ନୂଆଦିଲ୍ଲୀ ୧୧/୦୮: ଭିନେଶ ଫୋଗଟ୍ଙ୍କ ରୌପ୍ୟ ପଦକ ଆବେଦନର ଶୁଣାଣି ଘୁଞ୍ଚିଲା । ଆସନ୍ତା ୧୩ ତାରିଖ ରାତି ସାଢ଼େ ୯ଟାରେ ଶୁଣାଣି ହେବ । ଏନେଇ CASଙ୍କ ପକ୍ଷରୁ ସୂଚନା ମିଳିଛି । ଯୁଗ୍ମ ରୌପ୍ୟ ପଦକ ଲାଗି କୋର୍ଟ ଅଫ୍ ଆର୍ବଟ୍ରାସନ ଫର୍ ସ୍ପୋର୍ଟ୍ସରେ ଆବେଦନ କରିଥିଲେ ଭିନେଶ ଫୋଗାଟ୍ ।
ଭିନେଶ୍ ଫୋଗାଟ ମହିଳା କୁସ୍ତି ୫୦ କିଲୋ ବର୍ଗରେ ଫାଇନାଲରେ ପ୍ରବେଶ କରି ରୌପ୍ୟ ପକ୍କା କରିଥିଲେ । ପ୍ରଥମ ଭାରତୀୟ ମହିଳା ଭାବେ କୁସ୍ତି ଫାଇନାଲକୁ ଉନ୍ନୀତ ହୋଇଥିଲେ । ମାତ୍ର ମ୍ୟାଚ୍ ପୂର୍ବରୁ ମେଡିକାଲ ଟେଷ୍ଟରେ ୧୦୦ ଗ୍ରାମ୍ ଅଧିକ ଓଜନ ପାଇଁ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିଲା । ପ୍ୟାରିସ୍ ଅଲିମ୍ପିକ୍ସରେ ଡିସ୍କ୍ବାଲିଫାଏ ଯୋଗୁ ଭିନେଶଙ୍କୁ କୌଣସି ପଦକ ମିଳିନାହିଁ । ତାଙ୍କ ଠାରୁ ସେମିରେ ପରାଜିତ ହୋଇଥିବା ଯୋଦ୍ଧା ଫାଇନାଲ ଖେଳିଥିଲେ । ତେଣୁ ତାଙ୍କୁ ଯୁଗ୍ମ ରୌପ୍ୟ ପଦକ ଦେବାକୁ ଦାବି ହୋଇଥିଲା ।
ନ୍ୟାୟ ପାଇଁ ଭିନେଶ ଅନ୍ତର୍ଜାତୀୟ କ୍ରୀଡ଼ା କୋର୍ଟରେ (କାସ୍) ଆବେଦନ କରିଥିଲେ । ଏହି ମାମଲାର CASରେ ଏବେ ବିଚାର ଚାଲିଛି । ଅଗଷ୍ଟ ୧୧ ତାରିଖ ଅର୍ଥାତ୍ ଆଜି ରାୟ ଆସିବାର ଥିଲା । ଭାରତୀୟ ସମୟ ରାତି ୯.୩୦ ମିନିଟରେ ଶୁଣାଣି ରହିଥିଲା । ମାତ୍ର କାସ୍ର ଆଡହକ୍ ଡିଭିଜନ ଏହାକୁ ମଙ୍ଗଳବାକୁ ଘୁଞ୍ଚାଇ ଦେଇଛନ୍ତି । ପ୍ୟାରିସ୍ ସମୟ ୧୩ ତାରିଖ ଅପରାହ୍ଣ ୬ଟାରେ ଶୁଣାଣି ହେବ ।
ରବିବାର ଅଲିମ୍ପିକ୍ସ ଶେଷ ହୋଇଯିବ । ମାତ୍ର ଭିନେଶଙ୍କ ଅପେକ୍ଷାରେ ଅନ୍ତ ହେଉ ନାହିଁ । ଆଶା ତାଙ୍କୁ ମଙ୍ଗଳବାର ନିଶ୍ଚିତ ନ୍ୟାୟ ମିଳିବ । ଭାରତୀୟ ଅଲିମ୍ପିକ୍ସ ସଂଘର ସଭାପତି ପିଟି ଉଷା ମଧ୍ୟ ଏହି ଆଶା ରଖିଛନ୍ତି । ସେମି ଫାଇନାଲ ପରେ ଭିନେଶଙ୍କ ଓଜନ ୨ କିଲୋ ୭୦୦ ଗ୍ରାମ୍ ବୃଦ୍ଧି ପାଇଥିଲା । ରାତି ସାରା ପରିଶ୍ରମ ପରେ ୫୦ କିଲୋ ତଳକୁ ଖସି ପାରି ନଥିଲେ । ୧୦୦ ଗ୍ରାମ୍ ଓଜନ ଅଧିକ ପାଇଁ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିଲା । ଏଥିରେ ବ୍ୟଥିତ ହୋଇ ଭିନେଶ କୁସ୍ତିରୁ ତାଙ୍କର ସନ୍ନ୍ୟାସ ଘୋଷଣା କରିଥିଲେ।