ଦେବଗଡ଼: ଦେବଗଡ଼ ପୌର ପରିଷଦ ସମ୍ମୁଖରେ ଦୂର୍ନୀତି ବିରୋଧରେ କାଉନସିଲରଙ୍କ ଆମରଣ ଅନଶନ ରବିବାର ୧୪ ଦିନରେ ପହଞ୍ଚିଛି । ରବିବାର ଅନଶନରତ କାଉନସିଲରଙ୍କ ସହ ଆଲୋଚନା ପାଇଁ ଏକ ସ୍ଵତନ୍ତ୍ର ବିଜେପି ବିଧାୟକ ଦଳ ପହଞ୍ଚିଥିଲେ। ବିଜେପି ମୁଖ୍ୟ ସଚେତକ ମୋହନ ମାଝୀଙ୍କ ନେତୃତ୍ଵରେ ବିଧାୟକ ନାଉରୀ ନାଏକ ଓ ସୁବାସ ଚନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ଅନଶନରତ କାଉନସିଲରଙ୍କ ସହ ଆଲୋଚନା ପାଇଁ ପହଞ୍ଚିଥିଲେ।
ବିଜେପି ବିଧାୟକ ମାନେ କାଉନସିଲରମାନଙ୍କୁ ନୈତିକ ସମର୍ଥନ କରିବା ସହ ଏହି ଘଟଣାରେ ନଗର ଉନ୍ନୟନ ବିଭାଗର ସଚିବ ଓ ନିର୍ଦ୍ଦେଶକଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ବିଜେପିର ସ୍ଵତନ୍ତ୍ର ବିଧାୟକ ଦଳ ଅନଶନରତ କାଉନସିଲରୃଙ୍କ ସହ ଆଲୋଚନା ପୂର୍ବରୁ ସ୍ଥାନୀୟ ସର୍କିଟ ହାଉସ୍ରେ ଦେବଗଡ ଜିଲ୍ଲାପାଳ ଙ୍କ ସହ ଆଲୋଚନା କରିଥିଲେ। ଦେବଗଡ ପୌର ପରିଷଦ ରେ ହୋଇଥିବା ଦୂର୍ନୀତି ଉପରେ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ବିଧାୟକ ଦଳ ଜିଲ୍ଲାପାଳଙ୍କ ଠାରେ ଦାବି କରିଛନ୍ତି। ଦେବଗଡ ପୌର ପରିଷଦ ରେ ବିଭିନ୍ନ ଦୂର୍ନୀତିର ତଦନ୍ତ ଦାବୀ କରି ଜୁଲାଇ ୨୫ ତାରିଖରୁ ସାତ ଜଣ କାଉନସିଲର ଆମରଣ ଅନଶନରେ ବସିଛନ୍ତି ।