ଗିନିଜ୍‌ ବୁକ୍‌ ଅଫ୍‌ ୱାର୍ଲଡ ରେକର୍ଡସ୍‌ରେ ସବୁଠୁ ବୟସ୍କା ଫ୍ଲାଇଟ୍‌ ଆଟେଣ୍ଡାଣ୍ଟ, ୬୫ ବର୍ଷ ହେବ କରୁଛନ୍ତି କାମ

Published By : Prameya-News7 Bureau | July 04, 2022 IST

ଓ୍ୱାଶିଂଟନ ୦୪/୦୭: ଆମେରିକାର ଜଣେ ୮୬ ବର୍ଷୀୟ ମହିଳା ବିଶ୍ୱର ସବୁଠୁ ବୟସ୍କା ଫ୍ଲାଇଟ୍‌ ଆଟେଣ୍ଡାଣ୍ଟ ଭାବେ ନିକଟରେ ଗିନିଜ୍‌ ବୁକ୍‌ ଅଫ୍‌ ୱାର୍ଲଡ ରେକର୍ଡସ୍‌ରେ ସ୍ଥାନ ପାଇଛନ୍ତି । ତାଙ୍କର ନାମ ହେଲା ବେଟ୍ଟେ ନ୍ୟାଶ । ସେ ମାସାଚୁସେଟ୍‌ସର ବୋଷ୍ଟନରେ ରହନ୍ତି । ଦୀର୍ଘ ୬୫ ବର୍ଷ ହେଲା ଆମେରିକାନ୍‌ ଏୟାରଲାଇନ୍‌ସରେ ନ୍ୟାଶ କାମ କରିଆସୁଛନ୍ତି । ଏତେ ବର୍ଷ ଧରି କଂପାନି ପ୍ରତି ନ୍ୟାଶଙ୍କର ସେବା ଭାବନା ପ୍ରଶଂସନୀୟ ବୋଲି ଗିନିଜ୍‌ କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି ।
ନ୍ୟାଶ ୧୯୫୭ ମସିହାରେ ମାତ୍ର ୨୧ ବର୍ଷ ବୟସରେ ଇଷ୍ଟର୍ଣ୍ଣ ଏୟାରଲାଇନ୍‌ସରେ ଜଣେ ଏୟାରହୋଷ୍ଟେସ୍‌ ଭାବେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ପରେ ସେ ଆମେରିକାନ୍‌ ଏୟାରଲାଇନ୍‌ସରେ ଯୋଗ ଦେଲେ । ସେବେଠାରୁ ଅଦ୍ୟାବଧି ସେ ଆମେରିକାନ୍‌ ଏୟାରଲାଇନ୍‌ସରେ ହିଁ କାମ କରୁଛନ୍ତି । ନ୍ୟୁୟର୍କ-ବୋଷ୍ଟନ୍‌-ୱାଶିଂଟନ୍‌ ଡିସି ରୁଟ୍‌ରେ ତାଙ୍କୁ ଦେଖିବାକୁ ମିଳିଥାଏ ।

ନିଜର ମଧୁର ବ୍ୟବହାର ଯୋଗୁ ଯାତ୍ରୀମାନଙ୍କ ନିକଟରେ ସେ ଖୁବ୍‌ ପ୍ରିୟ । ଏପରିକି ସେ ବିମାନରେ ନଥିଲେ ସେମାନଙ୍କୁ ଖାଲିପଣ ଲାଗିଥାଏ ବୋଲି ନିୟମିତ ଭାବେ ସେହି ରୁଟ୍‌ରେ ଯାତ୍ରା କରୁଥିବା କିଛି ଲୋକ ପ୍ରକାଶ କରିଛନ୍ତି । ତାଙ୍କର ଏକ ଦିବ୍ୟାଙ୍ଗ ପୁଅ ଥିବାବେଳେ ଏ ବୟସରେ ବି ନ୍ୟାଶ ତାଙ୍କର ଯତ୍ନ ନେଉଛନ୍ତି । ନିକଟରେ ଏକ ସାକ୍ଷାତକାରରେ ତାଙ୍କୁ ଏହି ବୃତ୍ତିକୁ ଆସୁଥିବା ଯୁବପିଢ଼ିଙ୍କୁ କି ବାର୍ତ୍ତା ଦେବେ ବୋଲି ପଚରା ଯାଇଥିଲା ।

ଏହାପରେ ନ୍ୟାଶ କହିଛନ୍ତି, ନିଜ କାମ ସମୟରେ ମାନବିକତା ପ୍ରଦର୍ଶନ କରିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ । ଏହା କୌଣସି ଟେକ୍ନୋଲୋଜି ନୁହେଁ, ଏହା ହେଲା ମାନବବିଜ୍ଞାନ । ଏହାକୁ କାମରେ ଲଗାଇଲେ ଜଣେ ନିଶ୍ଚିତ ଭାବେ ଏହି ବୃତ୍ତିର ଶିଖରକୁ ଯାଇପାରିବ । ଯେପର୍ଯ୍ୟନ୍ତ ମୋର ସ୍ୱାସ୍ଥ୍ୟ ଭଲ ଅଛି ଓ ମୁଁ କାମ କରିବାକୁ ସକ୍ଷମ ସେବେଯାଏ କାମ କରିଚାଲିବି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.