ସରକାରୀ ବିରୋଧୀ ମନ୍ତବ୍ୟ ଦେବା ପଡିଲା ମହଙ୍ଗା, ଏହି ଦେଶରେ ତୈଳ ଅଧିକାରୀଙ୍କ ସିରିଏଲ ମୃତ୍ୟ

Published By : Prameya-News7 Bureau | September 07, 2022 IST

ନୂଆଦିଲ୍ଲୀ, ୦୭/୦୯: ରହସ୍ୟମୟ ରାଷ୍ଟ୍ର ରୁଷ । ବର୍ଷ ଆରମ୍ଭରୁ ୬ମାସ ମଧ୍ୟରେ ଏଠାରେ ୮ ଜଣ ନାମୀ ଶିଳ୍ପ ଅଧିକାରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଲାଣି । ଏଥିମଧ୍ୟରୁ କେତେ ଜଣ ଆତ୍ମହତ୍ୟା କରିଥିବାବେଳେ ଆଉ କେତେ ଜଣ ରହସ୍ୟମୟ ଦୁର୍ଘଟଣାର ସାମ୍ନା କରିଛନ୍ତି । ଏହି ୮ ଜଣ ଶିଳ୍ପପତିଙ୍କ ମଧ୍ୟରୁ ୬ ଜଣ ହେଉଛନ୍ତି ତୈଳ ଏବଂ ଗ୍ୟାସ ଶିଳ୍ପ ସହ ଜଡ଼ିତ ବଡ଼ ବଡ଼ କମ୍ପାନିଗୁଡ଼ିକର ଉଚ୍ଚ ପଦବୀଧାରୀ ।

ଏହି ୬ ଜଣ ରୁଷର ଦୁଇ ବଡ଼ ଶକ୍ତି କମ୍ପାନି ସହ ଜଡ଼ିତ ଥିଲେ । ଏହି ୬ ଜଣରୁ ୪ ଜଣ ରୁଷର ରାଷ୍ଟ୍ରାୟତ୍ତ ଶକ୍ତି କମ୍ପାନି ଗାଜ୍‌ପ୍ରୋମ୍‌ ସହିତ ଥିଲେ । ଅନ୍ୟ ଦୁଇ ଜଣ ରୁଷର ସର୍ବବୃହତ୍‌ ଘରୋଇ ତୈଳ ଏବଂ ଗ୍ୟାସ କମ୍ପାନି ଲୁକ୍‌ଅଏଲ୍‌ ସହିତ ଜଡ଼ିତ ଥିଲେ । ତେବେ ଏସବୁ ମୃତ୍ୟୁ ସ୍ୱଭାବିକ ନୁହେଁ । ବରଂ ବଡ଼ ଧରଣର ଷଡ଼ଯନ୍ତ୍ର ହୋଇଥାଇପାରେ ବୋଲି ବିଶ୍ୱର ବିଭିନ୍ନ ଏଜେନ୍ସି ଅନୁମାନ କରିଛନ୍ତି ।

ୟୁକ୍ରେନ ଉପରେ ରୁଷର ଆକ୍ରମଣକୁ ଲୁକ୍‌ଅଏଲ୍‌ ଚଳିତବର୍ଷ ପ୍ରାରମ୍ଭରେ ବିରୋଧ କରିଥିଲା । ଯୁଦ୍ଧରେ ପ୍ରାଣ ହରାଇଥିବା ୟୁକ୍ରେନବାସୀଙ୍କୁ ସମବେଦନା ଜଣାଇଥିଲା । ଯୁଦ୍ଧକୁ ବନ୍ଦ କରିବା ପାଇଁ ଏହା ଅନୁରୋଧ କରିଥିଲା । ଏସବୁ ମଧ୍ୟରେ ଚଳିତ ସପ୍ତାହରେ ଲୁକ୍‌ଅଏଲ୍‌ର ଅଧ୍ୟକ୍ଷ ରାଭିଲ୍‌ ମାଗାନୋଭ୍‌ଙ୍କର ମୃତ୍ୟୁ ଘଟିଛି । ମସ୍କୋରେ ଏକ ଡାକ୍ତରଖାନାର ଝରକାରୁ ଖସି ତାଙ୍କର ମୃତ୍ୟୁ ଘଟିଥିବା ରୁଷର ଏକ ସରକାରୀ ଖବର ଏଜେନ୍ସିରୁ ସୂଚନା ମିଳିଛି ।

ଗୁରୁବାର ଲୁକ୍‌ଅଏଲ ପକ୍ଷରୁ ରାଭିଲଙ୍କ ମୃତ୍ୟୁକୁ ନେଇ ସ୍ପଷ୍ଟ କରାଯାଇଛି । କିନ୍ତୁ ଭିନ୍ନ କାରଣ ଦିଆଯାଇଛି । ହସ୍ପିଟାଲ ଝରକାରୁ ଖସିବା କଥା ଏଥିରେ ନାହିଁ । ଶାରୀରିକ ଅସୁସ୍ଥି ତାଙ୍କ ମୃତ୍ୟୁର କାରଣ ବୋଲି କମ୍ପାନି ପ୍ରକାଶ କରିଛି । ଏସବୁ ମଧ୍ୟରେ ରାଭିଲଙ୍କ ମୃତ୍ୟୁକୁ ନେଇ ଏକ ପ୍ରକାର ରହସ୍ୟ ଦେଖାଦେଇଛି । ପ୍ରକୃତ କାରଣ କ’ଣ ତାହାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ୟୁକ୍ରେନ ଯୁଦ୍ଧ ବିରୋଧୀ ମନ୍ତବ୍ୟ ହୁଏତ ତାଙ୍କ ପାଇଁ କାଳ ହୋଇଥାଇପାରେ ବୋଲି ଅନ୍ତର୍ଜାତୀୟ ମହଲରେ ଆଲୋଚନା କରାଯାଉଛି । ଏଥିରେ ହୁଏତ ପୁଟିନ ସରକାରଙ୍କ ହାତ ଥାଇପାରେ ବୋଲି କୁହାଯାଉଛି । ରାଭିଲ କେବଳ ଲୁକ୍‌ଅଏଲ୍‌ର ସମୃଦ୍ଧିରେ ମହତ୍‌ ଅବଦାନ ଦେଇ ନ ଥିଲେ ବରଂ ରୁଷର ସମଗ୍ର ତୈଳ ଏବଂ ଗ୍ୟାସ ଶିଳ୍ପ ପାଇଁ କାର୍ଯ୍ୟ କରିଥିଲେ ।

ଲୁକ୍‌ଅଏଲ୍‌ର ଆଉ ଜଣେ ବରିଷ୍ଠ ଅଧିକାରୀ ଆଲେକ୍‌ଜାଣ୍ଡର ସକ୍ରୋଟିନ୍‌ଙ୍କ ମୃତ ଦେହ ମସ୍କୋ ନିକଟରୁ ମେ’ ମାସରେ ମିଳିଥିଲା । ଏହି ମୃତ୍ୟୁ ମଧ୍ୟ ରହସ୍ୟଜନକ ରହିଥିଲା । ୟୁକ୍ରେନ ଯୁଦ୍ଧକୁ ନେଇ ଲୁକ୍‌ଅଏଲ୍‌ ପ୍ରବଳ ବିରୋଧ କରିଥିବାରୁ ଏହାର ଅଧିକାରୀମାନଙ୍କୁ ଦଶା ଭୋଗିବାକୁ ପଡ଼ିଥିବା ଆଶଙ୍କା କରାଯାଉଛି ।

ପୂର୍ବରୁ ଜାନୁଆରୀ ୩୦ରେ ଗାଜ୍‌ପ୍ରୋମ୍‌ର ଜଣେ ବରିଷ୍ଠ ଅଧିକାରୀଙ୍କ ମୃତଦେହ ଲେନିନ୍‌ଗ୍ରାଡ୍‌ ନିକଟସ୍ଥ ଲେନିନ୍‌ସ୍କାଏ ଗ୍ରାମରେ ଥିବା ତାଙ୍କ ଘରୁ ମିଳିଥିଲା । ଘଟଣା ସ୍ଥଳରୁ ଏକ ସୁଇସାଇଡ୍‌ ଲେଟର ମିଳିଥିଲା । ଏହାକୁ ନେଇ ତଦନ୍ତ ଚାଲିଛି । ଏହି ବ୍ୟକ୍ତିଜଣଙ୍କର ନାଁ ହେଉଛି ଲିଓନିଡ୍‌ ସୁଲ୍‌ମାନ । ସେ ଗାଜ୍‌ପ୍ରୋମ ଇନ୍‌ଭେଷ୍ଟର ପରିବହନ ବିଭାଗ ମୁଖ୍ୟ ।

ଏହାର ମାସକ ପରେ ଗାଜ୍‌ପ୍ରୋମ୍‌ର ଆଉ ଜଣେ ବରିଷ୍ଠ ଅଧିକାରୀଙ୍କ ମୃତ ଦେହ ସମାନ ଗ୍ରାମରୁ ମିଳିଥିଲା । ଫେବ୍ରୁଆରୀ ୨୫ରେ ଆଲେକ୍‌ଜାଣ୍ଡର ତ୍ୟୁଲାକୋଭ୍‌ଙ୍କ ମୃତଦେହ ତାଙ୍କ ଗ୍ୟାରେଜରୁ ମିଳିଥିଲା । ମୃତ୍ୟୁର କାରଣ ଆତ୍ମହତ୍ୟା ବୋଲି କୁହାଯାଇଥିଲା । ତଦନ୍ତ ଏଜେନ୍ସିକୁ ଏହି ଦୁଇ ମାମଲାରେ ପ୍ରତିକ୍ରିୟା ଦେବାକୁ କୁହାଯାଇଥିବାବେଳେ କୌଣସି ରେସ୍‌ପନ୍ସ ମିଳିନାହିଁ । ଗାଜ୍‌ପ୍ରୋମ୍‌ ସହ ଜଡ଼ିତ ଆଉ ଦୁଇ ଜଣ ରୁଷ ଅଧିକାରୀଙ୍କର ମଧ୍ୟ ଏପ୍ରିଲରେ ସନ୍ଦେହଜନକ ମୃତ୍ୟୁ ଘଟିଛି ।

ରୁଷ ନେତୃତ୍ୱକୁ ବିରୋଧ କରି ଆସୁଥିବା ବ୍ୟକ୍ତିମାନଙ୍କ ଜୀବନ ପ୍ରତି ଭୟ ରହୁଥିବା ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି । ଭାରତରେ ବୃହତ୍‌ ଭାଗ ଜନସଂଖ୍ୟା ରୁଷ ରାଷ୍ଟ୍ରପତି ପୁଟିନ୍‌କୁ ହିରୋ ଆଖ୍ୟା ଦେଉଥିବାବେଳେ ଏହା ନିଶ୍ଚିତ ଭାବେ ସେମାନଙ୍କ ପାଇଁ ଏକ ବଡ଼ ଟର୍ଣ୍ଣିଂ ପଏଣ୍ଟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.