୨୦ ବର୍ଷ ପରେ ଅନ୍ନ ଗ୍ରହଣ କଲେ କୈଳାଶ ବିଜୟବର୍ଗୀ, ଇନ୍ଦୋରର ଉନ୍ନତି ପାଇଁ ନେଇଥିଲେ ଦୃଢ ସଂକଳ୍ପ
2/03/2020 at 5:40 PM

ଇନ୍ଦୋର ୦୨। ମାର୍ଚ୍ଚ- ନିଜର ଶାଣିତ ବୟାନ ଏବଂ କଡା ଆଭିମୁଖ୍ୟ ପାଇଁ ପ୍ରସିଦ୍ଧ ବିଜେପିର ରାଷ୍ଟ୍ରୀୟ ମହାସଚିବ କୈଳାଶ ବିଜୟବର୍ଗୀ ୨୦ ବର୍ଷ ପରେ ଅନ୍ନ ଗ୍ରହଣ କରିଛନ୍ତି। ଅର୍ଥାତ ଗତ ୨୦ ବର୍ଷ ହେବ ଅନ୍ନ ତାଙ୍କ ଭୋଜନର ଅଂଶ ନଥିଲା। ମାତ୍ର କୁହାଯାଉଛି ଯେ, ସେ ଏହି ଅଦ୍ଭୁତ ଧରଣର ଦୃଢ ସଂକଳ୍ପ ଇନ୍ଦୋର ବିକାଶ ପାଇଁ ନେଇଥିଲେ।
ବାସ୍ତବରେ କୈଳାଶ ବିଜୟବର୍ଗୀ ୨୦୦୦ରେ ଯେବେ ଇନ୍ଦୋରର ମେୟର ଭାବେ ନିର୍ବାଚିତ ହେଲେ ସେହି ସମୟରେ ତାଙ୍କୁ କେହି ଜଣେ ମହାତ୍ମା କହିଥିଲେ, ସହରଟି ପିତୃ ଦୋଷରେ ଗ୍ରସ୍ତ ଅଛି। ତେଣୁ ଏହି କାରଣରୁ ଇନ୍ଦୋର ସହରର ଆଶାନୁରୂପ ବିକାଶ ହୋଇ ପାରୁନାହିଁ। ଏହାର ଉପାୟ ରୂପେ ଉକ୍ତ ମହାତ୍ମା ଇନ୍ଦୋରର ପିତୃ ପର୍ବତରେ ଯଦି ଭଗବାନ ଶ୍ରୀହନୁମାନଙ୍କ ପ୍ରତୀମା ସ୍ଥାପନ କରାଯାଏ ତେବେ ଏହି ଦୋଷ ଦୂର ହୋଇପାରିବ ବୋଲି ବିଜୟବର୍ଗୀଙ୍କୁ କହିଥିଲେ।

ଇନ୍ଦୋରର ବିକାଶ ପାଇଁ ନେଇଥିଲେ ସଂକଳ୍ପ
କୈଳାଶ ବିଜୟବର୍ଗୀ ନିଜର ଜନ୍ମସ୍ଥାନ ଇନ୍ଦୋରର ଉନ୍ନତି ପାଇଁ ସଂକଳ୍ପ ନେଇଥିଲେ, ଯେ ପର୍ଯ୍ୟନ୍ତ ସେ ପିତୃ ପର୍ବତରେ ବିଶ୍ଵର ସବୁଠୁ ଉଚ୍ଚ ଅଷ୍ଟଧାତୁର ପ୍ରତୀମା ସ୍ଥାପନ କରି ନାହାନ୍ତି ସେ ପର୍ଯ୍ୟନ୍ତ ଅନ୍ନ ଗ୍ରହଣ କରିବେ ନାହିଁ। ଏବେ ୨୦ ବର୍ଷ ପରେ ଯାଇ ତାଙ୍କର ଏହି ସଂକଳ୍ପ ପୂରା ହୋଇଛି। ଇନ୍ଦୋରର ପିତୃ ପର୍ବତରେ ୭୨ ଫୁଟ ଉଚ୍ଚ, ୧୦୮ ଟନ ଓଜନର ଅଷ୍ଟଧାତୁର ହନୁମାନ ଜୀଙ୍କ ପ୍ରତୀମା ସ୍ଥାପନ କରି ତାର ପ୍ରାଣ ପ୍ରତିଷ୍ଠା କରିଛନ୍ତି। ଏହି ପ୍ରତୀମା ନିର୍ମାଣରେ ପ୍ରାୟ ୧୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି।
ହନୁମାନଜୀଙ୍କ ପ୍ରାଣ ପ୍ରତିଷ୍ଠା ସହିତ ମହାମଣ୍ଡଳେଶ୍ଵର ଜୂନା ଅଖାଡେର ପୀଠାଧିଶ୍ଵର ଅବଧେଶାନନ୍ଦ ଗିରି ଜୀ ମହାରାଜ, ସନ୍ଥ ମୂରାରୀ ବାପୁ ଓ ବୃନ୍ଦାବନରୁ ମହାମଣ୍ଡଳେଶ୍ଵର ଗୁରୁଶରଣାନନ୍ଦଜୀଙ୍କ ଉପସ୍ଥିତିରେ କୈଳାଶ ବିଜୟବର୍ଗୀ ୨୦ ବର୍ଷ ପରେ ସଂକଳ୍ପ ପୂରଣ ହେବା ପରେ ଅନ୍ନ ଗ୍ରହଣ କରିଛନ୍ତି।
ପିତୃ ପର୍ବତରେ ଲଗାଇଛନ୍ତି ୧ କୋଟି ଗଛ
ଏହି ୨୦ ବର୍ଷରେ ତାଙ୍କର ଏହି ସଂକଳ୍ପ ସମୟରେ ତାଙ୍କର ପତ୍ନୀ ଆଶା ବିଜୟବର୍ଗୀ ପୂରା ସହଯୋଗ କରିଥିଲେ ଏବଂ ବିଜୟବର୍ଗୀଙ୍କୁ ଫଳମୂଳ ଖାଇବାକୁ ଦେଉଥିଲେ। କେବଳ ଏତିକି ନୁହେଁ ଏହି ୨୦ ବର୍ଷରେ କୈଳାଶ ବିଜୟବର୍ଗୀ ଲୋକଙ୍କୁ ପିତୃ ପର୍ବତରେ ବୃକ୍ଷରୋପଣ କରିବାକୁ ଆହ୍ଵାନ କରିଥିଲେ। ଏହି ପରି ଦୁଇ ଦଶନ୍ଧିରେ ପିତୃ ପର୍ବତରେ ଏକ ଲକ୍ଷ ବୃକ୍ଷରୋପଣ କରାଯାଇଛି।