ଦେଶରେ ହ୍ରାସ ହୋଇପାରେ ପେଟ୍ରୋଲ ଓ ଡିଜେଲ ଦର, ଜାଣନ୍ତୁ କମିବ କେତେ?

Published By : Prameya-News7 Bureau | September 13, 2024 IST

ନୂଆଦିଲ୍ଲୀ ୧୩।୯: ଅଶୋଧିତ ତୈଳ ଦର ଲଗାତାର ହ୍ରାସ ମଧ୍ୟରେ ପେଟ୍ରୋଲିୟମ ସେକ୍ରେଟାରୀ ପଙ୍କଜ ଜୈନ ସଂକେତ ଦେଇଛନ୍ତି ଯେ ଯଦି ଅନ୍ତର୍ଜାତୀୟ ବଜାରରେ ତୈଳ ଦର ଦୀର୍ଘ ସମୟ ପର୍ଯ୍ୟନ୍ତ କମ ରହେ, ତେବେ ତୈଳ ମାର୍କେଟିଂ କମ୍ପାନୀମାନେ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ କରିପାରନ୍ତି। ଜୈନଙ୍କ ଏହି ଟିପ୍ପଣୀ ଏପରି ସମୟରେ ଆସିଛି ଯେତେବେଳେ ଅଶୋଧିତ ତୈଳ ମୂଲ୍ୟ ୩ ବର୍ଷର ସର୍ବ ନିମ୍ନ ସ୍ତରକୁ ପହଞ୍ଚିଛି ଓ ଆଶା କରାଯାଉଛି ପେଟ୍ରୋଲ ଡିଜେଲ ଦର ହ୍ରାସ ହେବ। 

୧୫ ମାର୍ଚ୍ଚ ୨୦୨୪ରେ ଲୋକସଭା ନିର୍ବାଚନ ପୂର୍ବରୁ ଶେଷ ଥର ଦେଶରେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୨ ଟଙ୍କା ଲେଖାଏଁ ହ୍ରାସ କରାଯାଇଥିଲା। ଆଗକୁ ହରିୟାଣା ଓ ଜମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନ ଏଣୁ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ହ୍ରାସର ଆଶା କରାଯାଉଛି। ପେଟ୍ରୋଲିୟମ ମନ୍ତ୍ରାଳୟଙ୍କ ପେଟ୍ରୋଲିୟମ ପ୍ଲାନିଂ ଆଣ୍ଡ ଆନାଲିସିସ୍ ସେଲ(ପିପିଏସି) ତଥ୍ୟ ମୁତାବକ ଗତ ୬ ମାସରେ ଇଣ୍ଡିଆନ ବାସ୍କେଟରେ ଅଶୋଧିତ ତୈଳ ମୂଲ୍ୟ ୨୦.୬୧ ପ୍ରତିଶତ ହ୍ରାସ ହୋଇଛି। 

ଏପ୍ରିଲ ୨୦୨୪ରେ ଏହା ପ୍ରତି ବ୍ୟାରଲ ୮୯.୪୪ ଡଲାର ଥିଲା, ଯାହା ଏବେ ବ୍ୟାରଲ ପିଛା ୭୧ ଡଲାରକୁ କମି ଆସିଛି। ଏହା ସତ୍ତ୍ୱେ ଗତ ୩୦ ମାସରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ କେବଳ ଦୁଇ ଥର ହ୍ରାସ ହୋଇଛି। ଏଣୁ ରିଫାଇନିଂ ମାର୍ଜିନର ତୈଳ କମ୍ପାନୀମାନେ ବେଶ ଲାଭ ଅର୍ଜନ କରିଛନ୍ତି। ୨୦୨୨-୨୩ରେ କମ୍ପାନୀମାନେ ଗୋଟିଏ ବ୍ୟାରଲ ତୈଳ ରିଫାଇନିଂରୁ ଲିଟରପିଛା ୯.୫୭ ଟଙ୍କା ଲାଭ ପାଇଛନ୍ତି। ଏହି ଲାଭ ୨୦୨୩-୨୪ରେ ଲିଟର ପିଛା ୬.୫୦ଟଙ୍କା ରହିଛି। ଯଦି କମ୍ପାନୀମାନେ ଏହି ମାର୍ଜିନର ଅଧା ଲାଭ ଗ୍ରାହକଙ୍କୁ ଦିଅନ୍ତି ତେବେ ପେଟ୍ରୋଲ ଲିଟର ପିଛା ୧୦ ଟଙ୍କା ଓ ଡିଜେଲ ୬-୮ ଟଙ୍କା ଶସ୍ତା ହୋଇପାରେ। 

ଦେଶରେ ୨୭ କୋଟି ଦୁଇଚକିଆ, ୫୮ ଲକ୍ଷ ଭାରି ବାହନ ଓ ୬ କୋଟି ଘରୋଇ ବାହନ ଅଛି। ପେଟ୍ରୋଲ ଓ ଡିଜେଲ ମୂଲ୍ୟ ହ୍ରାସ ହେଲେ ଏହି ବାହନ ମାଲିକମାନଙ୍କୁ ସିଧା ଲାଭ ମିଳିବ। ଏହି ସହିତ ମାଲଭଡ଼ା ହ୍ରାସ ହେବା ଯୋଗୁ ବଜାରଦର ମଧ୍ୟ କମିବ। ଫଳରେ ମୁଦ୍ରାସ୍ପିତି ନିୟନ୍ତ୍ରଣକୁ ଆସିବ। ଗତ ଥର ପେଟ୍ରୋଲ ଓ ଡିଜେଲ ମୂଲ୍ୟ ହ୍ରାସ ମାର୍ଚ୍ଚ ୨୦୨୪ ହୋଲି ସମୟରେ ହୋଇଥିଲା, ଯାହା ପରେ ଲୋକସଭା ନିର୍ବାଚନ ହୋଇଥିଲା। ଏବେ ଆଗକୁ ଉତ୍ସବ ଋତୁ ଓ ବିଧାନସଭା ନିର୍ବାଚନ। ଏଣୁ ଅକ୍ଟୋବରରେ ସମ୍ଭାବିତ ହ୍ରାସ ଅନୁମାନକୁ ଏବେ ଦୀପାବଳି ଓ ନିର୍ବାଚନ ଉପହାର ଭାବେ ଦେଖାଯାଉଛି।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.