NEET ଓ ସରକାରୀ ପରୀକ୍ଷା ଛାଡନ୍ତୁ ଥରେ ଦେଶର ବଜେଟ ବି ହୋଇଥିଲା ଲିକ୍

Published By : Prameya-News7 Bureau | July 09, 2024 IST

ନୂଆଦିଲ୍ଲୀ ୯।୭:  ସାରା ଦେଶରେ ଏବେ ପେପର ଲିକ୍‌ କୁ ନେଇ ଚର୍ଚ୍ଚା ଜୋର ଧରିଛି।  ତେବେ ଜାଣନ୍ତି କି ଥରେ ଦେଶର ବଜେଟ୍ ବି ଲିକ୍ ହୋଇଯାଇଥିଲା। ରିପୋର୍ଟ ଅନୁସାରେ ୧୯୫୦ ମସିହାରେ ସଂସଦରେ ଉପସ୍ଥାପନ ପୂର୍ବରୁ ଦେଶର ବଜେଟ ଲିକ୍ ହୋଇଯାଇଥିଲା। ସେତେବେଳେ ଏହି ଘଟଣାକୁ ନେଇ ସାରା ଦେଶରେ ହଙ୍ଗାମା ହୋଇଥିଲା। ଏହି କାରଣରୁ ତତ୍କାଳୀନ ଅର୍ଥମନ୍ତ୍ରୀ ଜନ ମଥାଇଙ୍କୁ ହଟାଇ ଦିଆଯାଇଥିଲା। ଏହି ଘଟଣା ପରେ ବଜେଟର ମୁଦ୍ରଣ ସ୍ଥାନ ମଧ୍ୟ ବଦଳାଇ ଦିଆଯାଇଥିଲା। 

ଉଲ୍ଲେଖଯୋଗ୍ୟ ଯେ ୧୯୫୦ ମସିହା ପର୍ଯ୍ୟନ୍ତ ବଜେଟର ମୁଦ୍ରଣ ରାଷ୍ଟ୍ରପତି ଭବନରେ ହେଉଥିଲା। କିନ୍ତୁ ଯେତେବେଳେ ବଜେଟ ଲିକ୍ ହେଲା ସେତେବେଳେ ବଜେଟକୁ ନୂଆଦିଲ୍ଲୀ ମିଣ୍ଟୋ ରୋଡ ସ୍ଥିତ ଛପାଖାନାରେ ଛାପିବାକୁ ନିଷ୍ପତ୍ତି ନିଆଗଲା। ସେଠାରେ ୧୯୭୯ ପର୍ଯ୍ୟନ୍ତ ବଜେଟ୍ ମୁଦ୍ରଣ ହେଉଥିଲା ତେବେ ୧୯୮୦ ମସିହାରୁ ବଜେଟ୍ ନର୍ଥ ବ୍ଲକ୍ ବେସମେଣ୍ଟରେ ଥିବା ପ୍ରିଣ୍ଟିଂ ପ୍ରେସରେ ଛପା ହେଉଛି। ଆଜିବି ବଜେଟ୍ ସେହିଠାରେ ମୁଦ୍ରିତ ହେଉଛି। 

ବଜେଟ ପୂର୍ବରୁ ଅର୍ଥମନ୍ତ୍ରାଳୟରେ ହାଲୱା ସେରିମନି ଅନୁଷ୍ଠିତ ହୋଇଥାଏ। ଏହି ସେରିମନି ପରେ ନର୍ଥ ବ୍ଲକ ବେସମେଣ୍ଟ ଅର୍ଥାତ ଯେଉଁଠି ପ୍ରିଣ୍ଟିଂ ମେସିନ ଅଛି ସେଠାରେ ଅର୍ଥମନ୍ତ୍ରାଳୟ ଓ ବଜେଟ୍ ସମ୍ପର୍କିତ ୧୦୦ କର୍ମଚାରୀ ଅଟକ ହୁଅନ୍ତି। ସେତେବେଳେ କର୍ମଚାରୀମାନେ କଡ଼ା ସୁରକ୍ଷା ବଳୟରେ ରହନ୍ତି। ଯେତେବେଳେ ଅର୍ଥମନ୍ତ୍ରୀ ସଂସଦରେ ବଜେଟ୍ ଉପସ୍ଥାପନ କରନ୍ତି ସେତେବେଳେ କର୍ମଚାରୀ ବେସମେଣ୍ଟରୁ ମୁକ୍ତ ହୋଇ ନିଜନିଜ ଘରକୁ ଫେରନ୍ତି। 

ଏହା ଏଥି ପାଇଁ କରାଯାଏ ଯେ ଦେଶର ବଜେଟ୍ ଯେପରି ଲିକ୍ ନ ହୁଏ। ତେବେ ଆଧୁନିକତାରେ ଏବେ ସବୁକିଛି ବଦଳିବାରେ ଲାଗିଛି। ବଜେଟ୍ ବ୍ରିଫ କେସରୁ ନାଲି ବ୍ୟାଗକୁ ଆସିସାରିଲାଣି ଓ ଏବେ ବଜେଟ୍ କାଗଜରେ ପଢିବା ବଦଳେ ମେଡ ଇନ ଇଣ୍ଡିଆ ଟାବଲେଟରେ ପଢା ହେଉଛି। ଏଥିରୁ ଜଣାପଡୁଛି ଡକ୍ୟୁମେଣ୍ଟ ଲିକ୍‌ ଆମ ଦେଶରେ କିଛି ନୂଆ କଥା ନୁହେଁ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.