ଓଡ଼ିଶା ଦର୍ଶକଙ୍କ ମନ ଜିଣୁଛି ‘ଜୀ ସାର୍ଥକ’ର ଓଡ଼ିଆ ଧାରାବାହିକ ‘ମୋ ଅଗଣାର ତୁଳସୀ ତୁ’

Published By : Prameya-News7 Bureau | August 08, 2022 IST

ଭୁବନେଶ୍ୱର ୦୮/୦୮: ସୁଦୂର ସମ୍ବଲପୁରର ନିପଟ ମଫସଲରେ ବଢ଼ିଥିବା ଝିଅଟି ରାଜଧାନୀ ଭୁବନେଶ୍ୱର ଆସିଛି ତାର ସ୍ୱପ୍ନକୁ ସତ କରିବାକୁ। ପରିସ୍ଥିତି ପରିବେଶ ତାକୁ ବାଧ୍ୟ କରିଛି ଜଣକ ଘରେ ରହିବାକୁ, ହାଣ୍ଡିଶାଳ ସମ୍ଭାଳିବାକୁ କିନ୍ତୁ ସେଇ ହାଣ୍ଡିଶାଳୁ ଏକ ବିରାଟ କମ୍ପାନୀର ବ୍ରାଣ୍ଡ ଆମ୍ବାସାଡର ହେବାକୁ ସକ୍ଷମ ହୋଇଛି। ‘ମୋ ଅଗଣାର ତୁଳସୀ ତୁ’ ଓଡ଼ିଆ ଧାରାବାହିକର ସୁଟିଂ ସେଟରେ ଏମିତି କିଛି ଦୃଶ୍ୟର ସୁଟିଂ ଚାଲିଥିବା ବେଳେ ଦେଖିବାକୁ ମିଳିଥିଲା ଗୋଟିଏ ସମ୍ଭ୍ରାନ୍ତ ପରିବାରର ନିୟମ କାନୁନ ଆଉ ଗୋଟିଏ ଗାଉଁଲୀ ଝିଅର ସିନ୍ଦୁରର ସୁରକ୍ଷାର ଚିତ୍ର।

‘ଜୀ ସାର୍ଥକ’ ରେ ପ୍ରସାରିତ ‘ମୋ ଅଗଣାର ତୁଳସୀ ତୁ’ର ସୁଟିଂ ଚାଲିଛି। ନିପଟ ମଫସଲ ଗାଁର ତୁଳସୀ ପରିବାରର ବୋଝ ହାଲୁକା କରିବାକୁ ଏବଂ ଭାଇର ଅସ୍ତ୍ରୋପଚାର କରିବାକୁ ଚିନ୍ତା କରିଛି। ତା ହାତ ତିଆରି କ୍ରୀମର ଦୋକାନ ଖୋଲି ଏସବୁ ଦୁଃଖଦୂର କରିବାକୁ ସେ ଚାହିଁଛି। କିନ୍ତୁ ଭାଗ୍ୟର ଖେଳ ଅଲଗା। ତୁଳସୀ ଭୁବନେଶ୍ୱର ଆସିଛି। ବିଶିଷ୍ଟ ଶିଳ୍ପପତି ଚିତ୍ରା ସାମନ୍ତରାୟଙ୍କ ହାଣ୍ଡିଶାଳ ସମ୍ଭାଳିବା ଦାୟିତ୍ୱ ମିଳିଛି ତୁଳସୀକୁ। ନିଜ ଦାୟିତ୍ୱ ଅତି ନିଖୁଣତାର ସହ ସମ୍ଭାଳୁଥିବା ତୁଳସୀକୁ ସାମନ୍ତରାୟ ପରିବାର ଆପଣାଇ ନେଇଛି। ରୋଷେୟାରୁ କମ୍ପାନୀର ବ୍ରାଣ୍ଡ ଆମ୍ବାସାଡାର ହୋଇଛି ତୁଳସୀ । ହେଲେ ତୁଳସୀ ଭିତରେ ସେଭଳି କିଛି ପରିବର୍ତ୍ତନ ଆସିନାହିଁ ବରଂ ସେ କାଲି ଯାହା ଥିଲା ଆଜି ବି ସେମିତି ରହିଛି।

ତେବେ ହଠାତ ତୁଳସୀର ନିକଟତର ହୁଅନ୍ତି ଶିଳ୍ପପତି ଚିତ୍ରା ସାମନ୍ତରାୟଙ୍କ ବଡ଼ ପୁଅ ଚନ୍ଦନ। ସମୟ ଓ ପରିସ୍ଥିତି ତୁଳସୀକୁ ଏମିତି ଏକ ମୋଡ଼ରେ ଛିଡା କରିଦିଏ ଯେଉଁଠି ସେ ଆତ୍ମହତ୍ୟାର ରାସ୍ତା ବାଛିନିଏ। ତେବେ ତୁଳସୀ ଜୀବନରେ ଚନ୍ଦନର ଭୂମିକା କିଭଳି ରହୁଛି ଓ ଉଭୟଙ୍କୁ ସାମନ୍ତରାୟ ପରିବାର କେଉଁଭଳି ଗ୍ରହଣ କରୁଛନ୍ତି ତାକୁ ନେଇ କାହାଣୀ ଗତିଶୀଳ ହୋଇଛି। ଓଡ଼ିଶାର ଲୋକପ୍ରିୟ ମନୋରଞ୍ଜନ ଚ୍ୟାନେଲ ‘ଜୀ ସାର୍ଥକ’ରେ  ପ୍ରସାରିତ ହେଉଛି ‘ମୋ ଅଗଣାର ତୁଳସୀ ତୁ’। ଯାହାକୁ ଓଡ଼ିଆ ଦର୍ଶକମାନେ ବେଶ ପସନ୍ଦ କରୁଥିବା ଦେଖିବାକୁ ମିଳିଛି।

ଏଥିରେ ଅଙ୍କିତ, ହିରଣ୍ମୟୀ, ଡେଜି, ସୋମା ହୋତା, ନମିତା ଅଭିନୟ କରୁଛନ୍ତି। ନିର୍ଦ୍ଦେଶନାରେ ଅଛନ୍ତି ସରୋଜ ଦାସ, ସଂଳାପ ରଚନା ଆଲୋକ ରାୟ କରିଥିବା ବେଳେ ପ୍ରଯୋଜନା କରୁଛନ୍ତି ବିଜୟ କାଣ୍ଡୋଇ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.