ଅଗଷ୍ଟ ୧୩ରେ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସମ୍ଭାବନା, ପ୍ରବଳରୁ ଅତି ପ୍ରବଳ ବର୍ଷିବ

Published By : Prameya-News7 Bureau | August 10, 2022 IST

ଭୁବନେଶ୍ୱର, ୧୦/୦୮: ଗତ ମଙ୍ଗଳବାର ଓଡ଼ିଶା ଉପରେ ସୃଷ୍ଟି ହୋଇଥିବା ଅବପାତ କ୍ରମେ ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହୋଇଥିବା ବେଳେ ଅଗଷ୍ଟ ୧୩ ତାରିଖ ବେଳକୁ ଉତ୍ତର ବଙ୍ଗୋପ ସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏ ନେଇ ବୁଧବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏହି ନୂତନ ଲଘୁଚାପଟି ଅଗଷ୍ଟ ୧୪ ତାରିଖ ବେଳକୁ ଉତ୍ତର ଓଡ଼ିଶା ଉପକୂଳରେ ଘନୀଭୂତ ହେବା ସହ ପଶ୍ଚିମ ଦିଗ ଆଡକୁ ଗତି କରିବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ରାଜ୍ୟର ଉତ୍ତର ଉପକୂଳ ଏବଂ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ସିଇସି ପକ୍ଷରୁ କୁହାଯାଇଛି ।

ଅଗଷ୍ଟ ୧୨ ତାରିଖ ରାତିରୁ ଆରମ୍ଭ ହୋଇ ଏହା ୨୪ ଘଣ୍ଟା ପର୍ଯ୍ୟନ୍ତ ବର୍ଷା କରାଇବ । ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର, ଯାଜପୁର, ଖୋର୍ଦ୍ଧା, କଟକ, ଢ଼େଙ୍କାନାଳ, କେନ୍ଦୁଝର, ଦେବଗଡ, ଅନୁଗୁଳ, କନ୍ଧମାଳ, ସମ୍ବଲପୁର, କଳାହାଣ୍ଡି, ନୂଆପଡ଼ା ଏବଂ ନବରଙ୍ଗପୁର ଜିଲ୍ଲାଗୁଡ଼ିକରେ ଏହି ଲଘୁଚାପର ପ୍ରଭାବ ରହିବ । ଅଗଷ୍ଟ ୧୪ ତାରିଖ ବେଳକୁ ଏହି ବର୍ଷାର ପରିମାଣ ବୃଦ୍ଧି ପାଇ ପ୍ରବଳରୁ ଅତି ପ୍ରବଳ ହେବା ସହ ପଶ୍ଚିମ ଓଡ଼ିଶାର ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି, ସୋନ୍‌ପୁର, ବୌଦ୍ଧ, ଦେବଗଡ଼, କନ୍ଧମାଳ, ନବରଙ୍ଗପୁର ଏବଂ ଅନୁଗୁଳରେ ପ୍ରଭାବ ପକାଇବ । ଅଗଷ୍ଟ ୧୫ ତାରିଖ ବେଳକୁ ଯଦିଓ ବର୍ଷାର ପରିମାଣ କମିବ ତଥାପି ରାଜ୍ୟ ସାରା ଏହି ଦିନ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବା ସିଇସି ପକ୍ଷରୁ କୁହାଯାଇଛି ।

ପୂର୍ବରୁ ଯେଉଁ ଅବପାତ ଲଘୁଚାପରେ ପରିଣତ ହୋଇଥିଲା ତାହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗ ଆଡକୁ ମୁହାଁଇ ଧୀରେ ଧୀରେ ଦୁର୍ବଳ ହୋଇଯିବ । ଏହାର ପ୍ରଭାବରେ ଅଗଷ୍ଟ ୧୧ ତାରିଖ ପର୍ଯ୍ୟନ୍ତ ଉତ୍ତର ଏବଂ ପଶ୍ଚିମ ଓଡ଼ିଶାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବା ସହ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ଅଗଷ୍ଟ ୧୮ କିମ୍ବା ୧୯ ତାରିଖ ବେଳକୁ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ଯୋଗୁଁ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ଥିବାବେଳେ ଲଘୁଚାପ ସୃଷ୍ଟି ହେବାର କୌଣସି ସୂଚନା ନାହିଁ ବୋଲି ସିଇସି ପକ୍ଷରୁ କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.