ଓଡ଼ିଆ ଅଧ୍ୟାପକଙ୍କ ଆତ୍ମହତ୍ୟା : ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର
31/08/2020 at 11:26 AM

ବଲାଙ୍ଗୀର ୩୧/୮: ଓଡ଼ିଆ ଅଧ୍ୟାପକଙ୍କ ଆତ୍ମହତ୍ୟା ଅଭିଯୋଗ ହୋଇଛି । ଆଜି ବଲାଂଗୀର ଆଲୋକ ନଗର ସ୍ଥିତ ତାଙ୍କ ଭଡାଘରରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରିଛି ପୋଲିସ୍। ସେ ବେକରେ ପ୍ଲାଷ୍ଟିକ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି।
ମୃତକ ଅଧ୍ୟାପକ ଜଣକ ହେଲେ ପ୍ରକାଶ ଚନ୍ଦ୍ର ସାହୁ। ତାଙ୍କ ବୟସ ୪୫ବୋଲି ଜଣାପଡ଼ିଛି। ସେ ରାଜେନ୍ଦ୍ର ମହାବିଦ୍ୟାଳୟରେ ଯୁକ୍ତ ୨ ଓଡ଼ିଆ ବିଭାଗରେ ପାଠ ପଢ଼ାଉ ଥିଲେ।
ତାଙ୍କ ନିଜ ଘର ବୌଦ୍ଧ ଜିଲ୍ଲା ମର୍ଯ୍ୟକୁଦ ଗାଁରେ ବୋଲି ଜଣାପଡିଛି। ତେବେ ଗତ କିଛି ଦିନ ହେଲା ତାଙ୍କ ଦେହ ଅସୁସ୍ଥ ଥିବାରୁ ସେ କଲେଜରୁ ଛୁଟି ନେଇ ଚିକିତ୍ସିତ ହେଉଥିଲେ। ତାଙ୍କୁ କରୋନା ଟେଷ୍ଟ କରିବା ପାଇଁ ଡାକ୍ତର ପରାମର୍ଶ ଦେଇଥିବାବେଳେ ତାକୁ ନେଇ ଚିନ୍ତିତ ଥିବା ସହ ତାଙ୍କ ମାନସିକ ସ୍ଥିତି ଠିକ୍ ନ ଥିବା କହିଛନ୍ତି ତାଙ୍କ ଘର ମାଲିକ। ତେବେ ଘଟଣା ସ୍ଥଳରେ ବଲାଂଗୀର ଟାଉନ ଥାନା ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଥିବା ବେଳେ ସାଇଣ୍ଟିଫିକ ଦଳ ପହଂଚି ତଦନ୍ତ ଆରମ୍ଭ କରିଛି।