ଶହେ ବର୍ଷ ବୟସ୍କ ବୃଦ୍ଧ ଉଡାଇଲେ ବିମାନ, କୋ-ପାଇଲଟ ଭାବେ କଲେ ଯାତ୍ରା

Published By : Prameya-News7 Bureau | September 22, 2021 IST

ନୂଆଦିଲ୍ଲୀ ୨୨।୦୯:  ଶହେ ବର୍ଷରେ ବିମାନ ଚାଳନା । ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲ୍ଲାର ବାସିନ୍ଦା ରାମୁଡୁଙ୍କ ନାଁରେ ଏହି ବିରଳ ରେକର୍ଡ ସାମିଲ ହୋଇଛି । କୋ-ପାଇଲଟଙ୍କ ସହ ବିମାନ ଚଳାଇଛନ୍ତି ଏହି ଶତାୟୁ ବୃଦ୍ଧ । ବିମାନରେ ସହ ପାଇଲଟ ଭାବେ ଯାତ୍ରା କରିଛନ୍ତି ।

ଖବର ଅନୁଯାୟୀ, ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲ୍ଲା ବାସିନ୍ଦା ୧୦୦ ବର୍ଷୀୟ ରାମୁଡୁ ଦିନକ ପାଇଁ ସହ-ପାଇଲଟ୍‌ ହୋଇଛନ୍ତି । ସେ ବେଙ୍ଗାଲୁରୁରେ ଫ୍ଲାଇଟ୍‌ ଇନ୍‌ଷ୍ଟ୍ରକ୍ଟର ଆଡ୍ରେ ମବେନ୍‌ଙ୍କ ସହ ବିମାନ ଉଡ଼ାଇଛନ୍ତି । ଆଡ୍ରେ କହିଛନ୍ତି, ତାଙ୍କର ୩୦ ବର୍ଷର କ୍ୟାରିଅର୍‌ରେ ଆଜିର ଦିନଟା ସର୍ବଦା ମନେ ରହିବ । କାରଣ ସେ ଜଣେ ଶତାୟୁ କୋ-ପାଇଟଲ୍‌ଙ୍କ ସହିତ ବିମାନ ଉଡ଼ାଇଛନ୍ତି । ୧୯୨୧, ଜାନୁଆରୀ ୯ରେ ଜନ୍ମିତ ରାମୁଡୁ ଜଣେ ସ୍ୱାଧୀନତା ସଂଗ୍ରାମୀ । ନାତି-ନାତୁଣିଙ୍କୁ ଭେଟିବା ପାଇଁ ସେ ଗତ ୮ ତାରିଖରେ ବେଙ୍ଗାଲୁରୁରେ ପହଞ୍ଚିଥିଲେ । କିନ୍ତୁ ପରିବାର ଲୋକେ ତାଙ୍କ ପାଇଁ ଏକ ସର୍‌ପ୍ରାଇଜ୍‌ ରଖିଛନ୍ତି ବୋଲି ସେ ଜାଣିନଥିଲେ । ତାଙ୍କ ନାତି ଅରବିନ୍ଦ ରୋଙ୍ଗଲା କହିଛନ୍ତି ‘ଜେଜେ ଉଡ଼ିବାକୁ ଖୁବ୍‌ ଭଲପାଆନ୍ତି ।

ଏଠାକୁ ଆସିବା ପୂର୍ବରୁ ସେ ରାଜାମୁନ୍ଦରୀ ବିମାନବନ୍ଦରରୁ ଚେନ୍ନାଇ ଯାଇଥିଲେ । ସେଠାରେ କିଛି କାମ ଶେଷ କରି ବିମାନ ଯୋଗେ ବେଙ୍ଗାଲୁରୁ ଆସିଲେ । ଜେଜେ ୯୬ ବର୍ଷ ବୟସରେ ଦକ୍ଷିଣ ଆଫ୍ରିକା ଯାଇଥିଲେ ।’ ରାମୁଡୁ ଜକ୍କୁର ବିମାନବନ୍ଦରରୁ ବିମାନ ଉଡ଼ାଇଛନ୍ତି । ଏଇଟି ଛୋଟ ଜେନିଥ ଏୟାର ୭୦୨ ବିମାନ ଥିଲା, ଯେଉଁଥିରେ କେବଳ ପାଇଲଟ୍‌ ଓ ସହ-ପାଇଲଟ୍‌ ହିଁ ବସିପାରିବେ । ବିମାନ ପରାମର୍ଶଦାତା ଆଡ୍ରେ କହିଛନ୍ତି ‘ସେ(ରାମୁଡୁ) ଖୁବ୍‌ ଉତ୍ସାହର ସହ ମୋ ପାଖକୁ ଆସିଲେ ଏବଂ ସହଜରେ ବିମାନରେ ଚଢ଼ିଗଲେ । ମୁଁ ମୋର କ୍ୟାରିଅର୍‌ରେ କେବେ ଏତେ ବୟସ୍କ ବ୍ୟକ୍ତିଙ୍କୁ ଉଡ଼ାଣ ଭରିବା ପାଇଁ ଏଭଳି ଉତ୍ସାହିତ ଓ ସାହସୀ ଦେଖିନାହିଁ । ସେ ଆମ ପାଇଁ ପ୍ରେରଣା । ତାଙ୍କ ସହ ବିମାନ ଉଡ଼ାଇବା ସମ୍ମାନର କଥା ।’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.