୩ ଦିନରେ ୨୪୦ କି:ମି ବାଟ ହଲି ମହାପ୍ରଭୁଙ୍କ ଦର୍ଶନ କଲେ ବୃଦ୍ଧ
28/05/2018 at 2:27 AM

କାଳିଆର ଡ଼ୋରି ନଲାଗିଲେ ଶ୍ରକ୍ଷେତ୍ରରେ ପାଦ ରଖିବା ଅସମ୍ଭବ। ମନରେ ଭକ୍ତି ଥିଲେ ଭକ୍ତଙ୍କୁ ସେ ଆପେ ଆପେ ତା ପାଖକୁ ଟାଣି ଆଣେ। ଏମିତିରେ ଶ୍ରକ୍ଷେତ୍ରକୁ ପ୍ରତିଦିନ ହଜାର ହଜାର ଭକ୍ତ ମହାପ୍ରଭୁଙ୍କ ଦର୍ଶନ ଲାଭ କରିବା ପାଇଁ ଆସିଥାନ୍ତି। କିନ୍ତୁ ଆମେ କହୁଛୁ ଏମିତି ଜଣେ ବୃଦ୍ଧ ଭକ୍ତଙ୍କ କଥା ଯିଏ ୩ ଦିନରେ ୨୪୦ କିଲୋମିଟର ଖାଲି ପାଦରେ ଚାଲି ଚାଲି ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀରେ ଆସି ପହଞ୍ଚିଛନ୍ତି। ମାନସିକ ଥିଲା ଖାଲି ପାଦରେ ଚାଲି ଚାଲି ଶ୍ରୀକ୍ଷେତ୍ରରେ ପହଞ୍ଚିବା। କାଳିଆର ଦର୍ଶନ ସହ ଆଶିଷ ଲାଭ କରିବା। ଏ ହେଉଛନ୍ତି ଯାଜପୁର ଜିଲ୍ଲା ଅବଦଲପୁର ଗ୍ରାମର ବିଜୟ ପରିଡ଼ା। ବୟସ ୭୦ ହେଲେ ମଧ୍ୟ ତାଙ୍କ ଭକ୍ତି ଆଗରେ ବୟସ ବି ହାର ମାନିଯାଇଛି। ଗତ ତିନିଦିନ ତଳେ ସେ ଅବଦଲପୁରରୁ ବାହାରି ପୁରୀରେ ଆସି ପହଞ୍ଚିଥିଲେ। ବିଜୟଙ୍କ ଭକ୍ତି ଆଗରେ ଖରା, ବର୍ଷା କେହି ବି ବାଧକ ସାଜି ପରି ନଥିଲେ। ମନରେ ଅତୁଟ ବିଶ୍ୱାସ ଏବଂ ପ୍ରଭୁ ଜଗନ୍ନାଥଙ୍କ ପ୍ରତି ଭକ୍ତି ତାଙ୍କୁ ଆଜି ଟାଣି ଆଣିଛି ବଡ଼ଦେଉଳକୁ। ଶ୍ରୀମନ୍ଦିରରେ କାଳିଆ ଠାକୁରଙ୍କ ଦର୍ଶନ କରିବା ପରେ ସେ ନିଜକୁ ଧନ୍ୟ ମଣିବା ସହ ଭାବ ବିହ୍ୱଳ ହୋଇପଡ଼ିଛନ୍ତି। ମହାପ୍ରଭୁ ତାଙ୍କ ଆଶା ପୂରଣ କରିଥିବାବେଳେ ମନରେ ଭକ୍ତ ଥିଲେ ସୁବ କିଛି ସମ୍ଭବ ବୋଲି ବିଜୟ କହିଛନ୍ତି।
ତେବେ ମହାପ୍ରଭୁଙ୍କ ଦର୍ଶନ ସାରି ବିଜୟ ପହରଦିନ ସମୁଦ୍ରକୂଳରେ ଯାଇ ରାତ୍ରୀଯାପନ କରିଥିଲେ। ସେଠାରେ କିଛି ଦୁର୍ବୁତ୍ତ ତାଙ୍କ ପାଖରୁ ଟଙ୍କା ଲୁଟି ନେବା ପରେ ସେ ଦୁଃଖରେ ଭାଙ୍ଗି ପଡ଼ିବା ସହ କାନ୍ଦୁଥିଲେ। କାରଣ ଘରକୁ ଯିବା ପାଇଁ ତାଙ୍କ ପାଖରେ ଟଙ୍କା ନଥିଲା। ତଥାପି ସେ ହାର ମାନିନଥିଲେ। ଠିକ୍ ସେହି ସମୟରେ ପୁରୀର ଆଇନଜିବୀ ଚିନ୍ମୟ ଦାସଙ୍କ ସହ ଜିତେନ୍ଦ୍ର ବାରିକ ଓ ରମାକାନ୍ତ ପ୍ରହରାଜ ବୃଦ୍ଧଙ୍କୁ ସାହାଯ୍ୟର ହାତ ବଢ଼ାଇଥିଲେ। ଶ୍ରୀମନ୍ଦିରରୁ ମହାପ୍ରସାଦ କିଣି ବୃଦ୍ଧଙ୍କୁ ଦେବା ସହ ସସମ୍ମାନେ ତାଙ୍କୁ ପରୀରୁ ବିଦାୟ ଦେଇଥିଲେ। ଏଥିରୁ ସ୍ପଷ୍ଟ ବାରି ହୋଇ ପଡ଼ୁଛି ଆଜି ବି ମଣିଷ ଭିତରେ ବଞ୍ଚି ରହିଛି ମାନବିକତା। କାରଣ ଶ୍ରୀକ୍ଷେତ୍ରକୁ ଯେଉଁ ଭକ୍ତ ଆସନ୍ତ ସେମାନଙ୍କୁ ନିରାଶ କରିବା ଉଚିତ୍ ନୁହେଁ ବୋଲି ଏହି ଯୁବକ ମାନେ କହିଛନ୍ତି।