ପୁଣି ଥରେ ହୋଷ୍ଟେଲରୁ ମିଳିଲା ଦ୍ଵାଦଶ ଶ୍ରେଣୀ ଛାତ୍ରୀର ମୃତଦେହ, ମୁହଁ ଖୋଲୁ ନାହାନ୍ତି ସ୍କୁଲ କର୍ତ୍ତୃପକ୍ଷ

Published By : Prameya-News7 Bureau | July 25, 2022 IST

ଚେନ୍ନାଇ: ପୁଣି ଥରେ ତାମିଲନାଡୁର  ଏକ ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ସ୍କୁଲର ହୋଷ୍ଟେଲରୁ ଜଣେ ଦ୍ଵାଦଶ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ ମିଳିଛି।  ରାଜ୍ୟର ତିରୁଭଲ୍ଲାପୁର ଜିଲ୍ଲାର କିଲାଚେରୀରେ ଅବସ୍ଥିତ ଏହି ସ୍କୁଲରୁ ଆଜି ସକାଳେ ଛାତ୍ରୀଙ୍କ ମୃତଦେହ ମିଳିଛି। ଘଟଣାରେ ସ୍କୁଲ କର୍ତ୍ତୃପକ୍ଷ ମୁହଁ ଖୋଲୁ ନାହାନ୍ତି।  କିଛି ସପ୍ତାହ ପୂର୍ବେ କଲ୍ଲାକୁରିଚି ସ୍କୁଲରୁ ମଧ୍ୟ ଜଣେ ଛାତ୍ରୀଙ୍କ ମୃତଦେହ ମିଳିଥିଲା। ଏହାକୁ ନେଇ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା।

ସୂଚନା ଅନୁଯାୟୀ, ତିରୁତାନୀ ବାସିନ୍ଦା ୧୭ ବର୍ଷୀୟ ଏହି ଛାତ୍ରୀ ହୋଷ୍ଟେଲରେ ରହି ପଢୁଥିଲେ। ସ୍କୁଲ କର୍ତ୍ତୃପକ୍ଷ ହୋଷ୍ଟେଲରେ ଛାତ୍ରୀଙ୍କୁ ଅଚେତ୍ ଅବସ୍ଥାରେ ଦେଖିବାକୁ ପାଇଥିଲେ। ପୋଲିସକୁ ତୁରନ୍ତ ସୂଚନା ଦେଇ ନିକଟସ୍ଥ ହସ୍ପିଟାଲ୍ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ଛାତ୍ରୀଙ୍କୁ ମୃତ ଘୋଷଣା କରିଥିଲେ। ଶବ ବ୍ୟବଚ୍ଛେଦ ପାଇଁ ଛାତ୍ରୀଙ୍କ ମୃତଦେହକୁ ଥିରୁଭାଲ୍ଲୁର ସରକାରୀ ମେଡିକାଲ୍ କଲେଜ୍ ହସ୍ପିଟାଲରେ ରଖାଯାଇଛି।

ଝିଅର ମୃତ୍ୟୁ ଖବର ଶୁଣିବା ପରେ ପରିବାର ଲୋକ ଏବଂ ସଂପର୍କୀୟ ତିରୁତାନୀ-ପୋଥାଟୁରପେଟ୍ଟାଇ ରାସ୍ତା ଅବରୋଧ କରିଛନ୍ତି। ପରିବାର ଲୋକେ ଅଭିଯୋଗ କରିଛନ୍ତି, ସ୍କୁଲ କର୍ତ୍ତୃପକ୍ଷ ଝିଅର ମୃତ୍ୟୁ ବିଷୟରେ ସବିଶେଷ ତଥ୍ୟ ଦେଉ ନାହାନ୍ତି। ଝିଅର ମୃତ୍ୟୁ କେମିତି ଘଟିଲା କିଛି କହୁ ନାହାନ୍ତି।

କୌଣସି ଅପ୍ରୀତିକର ପରିସ୍ଥିତିକୁ ଦୃଷ୍ଟିରେ ରଖି ମାପ୍ପେଡୁ ଥାନା ଏବଂ ସ୍କୁଲ ନିକଟରେ ବ୍ୟାପକ ସଂଖ୍ୟାରେ ପୋଲିସ ବଳ ମୁତୟନ କରାଯାଇଛି। ଅଧିକ ତଦନ୍ତ ପାଇଁ ତିରୁଭଲ୍ଲାପୁର ଏସପି କେପହାସ କଲ୍ୟାଣ ଏବଂ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.