ଯୁବ ଆଥ୍‌ଲେଟ୍‌ଙ୍କ ପାଇଁ ଆଗେଇ ଆସିଲା ଓଡିଏମ୍ ଏଜୁକେସନାଲ୍ ଗ୍ରୁପ୍, ଘୋଷଣା କଲା ୨ କୋଟି ଟଙ୍କାର କ୍ରୀଡା ସ୍କଲାରସିପ୍

Published By : Prameya-News7 Bureau | June 04, 2022 IST

ଭୁବନେଶ୍ୱର-୪/୬: ଭୁବନେଶ୍ୱରର ଓଡିଏମ୍ ଗ୍ଲୋବାଲ୍ ସ୍କୁଲ୍‌ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଓଡିଏମ୍ ଏଜୁକେସନାଲ୍ ଗ୍ରୁପ୍‌ର ମୁଖ୍ୟ କାର୍ଯ୍ୟକାରିଣୀ ଅଧିକାରୀ (ସିଓଓ) ଆସନ୍ତା ପାଞ୍ଚ ବର୍ଷ ପାଇଁ ୨କୋଟି ଟଙ୍କାର ଏକ କ୍ରୀଡା ସ୍କଲାର୍‌ସିପ୍ ପାଣ୍ଠି ଆରମ୍ଭ କରିବାକୁ ଘୋଷଣା କରିଛନ୍ତି। ଯେଉଁଥିରେ ଓଡିଏମ୍ ସାରା ରାଜ୍ୟରେ ସର୍ବୋତ୍ତମ ଉଦୀୟମାନ କ୍ରୀଡା ପ୍ରତିଭା ଚୟନ କରିବ ତଥା ସେହି ପ୍ରତିଭାଶାଳୀ ଛାତ୍ରଛାତ୍ରୀମାନଙ୍କର ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ନିଃଶୁକ୍ଳ ପଠନ-ପାଠନ ଓ କ୍ରୀଡା-ପ୍ରଶିକ୍ଷଣର ଦାୟିତ୍ବ ବହନ କରିବ । ଆଥଲେଟ୍‌ମାନେ ସେମାନଙ୍କର ଖେଳ ପ୍ରତିଭାର ଆଧାର କରି ମନୋନୀତ ହେବେ ।

ଭୁବନେଶ୍ୱର ଭିତ୍ତିକ ଏ.ଏଫ୍‌.ଏ. (ଆର୍ଡୋର ଫୁଟ୍‌ବଲ୍ ଏକାଡେମୀ), ଏନ୍‌.ବି.ଏ ବାସ୍କେଟ୍ ବଲ ଏକାଡେମୀ, ରୋହିତ ଶର୍ମା କ୍ରିକେଟ୍ ଏକାଡେମୀ ଓ ମହେଶ୍ ଭୂପତି ଟେନିସ୍ ଏକାଡେମୀ ପରି ପ୍ରଖ୍ୟାତ କ୍ରୀଡାସଂସ୍ଥାନମାନଙ୍କ ସହିତ ସହଭାଗୀ ହୋଇ ଓଡିଏମ୍ ଖେଳ ପ୍ରତିଭା ସମ୍ପର୍ଣ୍ଣ ଛାତ୍ରଛାତ୍ରୀମାନଙ୍କ ନିରନ୍ତର ଅନ୍ୱେଷର କରିବା ଆରମ୍ଭ କରିଛି। ସେମାନଙ୍କର ବୃହତ୍ତର ଉଜ୍ଜ୍ୱଳ ଭବିଷ୍ୟତର ପ୍ରତିଷ୍ଠା ହେତୁ ତଥା କ୍ରୀଡାକ୍ଷେତ୍ରରେ ଆମ ରାଜ୍ୟର ଉତ୍ତରୋତ୍ତର ଅଭିବୃଦ୍ଧି ଉଦ୍ଦେଶ୍ୟରେ ଏହି କ୍ରୀଡାମେଧାବୃତ୍ତି ଯୋଜନା ଅନ୍ତର୍ଗତ ଏ.ଏଫ୍‌.ଏ (ଆର୍ଡୋର ଫୁଟବଲ୍‌ ଏକାଡେମୀ) ର ଜୟଦେବ ମହାପାତ୍ରଙ୍କ ସହିତ ସ୍ୱୟନ୍ ସତ୍ୟେନ୍ଦୁ ପ୍ରଥମ ଦୁଇ ପ୍ରାପ୍ତକର୍ତ୍ତାଙ୍କ ନାମ ଘୋଷଣା କରିଥିଲେ । ସାଲିଆ ସାହି ବସ୍ତିର ବାସିନ୍ଦା କୁଳଦୀପ ହେମ୍ବ୍ରମ୍ (ବୟସ-୮ବର୍ଷ)ଙ୍କୁ ଓଡିଏମ୍ ଗ୍ଲୋବାଲ୍‌ ସ୍କୁଲ୍‌ରେ ୧୦୦% ଛାତ୍ରବୃତ୍ତି ପ୍ରଦାନ କରଯାଇଛି । ଏହି ଯୁବ ପ୍ରତିଭା ପଞ୍ଜାବ ଏଫ୍‌.ସି ନାମକ ଏକ ବୃତ୍ତିଗତ ଆଇ-ଲିଗ୍ କ୍ଲବ୍ ଦ୍ୱାରା ମଧ୍ୟ ମନୋନୀତ ହୋଇଛନ୍ତି ।

ଏହି କ୍ରୀଡା-ଛାତ୍ରବୃତ୍ତିର ଦ୍ୱିତୀୟ ପ୍ରାପ୍ତକର୍ତ୍ତା ହେଲେ ୧୬ ବର୍ଷୀୟ ପୃଥିବୀରାଜ ଦାସ ଯିଏ କି କଳିଙ୍ଗ ଷ୍ଟାଡିୟମ୍‌ରେ ଚାଲିଥିବା ଭାରତ U-16 / U-17ଫୁଟ୍‌ବଲ୍ ଯୁବ ଶିବିରର ଅଂଶ ଅଟନ୍ତି । ତାଙ୍କୁ ମଧ୍ୟ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଓଡିଏମ୍ ପବ୍ଲିକ୍ ସ୍କୁଲ୍‌ରେ ୧୦୦% ଛାତ୍ରବୃତ୍ତି ପ୍ରଦାନ କରାଯାଇଛି । ଏହି ଅବସରରେ କ୍ରୀଡାବିତ୍ ତଥା ଗଣମାଧ୍ୟମ ସଦସ୍ୟଙ୍କ ଏକ ସମାବେଶକୁ ସମ୍ବୋଧିତ ଓଡିଏମ୍‌ ଏଜୁକେସନାଲ୍ ଗ୍ରୁପ୍‌ର ସିଓଓ ସ୍ୱୟନ୍ ସତ୍ୟେନ୍ଦୁ କହିଛନ୍ତି ଯେ ବିଭିନ୍ନ ପଦକ୍ଷେପ ଏବଂ କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କ ଯୋଗ୍ୟତା ପାଇଁ ଓଡିଏମ୍ କ୍ରମାଗତ ଭାବରେ ପ୍ରଚେଷ୍ଟାରତ ରହିଛି ।

ସେ କହିଛନ୍ତି “ଖେଳ-ମେଧାବୃତ୍ତି ପାଣ୍ଠି ସହିତ ଉପଯୁକ୍ତ ପରିବେଶ, ପରାମର୍ଶ ଓ ପ୍ରଶିକ୍ଷଣ ଦେବା ସହ ଆମେ ରାଜ୍ୟର ବିଭିନ୍ନ ସ୍ଥାନରେ ଲୁକ୍କାୟିତ ରହିଥିବା ଯୁବ କ୍ରୀଡାବିତ୍ ମାନଙ୍କୁ ଭିତ୍ତିଭୂମି ସହାୟତା ପ୍ରଦାନ କରିବୁ ତଥା ସେମାନଙ୍କୁ ରାଜ୍ୟସ୍ତରୀୟ, ରାଷ୍ଟ୍ରସ୍ତରୀୟ ଏବଂ ବିଶ୍ୱସ୍ତରୀୟ କ୍ରୀଡାଭୂମିରେ ପ୍ରତିଷ୍ଠିତ କରିବାକୁ ଓଡିଏମ୍ ସର୍ବଦା ବଦ୍ଧ ପରିକର ରହିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.