ଖଦି ଦୁର୍ନୀତି ଅଭିଯୋଗରେ ଉପରାଜ୍ୟପାଳଙ୍କ ମାନହାନୀ ନୋଟିସ୍କୁ ଚିରିଦେଲେ ଆପ୍ ସାଂସଦ ସଞ୍ଜୟ ସିଂହ
7/09/2022 at 4:32 PM

ନୂଆଦିଲ୍ଲୀ: ଦିଲ୍ଲୀରେ ଆପ୍ ସରକାର ଓ ଉପରାଜ୍ୟପାଳଙ୍କ ମଧ୍ୟରେ ରାଜନୈତିକ ଯୁଦ୍ଧ ଜାରି ରହିଛି। ଆଜି(୭ ସେପ୍ଟମ୍ବର) ଖଦି ଦୁର୍ନୀତି ଅଭିଯୋଗରେ ଦିଲ୍ଲୀ ଉପରାଜ୍ୟପାଳ ଭିକେ ସକ୍ସେନା ପଠାଇଥିବା ମାନହାନୀ ନୋଟିସ୍କୁ ଚିରି ଦେଇଛନ୍ତି ଆପ୍ ସାଂସଦ ସଞ୍ଜୟ ସିଂହ। ସାମ୍ବାଦିକ ସମ୍ମିଳନୀରେ ନୋଟିସ୍ ଚିରିବା ସହ ଉପରାଜ୍ୟାପଳଙ୍କୁ କଡ଼ା ସମାଲୋଚନା କରିଛନ୍ତି। ରାଜ୍ୟପାଳଙ୍କ ବହିସ୍କାର ଆମେ ଦାବି କରୁଛୁ ବୋଲି ସଂଞ୍ଜୟ ସିଂହ କହିଛନ୍ତି।
ସେ କହିଛନ୍ତି “ରାଜ୍ୟସଭାର ସଦସ୍ୟ ହିସାବରେ ସତ କହିବାର ମୋର ସମ୍ପୂର୍ଣ୍ଣ ଅଧିକାର ରହିଛି। ଜଣେ ଚୋର, ଓ ଦୁର୍ନୀତିଗ୍ରସ୍ତ ଲୋକ ଦ୍ୱାରା ପଠାଯାଇଥିବା ଲିଗାଲ୍ ନୋଟିସ୍କୁ ମୁଁ ଡରେ ନାହିଁ। ଉପରାଜ୍ୟପାଳ ଅଢ଼େଇ ଲକ୍ଷ ଖଦି କାରିଗରଙ୍କର ଟଙ୍କା ଲୁଟିଛନ୍ତି। ଆମେ ଏହି ଦୁର୍ନୀତିର ମୁଖା ଖୋଲିଦେବା ପରେ ସେ ଏହି ନୋଟିସ୍ ପଠାଇଛନ୍ତି। ଉପରାଜ୍ୟପାଳ ସକ୍ସେନା ଲୁଟିଥିବା ଟଙ୍କା କେଉଁଠି ରଖିଛନ୍ତି ତାହା ଖୋଜିବା ପାଇଁ ସିବିଆଇ ଓ ଇଡି ଯାଞ୍ଚ କରିବା ଦରକାର। ଏହିଭଳି ନୋଟିସ୍କୁ ମୁଁ ଥରେ ନୁହେଁ ୧୦ ଥର ଚିରି ଫିଙ୍ଗି ଦେବି।” ସାମ୍ବାଦିକ ସମ୍ମିଳନୀରେ ଦିଲ୍ଲୀ ଉପରାଜ୍ୟପାଳଙ୍କ ଉପରେ ଏଭଳି ବର୍ଷିଛନ୍ତି ସଞ୍ଜୟ।
ସୂଚନା ଥାଉକି, ଖଦି ନେଇ ଦୁର୍ନୀତି ଅଭିଯୋଗ ଆଣିବା ପରେ ଉପରାଜ୍ୟପାଳ ବିନୟ କୁମାର ସକ୍ସେନା ସୋମବାର ଆପ୍ ନେତା ଅତିଶୀ ସୌରଭ ଭରଦ୍ୱାଜ୍, ଦୁର୍ଗେଶ ପାଠକ,ସଞ୍ଜୟ ସିଂହ ଏବଂ ଜସ୍ମିନ ଶାହଙ୍କ ବିରୋଧରେ ନୋଟିସ୍ ପଠାଇଛନ୍ତି। ଆପ୍ ନେତା ଦ୍ୱାରା ପ୍ରଚାର କରାଯାଉଥିବା ଏଭଳି ମିଛ ଅଭିଯୋଗକୁ ଏଥିରେ ରୋକିବାକୁ ନୋଟିସରେ କୁହାଯାଇଛି।