ସାହା ହେଲାନି ପ୍ରଶାସନ, ଆଧାର କାର୍ଡ ପାଇଁ ଗୁରୁଣ୍ଡି ଗୁରୁଣ୍ଡି ଆସିଲେ ବୃଦ୍ଧା

Published By : Prameya-News7 Bureau | November 16, 2023 IST

ସୁନ୍ଦରଗଡ ୧୬/୧୧:ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଜଣେ ୭୦ ବର୍ଷୀୟା ବୃଦ୍ଧା ଆଧାର ସଂଯୋଗ ପାଇଁ ୩ କିଲୋମିଟର ଗୁରୁଣ୍ଡି ଗୁରୁଣ୍ଡି ବ୍ୟାଙ୍କକୁ ଆସିବା ଚିତ୍ର ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ ବଡ଼ମାଲ ବଜାର ପଡ଼ାରୁ କୁତ୍ରା ବ୍ୟାଙ୍କକୁ ଗୁରୁଣ୍ଡି ଗୁରୁଣ୍ଡି ଆସି ବ୍ୟାଙ୍କ ଖାତା ସହିତ ଆଧାର ସଂଯୋଗ କରିବା ପାଇଁ ଆସିଥିଲେ ।

ଜନ୍ମରୁ ଭିନ୍ନକ୍ଷମ ଥିବା ଟେରେସା ପିଲାଟି ଦିନରୁ ସମସ୍ତ କାର୍ଯ୍ୟ ଗୁରୁଣ୍ଡି ଗୁରୁଣ୍ଡି କରିଥାନ୍ତି । ଏପରି କଷ୍ଟକର ଜୀବନ ଯାପନରେ ତାଙ୍କୁ ସାହାଯ୍ୟ କରିବା ପାଇଁ କେହି ଆଗେଇ ଆସିନଥିଲେ । ସରକାରୀ ସହାୟତା କହିଲେ ତାଙ୍କୁ ମିଳୁଛି ୫ କେଜି ଚାଉଳ ଓ ଭତ୍ତା । ବର୍ତ୍ତମାନ ବ୍ୟାଙ୍କ ଖାତାରେ ଏହି ଭତ୍ତା ଟଙ୍କା ସିଧାସଳଖ ଜମା ହେଉଥିବାରୁ ସେ ଠିକ ସମୟରେ ଟଙ୍କା ମଧ୍ୟ କାଢି ପାରୁନାହାନ୍ତି ।

ସ୍ଥାନୀୟ ଜନସେବା କେନ୍ଦ୍ରକୁ ଟଙ୍କା ଉଠାଇବା ପାଇଁ ବାରମ୍ବାର ଯାଇ ହନ୍ତସନ୍ତ ହେବା ସତ୍ତ୍ୱେ ସେ ଟଙ୍କା ପାଇପାରିନଥିଲେ । ବ୍ୟାଙ୍କ ଖାତା ସହିତ ଆଧାର ସଂଯୋଗ ନଥିବାରୁ ବୃଦ୍ଧା ଙ୍କୁ ଟଙ୍କା ଦେଇନଥିଲେ ଜନସବା କେନ୍ଦ୍ର ର ପରିଚାଳକ ତେଣୁ ବାଧ୍ୟ ହୋଇ କୁତ୍ରା ଷ୍ଟେଟ ବ୍ୟାଙ୍କ ଖାତା ସହିତ ଆଧାର ଲିଙ୍କ କରିବା ପାଇଁ ୩ କିଲୋମିଟର ଗୁରୁଣ୍ଡି ଗୁରୁଣ୍ଡି ଆସିଥିଲେ ।

ଅନେକ ଥର କିଏ କୋଳରେ ଟେକି ଆଣିବା ତ ଆଉ କିଏ ଖଟିଆରେ ବୁହା ହୋଇ ବ୍ୟାଙ୍କ ତଥା ସେବା କେନ୍ଦ୍ରକୁ ଆଣିବାର ଚିତ୍ର ସାମ୍ନାକୁ ଆସିଛି । ସେପଟେ ଗଣମାଧ୍ୟମରୁ ଖବର ପାଇବା ପରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ଅତିରିକ୍ତ ଜିଲ୍ଲାପାଳ । ୩ ଦିନ ଭିତରେ ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ କୁତୁରା ବିଡିଓଙ୍କୁ ନିର୍ଦ୍ଦେଶ ଦେଲେ ଅତିରିକ୍ତ ଜିଲ୍ଲାପାଳ ରବିନାରାୟଣ ସା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.