ୟୁକ୍ରେନ ମହିଳାଙ୍କୁ ରେପ୍ କରିବାକୁ ଋଷ ସୈନିକଙ୍କୁ ଉସକାଉଛନ୍ତି ସେମାନଙ୍କ ପତ୍ନୀ: ସଙ୍ଗୀନ ଅଭିଯୋଗ କଲେ ଜେଲେଂସ୍କିଙ୍କ ପତ୍ନୀ
2/12/2022 at 4:50 PM

ଲଣ୍ଡନ ୨।୧୨: ଯୁଦ୍ଧ ମଧ୍ୟରେ ୟୁକ୍ରେନ ଫାଷ୍ଟ ଲେଡି ଓଲେନା ଜେଲେଂସ୍କି ଋଷିୟ ସୈନିକଙ୍କ ପତ୍ନୀମାନଙ୍କୁ ନେଇ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ରାଷ୍ଟ୍ରପତି ଜେଲେଂସ୍କିଙ୍କ ପତ୍ନୀ ଓଲେନା ୟୁକ୍ରେନରେ ଋଷୀୟ ସୈନିକମାନେ ରେପ୍କୁ ଅସ୍ତ୍ର ଭଳି ଉପଯୋଗ କରୁଥିବା କହିଛନ୍ତି। ଋଷୀୟ ସୈନିକଙ୍କ ପତ୍ନୀମାନେ ଏଥିଲାଗି ସେମାନଙ୍କୁ ଉସକାଉଥିବା ସେ ଅଭିଯୋଗ କରିଛନ୍ତି। ଯୁଦ୍ଧକାଳରେ ଯୌନ ହିଂସା ମୁକାବିଲା ଲାଗି ଆୟୋଜିତ ଏକ ଅନ୍ତର୍ଜାତୀୟ କନଫରେନ୍ସକୁ ସମ୍ବୋଧନ କରି ସେ ଏହା କହିଛନ୍ତି।
ଓଲେନା କହିଛନ୍ତି ଯେ କାହା ଉପରେ ପ୍ରଭୁତ୍ୱ ବିସ୍ତାର ଲାଗି ଯୌନ ହିଂସା ସବୁଠୁ କ୍ରୁର ଓ ବର୍ବର ଉପାୟ। ଏପରି ହିଂସାର ପୀଡ଼ିତାଙ୍କ ଲାଗି ଯୁଦ୍ଧକାଳରେ ସାକ୍ଷ ଦେବା ବି କଷ୍ଟକର, କାରଣ ଏହି ସମୟରେ କେହି ବି ନିଜକୁ ସୁରକ୍ଷିତ ମଣୁ ନଥାନ୍ତି। ୟୁକ୍ରେନ ରାଷ୍ଟ୍ରପତି ଜେଲେଂସ୍କିଙ୍କ ପତ୍ନୀ ଓଲେନା କହିଛନ୍ତି ଯେ ଦୁଇ ଦେଶଙ୍କ ମଧ୍ୟରେ ପ୍ରାୟ ୯ ମାସ ହେଲା ଯୁଦ୍ଧ ଜାରି ରହିଛି। ଏହି ଯୁଦ୍ଧକାଳରେ ରେପ ଋଷୀୟ ସୈନିକଙ୍କ ଏକ ନୂଆ ଅସ୍ତ୍ର ହୋଇଯାଇଛି। ଯାହାକୁ ସେମାନେ ସିଷ୍ଟମେଟିକ ଉପାୟରେ ଉପଯୋଗ କରୁଛନ୍ତି।
ସେମାନେ ଖୋଲାଖୋଲି ଏପରି ଯୁଦ୍ଧ ଆପରାଧ ଭିଆଉଛନ୍ତି। ଏହାକୁ ନେଇ ଋଷୀୟ ସୈନିକମାନେ ବେଶ ଖୋଲା, ଏ ବାବଦେ ସେମାନେ ପରିବାର ସହ ଫୋନରେ କଥା ମଧ୍ୟ ହେଉଛନ୍ତି। ଋଷିୟ ସୈନିକଙ୍କ ଫୋନ ରେକର୍ଡିଂରୁ ଏହା ଆମେ ଜାଣିବାକୁ ପାଇଥିବା ଓଲେନା କହିଛନ୍ତି। ଜେଲେଂସ୍କିଙ୍କ ଅଭିଯୋଗ ଏଥିଲାଗି ଋଷୀୟ ସୈନିକଙ୍କ ପତ୍ନୀମାନେ ସେମାନଙ୍କୁ ଉତ୍ସାହିତ କରୁଛନ୍ତି। କହୁଛନ୍ତି ଯାଅ ଓ ରେପ୍ କର। ୟୁକ୍ରେନରେ ମହିଳାଙ୍କ ପ୍ରତି ଋଷୀୟ ସୈନିକଙ୍କ କାଣ୍ଡକୁ ଯୁଦ୍ଧ ଅପରାଧ ଘୋଷଣା କରିବାକୁ ଓଲେନା ଦାବି କରିଛନ୍ତି। ଯାହାଦ୍ୱାରା ସେମାନଙ୍କୁ କାଠଗଡ଼ାରେ ଛିଡା କରାଯାଇ ପାରିବ ବୋଲି କହିଛନ୍ତି।
ଚଳିତବର୍ଷ ଫେବୃଆରୀ ମାସରୁ ଆରମ୍ଭ ହୋଇଥିବା ଯୁଦ୍ଧ ପରଠାରୁ ୟୁକ୍ରେନୀୟ ନେତାମାନେ ଋଷୀୟ ସୈନିକଙ୍କ ଉପରେ ଦୁଷ୍କର୍ମ ଅଭିଯୋଗ କରିଆସୁଛନ୍ତି। ଗତ ଏପ୍ରିଲ ମାସରେ ୟୁକ୍ରେନ ସାଂସଦ ଲେସିଆ ମଧ୍ୟ ଋଷୀୟ ସୈନିକମାନେ ୟୁକ୍ରେନରେ ୧୦ ବର୍ଷୀୟ ନାବାଳିକାଙ୍କୁ ମଧ୍ୟ ରେପ୍ କରୁଥିବାର ଅଭିଯୋଗ କରିଥିଲେ।