OLAର ସିଇଓ ଭାବିଶ ଅଗ୍ରୱାଲ ହେବେ କି ଭାରତର ଏଲନ ମସ୍କ ?

Published By : Prameya-News7 Bureau | October 17, 2022 IST

ନୂଆଦିଲ୍ଲୀ: ଭାରତ ସହ ସାରା ବିଶ୍ୱର ଲୋକେ ଜାଣି ସାରିଛନ୍ତି ଯେ ଭବିଷ୍ୟତରେ ଇଲେକ୍ଟ୍ରିକ ବାହନର ପ୍ରଚଳନ ଅଧିକ ହେବ ।  ଭାରତ ସହ ବିଦେଶର ଅନେକ ଅଟୋମୋବାଇଲ କମ୍ପାନି ଇଭି ବାହନ କ୍ଷେତ୍ରରେ ପ୍ରବେଶ କରିବା ଆରମ୍ଭ କରିଛନ୍ତି। ତେବେ ଭାରତରେ ଓଲା କମ୍ପାନି ନିଜର ଇଲେକ୍ଟ୍ରିକ୍ ଦୁଇ ଚକିଆ ଗାଡିକୁ ନେଇ ବେଶ ଉତ୍ସାହିତ ରହିଛି । ନିକଟରେ ଓଲା କମ୍ପାନିର ପ୍ରତିଷ୍ଠାତା ତଥା ସିଇଓ ଭାବିଶ ଅଗ୍ରୱାଲ ଓଲାର ଫ୍ୟୁଚର ଫ୍ୟାକ୍ଟ୍ରିରେ ପହଞ୍ଚିଥିଲେ । ଏଠାରେ ସେ ଦୁନିଆର ସବୁଠୁ ବଡ ଇଲେକ୍ଟ୍ରିକ ଟୁ ହ୍ୱିଲର ପ୍ଲାଣ୍ଟର ଗସ୍ତ କରିଥିଲେ ।

ଭାବିଶ ଅଗ୍ରୱାଲ ଓଲା କମ୍ପାନିର ପ୍ରତିଷ୍ଠାତା ତଥା ସିଇଓ । ଭାବିଶ ଅଗ୍ରୱାଲ ଆଇଆଇଟି ବେମ୍ୱରୁ କମ୍ପ୍ୟୁଟର ବିଜ୍ଞାନ ଏବଂ ଇଞ୍ଜିନିୟରିଂରେ ବିଟେକ୍ କରିଛନ୍ତି । ଭାବିଶ ଅଗ୍ରୱାଲ ମାଇକ୍ରୋସଫ୍ଟ ଚାକିରି ଛାଡି ୨୦୧୦ ମସିହାରେ ଓଲା କ୍ୟାବ୍ସ କମ୍ପାନିର ପ୍ରତିଷ୍ଠା କରିଥିଲେ। ପରେ ପରେ ଓଲା କମ୍ପାନିର ସବୁଠୁ ବଡ଼ ପ୍ରତିଦ୍ୱନ୍ଦୀ ଉବର କ୍ୟାବକୁ ପଛରେ ପକାଇଥିଲେ। ଏବେ ଓଲା ଇଲେକ୍ଟ୍ରିକ ଗାଡି ଜରିଆରେ ଏଲନ ମସ୍କଙ୍କ ଟେସଲା ଏବଂ ଚୀନର ବିୱାଇଡି ପରି ଇଲେକ୍ଟ୍ରିକ୍ ଗାଡି ନିର୍ମାତା କମ୍ପାନିକୁ ମାତ୍ ଦେବା ଯୋଜନାରେ ଆଗକୁ ବଢୁଛି ।

ଦୁଇ ଚାକିଆ ଯାନ ନିର୍ମାଣରେ ଭାରତ ବିଶ୍ୱର ସବୁଠୁ ବଡ଼ ନିର୍ମାତା । ଏହାସହ ସବୁଠୁ ବଡ଼ ବୈଶ୍ୱିକ ବଜାର । ଗବେଷଣା ଏବଂ ମାର୍କେଟ ଅନୁସାରେ ଭାରତ ଚଳିତ ଦଶନ୍ଧି ଶେଷ ସୁଦ୍ଧା ଇଲେକ୍ଟ୍ରିକ ଦୁଇ ଚକିଆ ଯାନ ମାମଲାରେ ୧୫୦ ବିଲିୟନ ଡଲାର ବଜାର ହୋଇପାରେ । ବର୍ତ୍ତମାନ ବଜାର ଆକାର ଠାରୁ ଏହା ପ୍ରାୟ ୪୦୦ ଗୁଣା ଅଧିକ ହେବ।

ଇଲେକ୍ଟ୍ରିକ ବାହନର ବିସ୍ତାରିତ ବଜାରରେ ନିଜର ଉପସ୍ଥିତିକୁ ମଜଭୁତ କରିବା ପାଇଁ ଓଲା ଟୁ ହ୍ୱିଲର ପରେ ଏବେ ଚାରି ଚକିଆ ଗାଡି ଉପରେ କାମ କରିବା ଆରମ୍ଭ କରିଛି । ବେଙ୍ଗାଲୁରୁ ସ୍ଥିତି କମ୍ପାନିର ମୁଖ୍ୟାଳୟରେ ଗତ ମାସରେ ଏକ ବୟାନ ନେଇ ଅଗ୍ରୱାଲ କହିଥିଲେ ଯେ, ଆମେ ସହଜ ରାସ୍ତାରେ ଚାଲୁ ନାହୁଁ ଆମର ଚିନ୍ତାଧାରା ଏବଂ ଆବେଗ ଉଚ୍ଚରେ ରହିଛି । ଏଥିପାଇଁ ଆମେ ଆମ ପାଇଁ ଏବଂ କମ୍ପାନି ପାଇଁ କୌଣସି ସହଜ ରାସ୍ତା ଚୟନ କରିବାକୁ ଚାହୁଁନାହୁଁ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.