଲ୍‌ର ଚରିତ୍ରଟି ଖୁବ୍ ଲୋକପ୍ରିୟ ହୋଇଥିଲା। ପ୍ରଥମେ ହତ୍ୟାକାରୀ ପରେ ଅଭିନେତା ସାଜିଥିବା ଓମପ୍ରକାଶକୁ ଗରିଫ କରି ଚୋର ପୁଲିସର ଲୁଚକାଳି ଖେଳରେ ଜବନିକା ଟାଣିଛି ହରିୟାଣା ପୁଲିସ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଓମପ୍ରକାଶ ସେନାରେ ଚାକିରି କରିବା ପୂର୍ବରୁ ଲୁଣ୍ଠନ ଓ ଚୋରି ଭଳି କାମରେ ଲିପ୍ତ ରହୁଥିଲା। ୮୦ ଦଶକରେ ସେ ଏମିତି କାଣ୍ଡ ଘଟାଉଥିଲା ଯେ ପୁଲିସ ନାକେଦମ ହୋଇଯାଇଥିଲା। ସେ ଅନେକ ସମୟରେ କାର ଓ ବାଇକ୍‌ ଚୋରି କରୁଥିଲା। ତେବେ ଏହି ମାମଲାରେ ଥରେ ସେ ଗିରଫ ହୋଇ ଜେଲ୍ ସଜା କାଟିଥିଲା। ଆଉ ସେଠାରୁ ଫେରି ସେ ଭାରତୀୟ ସେନାରେ ଯୋଗ ଦେଇଥିଲା। କିନ୍ତୁ ୧୨ ବର୍ଷ ଚାକିରି କରିସାରିବା ପରେ ବାରମ୍ବାର ଡ୍ୟିଟୁରେ ଅନୁପସ୍ଥିତା ଯୋଗୁ ଓମ ପ୍ରକାଶକୁ ୧୯୮୮ରେ ସେନାରୁ ନିଲମ୍ବିତ କରାଯାଇଥିଲା।

ଖବର ଅନୁସାରେ, ୧୯୯୨ ସମିହାରେ ଓମପ୍ରକାଶ ଓ ତାର ସହଯୋଗୀ ହରିୟାଣାର ଭବାନୀରେ ଡକାୟତି କରିବା ସମୟରେ ଜଣେ ମଟରସାଇକେଲ୍‌ ମାଲିକଙ୍କୁ ଛୁରି ଭୁସି ହତ୍ୟା କରିଥିଲେ। ଏହି ହତ୍ୟା ପରେ ସେ ପୁଲିସ ରାଡାରୁ ଫେରାର୍ ହୋଇଯାଇ ଉତ୍ତର ପ୍ରଦେଶ ଚାଲିଆସି ନୂଆ ଜୀବନ ଆରମ୍ଭ କରିଥିଲା। ହତ୍ୟା ଓ ଲୁଣ୍ଠନ ଭଳି ପାପ କାର୍ଯ୍ୟ କରିଥିବା ଓମପ୍ରକାଶ ଉତ୍ତର ପ୍ରଦେଶ ଆସି ଅଭିନେତା ସାଜିଥିଲା। ସେ ପାଖାପାଖି ୨୮ଟି ସ୍ଥାନୀୟ ଫିଲ୍ମରେ ଅଭିନୟ କରିସାରିଥିବା ପୁଲିସ ସୂଚନା ଦେଇଛି।

ତେବେ ହତ୍ୟାକାଣ୍ଡ ପରେ ହରିୟାଣା ପୁଲିସ ଓମପ୍ରକାଶକୁ ଖୋଜିବା ଆରମ୍ଭ କରିଦେଇଥିଲା। ତାକୁ ମୋଷ୍ଟ ୱାଣ୍ଟେଡ୍ ତାଲିକାରେ ମଧ୍ୟ ରଖାଯାଇଥିଲା। କେବଳେ ସେତିକି ନୁହେଁ, ଓମପ୍ରକାଶ ବିଷୟରେ ସୂଚନା ଦେଲେ ୨୫ ହଜାର ଟଙ୍କା ପୁରସ୍କାର ମିଳିବ ବୋଲି ପୁଲିସ ଘୋଷଣା କରିଥିଲା। ତେବେ ଚୋରକୁ ସବୁବେଳେ ଅନ୍ଧାର ରାତି ଆସେନି। ଓମପ୍ରକାଶ ବାରମ୍ବାର ଅପରାଧ କରି ଖସିଯାଉଥିଲେ ବି ତାର ସମସ୍ତ ଡକ୍ୟୁମେଣ୍ଟରେ ସେ ଦେଇଥିବା ତଥ୍ୟ ତାକୁ ଧରାଇ ଦେଇଥିଲା।

ଓମପ୍ରକାଶ ତାର ସମସ୍ତ ନୂଆ ଡକ୍ୟୁମେଣ୍ଟରେ ତାର ନିଜର ପ୍ରକୃତ ନାମ ଓ ପିତାଙ୍କ ନାମ ଉଲ୍ଲେଖ କରିଥିଲା। ପାଖାପାଖି ଦୁଇ ମାସ ପୂର୍ବରୁ ଓମପ୍ରକାଶ ତାଙ୍କ ଭାଇଙ୍କୁ ହ୍ୱାଟ୍ସଆପ୍‌ କଲ୍ କରିଥିଲେ। ଆଉ ପୁଲିସ୍ ଏହି ନମ୍ବରକୁ ଟ୍ରାକ୍ କରି ଶେଷରେ ଅପରାଧିରୁ ଅଭିନେତା ସାଜିଥିବା ଓମପ୍ରକାଶକୁ ଉତ୍ତର ପ୍ରଦେଶର ଗାଜିଆବାଦରୁ ଧରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.