ଭିକାରୀ ଆକାଉଣ୍ଟରେ ଦେଢ଼ କୋଟି ଟଙ୍କା, ୫ ଦୋକାନର ମାଲିକାଣୀ: ଗିରଫ କଲା ପୋଲିସ

Published By : Prameya-News7 Bureau | November 01, 2020 IST

ଭୁବନେଶ୍ବର ୦୧/୧୧: ଭିକ ମାଗି ଭିକାରୀ କୋଟିପତି !  କେହି କେହି ପରିସ୍ଥିତିରେ ପଡ଼ି ଭିକ ମାଗୁଥିବା ବେଳେ ଆଉ କେହି ଭିକକୁ ନିଜର ବୃତ୍ତି କରୁଛନ୍ତି। ଭିକ ମାଗି ଦିଓଳି ଖାଇବାକୁ କେହି ରାସ୍ତାକଡ଼ରେ ଛିଣ୍ଡା ପୋଷାକ ପିନ୍ଧି ମାଗୁଛି ତ ଆଉ କିଏ ଟ୍ରେନ୍‌, ବସ୍‌ରେ ମାଗୁଛି। କିନ୍ତୁ କିଛି ଲୋକ ଭିକ ମାଗି ବ୍ୟାଙ୍କ ଆକାଉଣ୍ଟ ଭର୍ତ୍ତି କରୁଥିବା ଶୁଣିଛନ୍ତି କି ? ଆସନ୍ତୁ ଜାଣିବା ସେମିତି ଜଣେ ଭିକାରୁଣୀକୁ। ଯିଏ ଭିକ ମାଗି ଦେଢ଼କୋଟି ଟଙ୍କା ରଖିଥିଲା।

ଗଲ୍ଫ ନ୍ୟୁଜ୍‌ରେ ପ୍ରକାଶିତ ଏକ ଖବର ଅନୁସାରେ ୫୭ ବର୍ଷୀୟା ବୃଦ୍ଧା ହ୍ବିଲ୍‌ ଚେୟାରରେ ବସି ଭିକ ମାଗୁଥିଲା। ହ୍ବିଲ୍‌ ଚେୟାରରେ ବସୁଥିଲା ସତ କିନ୍ତୁ ସେ ଛୋଟା ନଥିଲା। ତେବେ ବୃଦ୍ଧା ଜଣକ ଇଜିପ୍ଟର ବୋଲି ଜଣାପଡ଼ିଛି। ଇଜିପ୍ଟର ବିଭିନ୍ନ ସହରରେ ଭିକ୍ଷାବୃତ୍ତି କରି ଦୁଇଟି ବ୍ୟାଙ୍କ ଆକାଉଣ୍ଟରେ ଏକ କୋଟି ୪୨ ଲକ୍ଷ ଟଙ୍କା ଜମା କରିଥିଲା। ଏହାସହ ସେ ୫ଟି ଦୋକାନର ମାଲିକାଣୀ ବି ଥିଲା।

ବୃଦ୍ଧା ଭିକାରୁଣୀର ନାଁ ନଫିସା ବୋଲି କୁହାଯାଉଛି। ନଫିସାର କଳା କାରନାମା ତାର ଛୋଟା ହେବାର ଅଭିନୟ ଧରାପଡ଼ିବା ପରେ ଜଣାପଡ଼ିଲା। ନିଜକୁ ଛୋଟା ବୋଲି କହି ଟଙ୍କା ମାଗୁଥିଲା ନଫିସା। କିନ୍ତୁ ପରେ ନିଜ ଗୋଡ଼ରେ ଚାଲୁଥିଲା। ଏଭଳି ଅଭନୟ ଦେଖିବା ପରେ ଜଣେ ଲୋକଙ୍କ ସନ୍ଦେହ ହେବାରୁ ସେ ପୋଲିସକୁ କହିଥିଲେ। ପରେ ପୋଲିସ ପହଞ୍ଚି ଯାଞ୍ଚ କରିବାରୁ ସବୁ ସତ ଜଣାପଡ଼ିଥିଲା। ଏବେ ପୋଲିସ ଭିକାରୁଣୀକୁ ଗିରଫ କରିବା ସହ ଅଧିକ ତଦନ୍ତ କରୁଥିବା ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.