‘OMG 2’କୁ ମିଳିଲାନି ସେନ୍ସର ବୋର୍ଡର ଅନୁମତି ! ବ୍ୟାନ ହେବକି ଫିଲ୍ମ ?
12/07/2023 at 11:07 PM

ନୂଆଦିଲ୍ଲୀ, ୧୨/୦୭: ଭକ୍ତ ଓ ଭଗବାନଙ୍କ ଅଦୃଶ୍ୟ ବନ୍ଧନ ଉପରେ ଆଧାରିତ OMG 2କୁ ନେଇ ଏବେ ଚର୍ଚ୍ଚା। ଫିଲ୍ମର ଟିଜର ଆସିବା ପରଠାରୁ ଚର୍ଚ୍ଚାରେ ଅଛନ୍ତି ଅଭିନେତା ଅକ୍ଷୟ କୁମାର। ନିକଟରେ ରିଲିଜ୍ ହୋଇଥିବା ଫିଲ୍ମର ଟିଜରକୁ ବେଶ୍ ପସନ୍ଦ ମଧ୍ୟ କରାଯାଇଛି। କିନ୍ତୁ ଏହାରି ମଧ୍ୟରେ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଫିଲ୍ମକୁ ସେନ୍ସର ବୋର୍ଡ ତରଫରରୁ ସବୁଜ ସଙ୍କେତ ମିଳିନାହିଁ। ଆଉ ଫିଲ୍ମକୁ ରିଭ୍ୟୁ କମିଟି ପାଖକୁ ପଠାଇଦିଆଯାଇଛି।
ତେବେ କ’ଣ ପରିବର୍ତ୍ତନ ହେବ ଏବଂ ଫିଲ୍ମର କେଉଁ ସିନ୍ କଟାଯିବ ତାହା ଉପରେ ଶେଷ ନିଷ୍ପତ୍ତି ରିଭ୍ୟୁ କମିଟି କରିବେ। ସେନ୍ସର ବୋର୍ଡ ତରଫରୁ କୁହାଯାଇଛି ଯେ ଏହାକୁ ଫିଲ୍ମ ଉପରେ ବ୍ୟାନ୍ ବୋଲି କୁହାଯାଇପାରିବନାହିଁ। କାରଣ ରିଭ୍ୟୁ କମିଟି ପ୍ରଥମେ ଫିଲ୍ମକୁ ଦେଖିବେ ଏବଂ ଏହା ଉପରେ ନିର୍ଣ୍ଣୟ ନେବେ। ବର୍ତ୍ତମାନ ଫିଲ୍ମକୁ ସେନ୍ସର ବୋର୍ଡ ତରଫରୁ ସାର୍ଟିଫକେଟ ମିଳିନାହିଁ।
ଆହୁରି ପଢ଼ନ୍ତୁ: ବଡ ଭୁଲ କଲେ Thalapathy Vijay, ଏବେ ଭରିବେ ଜରିମାନା
ଟିଜରରେ ଅକ୍ଷୟ କୁମାର ଭଗବାନ ଶିବଙ୍କ ଭୂମିକାରେ ଏବଂ ପଙ୍କଜ ତ୍ରିପାଠୀ ଜଣେ ପରମ ଶିବଭକ୍ତ ଭାବରେ ନଜର ଆସିଛନ୍ତି। ଟିଜର ଆସିବା ପରେ ମଧ୍ୟ ମେକର୍ସଙ୍କୁ ଧାର୍ମିକ ଭାବନାକୁ ଆଘାତ ନ ପହଞ୍ଚାଇବାକୁ ଚେତାବନୀ ଦିଆଯାଇଥିଲା। ଆଉ ଏବେ ଫିଲ୍ମରେ ଧର୍ମୀୟ ଭାବନାକୁ ଆଘାତ ହେଲା ଭଳି କିଛି ଦୃଶ୍ୟ ରହିଛି କି ନାହିଁ ତାହାର ରିଭ୍ୟୁ କରିବ କମିଟି।
ସୂଚନାଥାଉକି, ଫିଲ୍ମରରେ ଅକ୍ଷୟ କୁମାର ଏବଂ ପଙ୍କଜ ତ୍ରିପାଠୀଙ୍କ ବ୍ୟତୀତ ୟାମି ଗୌତମ ମଧ୍ୟ ମୁଖ୍ୟ ଭୂମିକାରେ ଅଛନ୍ତି। ଏହି ଫିଲ୍ମ ୧୧ ଅଗଷ୍ଟ ୨୦୨୩ରେ ରିଲିଜ୍ ହେବାର ଥିଲା। ଫିଲ୍ମର ପୂର୍ବ ଭାଗରେ ଅକ୍ଷୟ କୁମାର ଏବଂ ପରେଶ ରାଓ୍ବଲଙ୍କୁ ବେଶ୍ ପସନ୍ଦ କରାଯାଇଥିଲା। ଅବଶ୍ୟ ପ୍ରଥମ ଭାଗକୁ ମଧ୍ୟ କିଛି ଲୋକ ଆପତ୍ତି ଜଣାଇଥିଲେ। ଫିଲ୍ମରେ ଧାର୍ମିକ ଭାବନାକୁ ଆଘାତ ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ଏହା ପରେ ମଧ୍ୟ ଫିଲ୍ମ ସୁପରହିଟ୍ ହୋଇଥିଲା। ପ୍ରଥମ ଭାଗରେ ଅକ୍ଷୟ କୁମାର ଭଗବାନ କୃଷ୍ଣଙ୍କ ଭୂମିକାରେ ନଜର ଆସିଥିଲେ। ଆଉ ଏଥର ଭଗବାନ ଶିବଙ୍କ ଭୂମିକାରେ ନଜର ଆସିଛନ୍ତି।
ଆହୁରି ପଢ଼ନ୍ତୁ: ଏହି ଡିଜିଟାଲ୍ ପ୍ଲାଟଫର୍ମରେ ‘ଆଦିପୁରୁଷ’ ଲିକ୍, କିଛି ଘଣ୍ଟାରେ ହେଲା ମିଲିୟନ୍ ଭ୍ୟୁ