ଫେବୃଆରୀ ୧୫ରୁ ପୁଣି ପନ୍ଦର ଦିନ ଲାଗି ମାଗଣାରେ ମିଳିବ Fastag
13/02/2020 at 4:57 PM

ନୂଆଦିଲ୍ଲୀ ୧୩।୨: ଜାତୀୟ ରାଜମାର୍ଗ ପ୍ରାଧିକରଣ (ଏନଏଚଏଆଇ) ଦେଶର ଟୋଲ ପ୍ଲାଜାମାନଙ୍କରେ ପୁଣି ୧୫ ଦିନ ନିମନ୍ତେ ଫାସ୍ଟ୍ୟାଗ୍ ପାଇଁ ଆଦାୟ କରୁଥିବା ୧୦୦ ଟଙ୍କା ଛାଡ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ସୁବିଧା ଫେବୃଆରୀ ୧୫ରୁ ୨୯ ତାରିଖ ମଧ୍ୟରେ ଉପଲବ୍ଧ ହେବ। ଜାତୀୟ ରାଜମାର୍ଗ ବ୍ୟବହାର କରୁଥିବା ଲୋକେ ସେମାନଙ୍କ ବାହନର ପଞ୍ଜିକରଣ ପ୍ରମାଣପତ୍ର ଦେଖାଇ ମାଗଣାରେ ଫାସଟ୍ୟାଗ୍ ପ୍ରାପ୍ତ କରିପାରିବେ।

ଏହା ପୂର୍ବରି ଏନଏଚଏଆଇ ନଭେମ୍ବର ୨୨ରୁ ଡିସେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଫାସଟ୍ୟାଗ୍ ମାଗଣାରେ ଦେଇଥିଲେ। ତେବେ ଫାସଟ୍ୟାଗ୍ ଲାଗି ନିର୍ଦ୍ଧାରିତ ଜମା ରାଶି ଓ ୱାଲେଟ୍ରେ ନ୍ୟୁତମ ଶେଷ ରାଶିର ନିୟମରେ କୌଣସି ପରିବର୍ତ୍ତନ କରିନାହାନ୍ତି। ଫାସଟ୍ୟାଗ୍ ଏନଏଚ୍ଏଆଇଙ୍କ ସମସ୍ତ ଟୋଲ ପ୍ଲାଜା, ଆରଟିଓ, କମନ ଫାସେଲିଟି ସେଣ୍ଟର, ପରିବହନ କେନ୍ଦ୍ର ଓ ପେଟ୍ରୋଲ ପମ୍ପ ଆଦିରୁ ମଧ୍ୟ ସଂଗ୍ରହ କରାଯାଇପାରିବ।

ଏନଏଚଏଆଇଙ୍କ ନିକଟତମ ଫାସଟ୍ୟାଗ୍ ବିକ୍ରି କେନ୍ଦ୍ର ଖୋଜିବା ଲାଗି ମାଇଁ ଫାସଟ୍ୟାଗ୍ ଆପ ଡାଉନଲୋଡ କରି ଏଥିରୁ ଜାଣିପାରିବେ ଅଥବା www.ihmcl.com ବା ହେଲ୍ପ ଲାଇନ ନମ୍ବର ୧୦୩୩ ଡାୟଲ କରି ନିକଟତମ ଫାସଟ୍ୟାଗ୍ ବିକ୍ରୟ କେନ୍ଦ୍ରର ସୂଚନା ପାଇପାରିବେ।