OLA କ୍ୟାବକୁ ଜରିମାନା, ଗାଡ଼ିରେ AC ନଚାଲିବାରୁ ୧୫ହଜାର ଫାଇନ୍

Published By : Prameya-News7 Bureau | January 27, 2023 IST

ନୂଆଦିଲ୍ଲୀ: OLA କ୍ୟାବ୍ ଉପରେ ଫାଇନ୍ । ଗାଡ଼ିରେ AC ନଚଲାଇ ତଣ୍ଡ ଗଣିଲା କମ୍ପାନୀ । ବେଙ୍ଗାଳୁରୁ କଞ୍ଜୁମର କୋର୍ଟ OLA କ୍ୟାବ୍ କମ୍ପାନୀ ଉପରେ ୧୫ ହଜାର ଟଙ୍କା ଜରିମାନା ଲଗାଇଛନ୍ତି । ଯାତ୍ରା ସମୟରେ ଡ୍ରାଇଭର ଗାଡ଼ିରେ AC ଚଲାଇ ନଥିଲେ । ହେଲେ ସମ୍ପୂର୍ଣ୍ଣ ଭଡ଼ା ନେଇଥିଲେ । ଘଟଣାକୁ ନେଇ କୋର୍ଟ କ୍ୟାବ୍ କମ୍ପାନୀ ଉପରେ ଫାଇନ୍ ଲଗାଇଛନ୍ତି ।

ସୂଚନା ମୁତାବକ, ବେଙ୍ଗାଳୁରୁର ବିକାଶ ଭୂଷଣ ଏକ ନିଦ୍ଧିଷ୍ଟ ସ୍ଥାନକୁ ଯିବା ପାଇଁ ଓଲା କ୍ୟାବ୍ ବୁକ୍ କରିଥିଲେ । ଯାତ୍ରା ପୂର୍ବରୁ ସମସ୍ତ ସୁବିଧା ଦିଆଯିବ ବୋଲି କୁହାଯାଇଥିଲା । ମାତ୍ର ଯାତ୍ରା ସମୟରେ ଗାଡ଼ିର AC କାମ କରିନଥିଲା । ହେଲେ ଡ୍ରାଇଭର ୮୦ କିଲୋମିଟରକୁ ୧୮୩୭ ଟଙ୍କା ସମ୍ପୂର୍ଣ୍ଣ ଭଡ଼ା ନେଇଥିଲେ । ଏହାକୁ ନେଇ ବିକାଶ ଭୂଷଣ ପ୍ରଥମେ ଓଲା କଷ୍ଟମର କେୟାରରେ ଅଭିଯୋଗ କରିଥିଲେ । ସେଠାରୁ ସନ୍ତୋଷ ଜନକ ଉତ୍ତର ମିଳିନଥିଲା । କଷ୍ଟମର କେୟାର ଟଙ୍କା ଫେରାଇବ ନାହିଁ ବୋଲି ରୋକ୍ ଠୋକ୍ ମନା କରିଦେଇଥିଲା । ପରେ ବିକାଶ, କମ୍ପାନୀ ସିଇଓ ଭବିଶ ଅଗ୍ରଓ୍ବାଲଙ୍କୁ ଇ-ମେଲ୍ କରି ଜଣାଇଥିଲେ। ମାତ୍ର ସିଇଓ କୌଣସି ଜବାବ ଦେଇନଥିଲେ । ପରେ କୋର୍ଟଙ୍କ ଦ୍ବାରସ୍ତ ହୋଇଥିଲେ ବିକାଶ ଭୂଷଣ ।

୨୦୨୨ ମେ’ ମାସରେ ବେଙ୍ଗାଳୁରୁ ସହରାଞ୍ଚଳ ଜିଲ୍ଲା ଗ୍ରାହକ ଅଭିଯୋଗ କମିଶନଙ୍କ ଦ୍ବାରସ୍ତ ହୋଇଥିଲା ବିକାଶ । ୨୦୨୩ ଜାନୁଆରୀ ୧୮ ତାରିଖରେ କୋର୍ଟ ମାମଲାର ଶୁଣାଣି କରି ରାୟ ଶୁଣାଇଛନ୍ତି । କୋର୍ଟ ଓଲା କମ୍ପାନୀ ଉପରେ ୧୫ ହଜାର ଟଙ୍କା ଫାଇନ୍ ଲଗାଇଛନ୍ତି । ବିକାଶ ଭୂଷଣଙ୍କୁ ୧୦ହଜାର ଟଙ୍କା, କୋର୍ଟ ଖର୍ଚ୍ଚ ପାଇଁ ୫ହଜାର ଟଙ୍କା ଏବଂ ସୁଧ ସହିତ ଗାଡ଼ି ଭଡ଼ା ୧୮୩୭ ଟଙ୍କା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ ଦୁଇମାସ ଭିତରେ ଟଙ୍କା ପଇଠ କରିବାକୁ କ୍ୟାବ୍ କମ୍ପାନୀଙ୍କୁ କୋର୍ଟ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.