ନୂଆଦିଲ୍ଲୀ: ଦୁବାଇରେ ଅଶୋଧିତ ତୈଳ ମିଳିବା ପରେ ୟୁନାଇଟେଡ୍ ଆରବ ଏମିରାଟରେ ଟଙ୍କା ବର୍ଷା ଆରମ୍ଭ ହୋଇଗଲା। ଚାହୁଁ ଚାହୁଁ ଦରିଦ୍ରତା ସୀମାରୁ ଉଠି ୟୁଏଇ ଧନୀ ଦେଶ ପାଲଟିଗଲା। ବର୍ତ୍ତମାନ ୟୁଏଇ ବିଶ୍ୱର ଧନୀ ଦେଶ ତାଲିକାରେ ଗଣତି ହେଉଛି। ସେଠାରେ ସବୁ କୋଟିପତି ବସବାସ କରୁଛନ୍ତି। ଆଉ କିଛି ବର୍ଷ ପରେ ଭାରତର ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନରେ ବି ସେଭଳି ପରିବର୍ତ୍ତନ ହେବାକୁ ଯାଉଛି। କାରଣ ପାକିସ୍ତାନ ସାମୁଦ୍ରିକ ସୀମାରେ ଏକ ବଡ଼ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସର ଭଣ୍ଡାର ମିଳିଛି। ଏହାକୁ ବ୍ୟବହାର କରି ପାକିସ୍ତାନ ଭାରତ ଠାରୁ ବି ଖୁବ୍ ଆଗକୁ ଚାଲିଯିବ।
ପାକିସ୍ତାନର ପ୍ରମୁଖ ଟିଭି ଚ୍ୟାନେଲ ଡନ ନ୍ୟଜ୍ ଟିଭିରେ ଶୁକ୍ରବାର ପ୍ରକାଶିତ ଖବର ଅନୁସାରେ, ଦୀର୍ଘ ୩ ବର୍ଷ ଧରି ସର୍ଭେ କରିବା ପରେ ଏହି ତେଲ ଭଣ୍ଡାର ମିଳିଛି। ଯାହା ବିଶ୍ୱର ଚତୁର୍ଥ ସବୁଠାରୁ ବଡ଼ ପେଟ୍ରୋଲିୟମ ରିଜର୍ଭ ହେଇପାରେ ବୋଲି କୁହାଯାଉଛି। ଏବେ ପାକିସ୍ତାନ ତୁରନ୍ତ ଏହାର ପାଇଦା ଉଠାଇ ଦେଶର ଖରାପ ପରିସ୍ଥିତି ସୁଧାରିବାକୁ ଚାହିଁବ। ତେଣୁ ଖୁବ୍ଶୀଘ୍ର ତୈଳ ଉତ୍ପାଦନ ପାଇଁ ଓ ଏକ୍ସପ୍ଲୋରେସନ ଇତ୍ୟାଦି ପାଇଁ ଟେଣ୍ଡର ଡକାଯିବ। ତେବେ ଅଶୋଧିତ ତୈଳ ଉତ୍ପାଦନ ହେବାକୁ ଆଉ କିଛି ସମୟ ଲାଗିପାରେ।
ତେବେ ବର୍ତ୍ତମାନ ସମୟରେ ବେନୁଜୁଏଲା ପାଖରେ ଦୁନିଆର ସବୁଠାରୁ ବଡ଼ ତୈଳ ଭଣ୍ଡାର ରହିଛି। ତା ପଛକୁ ସାଉଦି ଆରବ, କାନାଡ଼ା ଓ ଇରାକ ଦୁନିଆର ଟପ୍ ୫ ତେଲ ଉତ୍ପାଦନକାରୀ ଦେଶ ହୋଇଛନ୍ତି। ଅନ୍ୟପଟେ ଆମେରିକା ପାଖରେ ସର୍ବାଧିକ ଗଚ୍ଛିତ କରାଯାଇଥିବା ତୈଳ ଭଣ୍ଡାର ରହିଛି।
ପାକିସ୍ତାନ ଅଧିକାରୀଙ୍କ ଅନୁସାରେ, ଯଦି କ୍ରୁଡ ଅଏଲ ସ୍ଥାନରେ ପ୍ରାକୃତିକ ଗ୍ୟସ ଭଣ୍ଡାର ମିଳେ ତେବେ ଦେଶ ଏଲଏନ୍ଜି ଆମଦାନୀକୁ ରପ୍ତାନୀରେ ପରିଣତ କରିଦେବ। ତେବେ ଏହି ପେଟ୍ରୋଲିୟମ ଭଣ୍ଡାରର ଏକ୍ସପ୍ଲୋରେସନ ପାଇଁ ପାକିସ୍ତାନକୁ ୫ ଆରବ ଡଲାର ଖର୍ଚ୍ଚ କରିବାକୁ ପଡ଼ିବ।
ପାକିସ୍ତାନ ବର୍ତ୍ତମାନ ବିଶ୍ୱର ଟପ୍ ୩୦-ଅଶୋଧିତ ତୈଳ ଆମଦାନୀକାରୀ ରାଷ୍ଟ୍ର ମଧ୍ୟରେ ରହିଛି। ଏହାର ବାର୍ଷିକ ଅଶୋଧିତ ତୈଳ ଳ ଆମଦାନୀ ୫ ବିଲିୟନ ଡଲାରରୁ ଅଧିକ। ପାକିସ୍ତାନ ପାଇଁ ଅଶୋଧିତ ତୈଳର ସବୁଠାରୁ ବଡ ଉତ୍ସ ହେଉଛି ସାଉଦି ଆରବ। ଏହାପରେ ସେ ୟୁଏଇ, କୁଏତ ଏବଂ ନେଦରଲ୍ୟାଣ୍ଡରୁ ମଧ୍ୟ ତୈଳ ଆମଦାନୀ କରୁଛି।