ହିମାଚଳ ପ୍ରଦେଶରେ ଲାଗୁ ହେଲା ପୁରୁଣା ପେନସନ୍ ସ୍କିମ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | January 13, 2023 IST

ଶିମଲା ୧୩।୧: ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ରାଜ୍ୟରେ ସରକାରୀ କର୍ମଚାରୀଙ୍କ ଲାଗି ପୁରୁଣା ପେନସନସ୍କିମ୍‌ ପୁଣି ଥରେ ଲାଗୁ କରିଛନ୍ତି। ମୁଖ୍ୟମନ୍ତ୍ରୀ ଟ୍ୱିଟ୍‌ କରି ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ପୁରୁଣା ପେନସନ ସ୍କିମ୍ ପ୍ରସଙ୍ଗ ପାଲଟିଥିଲା। ମୁଖ୍ୟମନ୍ତ୍ରୀ ଟ୍ୱିଟ୍‌ କରି କଂଗ୍ରେସର ବିଚାରଧାରା ଭଲପାଇବା, ଭାଇଚାରା ଓ ସତ୍ୟ ଉପରେ ଆଧାରିତ ବୋଲି ଉଲ୍ଲେଖ କରିଛନ୍ତି।

ସେହିପରି ଲୋହରୀ ଶୁଭ ଅବସରରେ ହିମାଚଳ କର୍ମଚାରୀଙ୍କ ଦୀର୍ଘ ଦାବି ଓପିଏସ୍ ଲାଗୁ କରିବାରେ ମୋତେ ବହୁତ ଖୁସି ଅନୁଭବ ହେଉଥିବା ମୁଖ୍ୟମନ୍ତ୍ରୀ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି। ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ଯେ କର୍ମଚାରୀ ଏବେ ସରକାରଙ୍କ ସହ କାନ୍ଧକୁ କାନ୍ଧ ମିଳାଇ ହିମାଚଳ ବିକାଶରେ ସେମାନଙ୍କ ପୂର୍ଣ୍ଣ ସହଯୋଗ କରିବେ। ଉଲ୍ଲେଖଯୋଗ୍ୟ ଯେ ଗତବର୍ଷ ହୋଇଥିବା ବିଧାନସଭା ନିର୍ବାଚନରେ ଓପିଏସ୍ ସବୁଠୁ ବଡ଼ ପ୍ରସଙ୍ଗ ଥିଲା।

wp:html /wp:html

କଂଗ୍ରେସ ନିର୍ବାଚନ ପ୍ରଚାର କାଳରେ ସରକାରୀ କର୍ମଚାରୀଙ୍କୁ ଯଦି ରାଜ୍ୟରେ କଂଗ୍ରେସ ସରକାର ହୁଏ ତେବେ ଓପିଏସ୍‌ ଲାଗୁ କରିବାକୁ ପ୍ରତିସ୍ରୁତି ଦେଇଥିଲା। ମୁଖ୍ୟମନ୍ତ୍ରୀ ସୁଖୁ ଏବେ ସରକାରୀ କର୍ମଚାରୀଙ୍କ ପ୍ରତି ଦଳର ନିର୍ବାଚନ ପ୍ରତିସ୍ରୁତି ପାଳନ କରିଛନ୍ତି।ବିଧାନସଭା ନିର୍ବାଚନ କାଳରେ ଓପିଏସ୍ ଦାବି ଏତେ ଜୋର ଧରିଥିଲା ଯେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ପ୍ରେମ କୁମାର ଧୂମଲ ମଧ୍ୟ ପୁରୁଣା ପେନସନ ସ୍କିମ୍‌ ସପକ୍ଷରେ କହିଥିଲେ। ଧୂମଲ କହିଥିଲେ ଯେ ସାରା ଜୀବନ ଦେଶ ଓ ପ୍ରଦେଶର ସେବା କରୁଥିବା ସରାକାରୀ କର୍ମଚାରୀଙ୍କୁ ସମ୍ମାନଜନକ ପେନସନ୍‌ ମିଳିବା ଦରକାର ବୋଲି କହିଥିଲେ।

ପୁରୁଣା ପେନସନ୍‌ ସ୍କିମ୍ ଦାବିରେ ସରକାରୀ କର୍ମଚାରୀମାନେ ଗତବର୍ଷ ନଭେମ୍ବର ମାସରେ ଅନସନ ଆନ୍ଦୋଳନରେ ବସିଥିଲେ। ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ପାଖାପାଖି ୪ ଲକ୍ଷ ସରକାରୀ କର୍ମଚାରୀ ଅଛନ୍ତି ଓ ଏହି ସଂଖ୍ୟାର ଅନେକ ଅଧିକ ପେନସନଭୋଗୀ ମଧ୍ୟ ଅଛନ୍ତି। ଖାସ ଏହି କାରଣ ଯୋଗୁ ହିମାଚଳ ପ୍ରଦେଶ ଭଳି ଏକ କ୍ଷୁଦ୍ର ରାଜ୍ୟରେ ଗତ ବିଧାନସଭା ନିର୍ବାଚନ କାଳରେ ପୁରୁଣା ପେନସନ୍‌ ସ୍କିମ ଦାବି ଜୋର ଧରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.