ଓଡ଼ିଶାର ସଂକଳ୍ପ ସ୍ପଷ୍ଟ, ‘ଅବ୍ କି ବାର୍ ୪୦୦ ପାର୍’: ପ୍ରଧାନମନ୍ତ୍ରୀ

Published By : Prameya-News7 Bureau | March 05, 2024 IST

ଚଣ୍ଡିଖୋଲ: ଦିନିକିଆ ଓଡ଼ିଶା ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଣ୍ଡିଖୋଲରେ ଏକ ବିଶାଳ ଜନସଭାକୁ ସମ୍ୱୋଧିତ କରିଛନ୍ତି । ଜନସଭାରେ କେନ୍ଦ୍ର ସରକାରଙ୍କ ୧୦ ବର୍ଷର ଉପଲବ୍ଧିକୁ ଲୋକଙ୍କ ପାଖରେ ରଖିଛନ୍ତି । ମୋଦୀ ଗ୍ୟାରେଣ୍ଟି ସମାବେଶରେ ଜୟ ଜଗନ୍ନାଥ, ଜୟ ମାଆ ବିରଜା ଏବଂ ଜୟ ଶ୍ରୀରାମ କହି ପ୍ରଧାନମନ୍ତ୍ରୀ ମୋଦୀ ନିଜ ଅଭିଭାଷଣ ଆରମ୍ଭ କରିଛନ୍ତି । ଏହାପରେ ଓଡ଼ିଆରେ ସମସ୍ତଙ୍କୁ ଅଭିବାଦନ ଜଣାଇଛନ୍ତି । ଏହାସହ ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସ୍ମୃତି ଚାରଣ କରିଛନ୍ତି । ନିଜ ସମ୍ୱୋଧନରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିଶାଳ ସଂଖ୍ୟାରେ ଲୋକଙ୍କ ଉପସ୍ଥିତି ସ୍ପଷ୍ଟ ସନ୍ଦେଶ ଦେଉଛି । ଓଡ଼ିଶାବାସୀଙ୍କ ସଂକଳ୍ପ ସ୍ପଷ୍ଟ, ଅବ୍ କି ବାର୍ ୪୦୦ ପାର୍ ।

wp:html /wp:html

ପ୍ରଧାନମନ୍ତ୍ରୀ କହିଛନ୍ତି, '୪୦୦ ପାର୍ ସଂକଳ୍ପ ଦେଶରେ ଏକ ମଜଭୁତ ଏବଂ ବଡ଼ ବଡ଼ ନିଷ୍ପତ୍ତି ନେବାର ସରକାର ଗଠନ ପାଇଁ । ୪୦୦ ପାର୍ ସଂକଳ୍ପ ଚାଷୀ, ଯୁଗବର୍ଗ, ନାରୀ ଶକ୍ତି ଏବଂ ଗରିବଙ୍କ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ । ଏଥିରେ ପୂର୍ବ ଭାରତ ଏବଂ ଓଡ଼ିଶାର ବଡ଼ ଯୋଗଦାନ ରହିବାକୁ ଯାଉଛି । ଗତ ଦଶ ବର୍ଷରେ ବିଜେପି ସରକାର ଓଡ଼ିଶାରେ ଅଭୂତପୂର୍ବ ନିବେଶ କରିଛି । ଆମ ଉଦ୍ୟମ ଓଡିଶା ବିକଶିତ ଭାରତର ଗେଟ୍ ୱେ ହେଉ । ଓଡ଼ିଶା ବିକଶିତ ଭାରତରୁ ଉର୍ଜା ଦେଉଛି । ଏଠାରୁ ଗ୍ୟାସ୍ ପାଇପ୍ ଲାଇନ ପୂର୍ବ ଭାରତର ଅନେକ ରାଜ୍ୟରେ ପହଞ୍ଚୁଛି । ଓଡ଼ିଶା ପୋଲିଷ୍ଟରର ଏକ ବଡ଼ କେନ୍ଦ୍ର ପାଲଟୁଛି । ଟେକ୍ସଟାଇଲ୍ ପାର୍କ ପାଇଁ କଞ୍ଚା ମାଲ୍ ଏଠାରେ ପ୍ରସ୍ତୁତ ହେଉଛି । ଗତ ୧୦ ବର୍ଷରେ ଓଡ଼ିଶାର ପେଟ୍ରୋକେମିକାଲ ସେକ୍ଟରରେ ୨ ଲକ୍ଷ କୋଟି ଟଙ୍କାର ନିବେଶ ହୋଇଛି । ଅଧିକ ନିବେଶ ଅର୍ଥାତ୍ ଅଧିକ ନିଯୁକ୍ତି ସୁଯୋଗ । ଏହି ବିକାଶ କାର୍ଯ୍ୟ ଓଡ଼ିଶାର ଯୁବବର୍ଗଙ୍କ ଭାଗ୍ୟ ପରିବର୍ତ୍ତନ କରିବ ।'

ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି ଯେ ୨୦୧୪ ପୂର୍ବରୁ କଂଗ୍ରେସ ଏବଂ ଏହାର ସହଯୋଗୀ ଦଳ କେବଳ ନିଜ ସମ୍ପତ୍ତି ବଢାଉଥିଲେ । ଯେଉଁ କଂଗ୍ରେସ ସରକାର କୋଇଲା ଲୁଟି ଖାଇଯାଏ, ସିଏ ଗରିବଙ୍କୁ କିପରି ଖାଇବାକୁ ହେବ । ଯେଉଁ କଂଗ୍ରେସ ସରକାର ୟୁରିଆରେ ଦୁର୍ନୀତି କରିଛି, ସିଏ ଚାଷୀଙ୍କୁ ଶସ୍ତାରେ ୟୁରିଆ କିପରି ଦେଇଥାନ୍ତା । ସ୍ୱାଧୀନତା ପରଠୁ ହିଁ କଂଗ୍ରେସ ଦେଶରେ ଏପରି ସବୁ ବ୍ୟବସ୍ଥା କରିଥିଲା ଯେଉଁଥିରେ ଗରିବ, ଆଦିବାସୀ, ଯୁବବର୍ଗଙ୍କ ଅବିଶ୍ୱାସ ସୃଷ୍ଟି ହେବ । ଗରିବ ସାହାଯ୍ୟ ମାଗିବାକୁ ଗଲେ କଂଗ୍ରେସ ସରକାର ଗ୍ୟାରେଣ୍ଟି ମାଗୁଥିଲା । ବ୍ୟାଙ୍କରେ ଖାତା ଖୋଲିବା ବେଳେ କଂଗ୍ରେସ କହୁଥିଲା ଗ୍ୟାରେଣ୍ଟି ଦିଏ, ନିଯୁକ୍ତି ପାଇଁ ଅଫିସରଙ୍କ ଗ୍ୟାରେଣ୍ଟି ମାଗୁଥିଲା । କିନ୍ତୁ ୨୦୧୪ ପରେ ଗୋଟିଏ ଗରିବ ପୁଅ କେନ୍ଦ୍ର ସରକାରକୁ ଆସିଲା । ଗରିବର ପୁଅ ପ୍ରଧାନମନ୍ତ୍ରୀ ହେବା ପରେ ସେ କହିଥିଲା ଯେ ଗରିବର ଗ୍ୟାରେଣ୍ଟି ମୋଦୀ ହେବ । ଯେଉଁ ଗରିବ ପାଖରେ ଗ୍ୟାରେଣ୍ଟି ପାଇଁ କିଛି ନଥିଲା ମୋଦୀ ତାର ଗ୍ୟାରେଣ୍ଟି ହେଲା । ଯାହାଙ୍କୁ କେବେ କେହି ପଚାରୁ ନଥିଲେ, ତାଙ୍କୁ ମୋଦୀ ପଚାରିଲା । ଓଡ଼ିଶାର ଥିବା ଅନେକ ଜନଜାତଙ୍କ କଥା କେହି ବୁଝି ନଥିଲେ । ମୋଦୀ ଏହି ଆଦିବାସୀ ଲୋକଙ୍କ ପାଇଁ ପିଏମ୍ ଜନମନ ଯୋଜନା ଆରମ୍ଭ କଲା ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ‘ଆମ କାମ ଦେଖି ଲୋକ କହୁଛନ୍ତି, ଯେଉଁଠି ଅନ୍ୟମାନଙ୍କଠାରୁ ଆଶା ଶେଷ ହୋଇଯାଏ, ସେଠାରୁ ମୋଦୀଙ୍କ ଗ୍ୟାରେଣ୍ଟି ଆରମ୍ଭ ହେଉଛି’। ପ୍ରଧାନମନ୍ତ୍ରୀ ମୋଦୀ ପିଏମ ସୂର୍ଯ୍ୟ ଘର ମାଗଣା ବିଜୁଳି କଥା ମଧ୍ୟ ଉଲ୍ଲେଖ କରିଛନ୍ତି । ଏହାସହ ଅନ୍ନାଦାତାଙ୍କୁ ଉର୍ଜାଦାତା କରାଯାଉଥିବା ପ୍ରଧାନମନ୍ତ୍ରୀ କହିଛନ୍ତି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଇଣ୍ଡି ମେଣ୍ଟ ଉପରେ ବର୍ଷିଛନ୍ତି । ପିଏମ କହିଛନ୍ତି, 'ଇଣ୍ଡି ମେଣ୍ଟ ନିଜ ପୁଅ, ପୁତୁରା, ଭାଇ ସମ୍ପର୍କୀୟଙ୍କ ପାଇଁ ଚିନ୍ତା କରୁଛନ୍ତି, କିନ୍ତୁ ମୋଦୀ ଦେଶର କୋଟି କୋଟି ଯୁବକ-ଯୁବତୀଙ୍କ ପାଇଁ କାମ କରୁଛି । ଇଣ୍ଡି ମେଣ୍ଟର ପରିବାରବାଦୀ କହୁଛନ୍ତି ସେମାନଙ୍କ ଲକ୍ଷ୍ୟ ମୋଦୀକୁ ହଟାଇବା, କିନ୍ତୁ ମୋଦୀର ଲକ୍ଷ୍ୟ ଭାରତକୁ ତୃତୀୟ ବୃହତ ଅର୍ଥନୀତି କରିବା । ସେମାନେ ନିଜ ପିଲାଙ୍କ ପାଇଁ ହିଁ କୋଠା ନିର୍ମାଣ କରିଛନ୍ତି, କିନ୍ତୁ ମୋଦୀ ଗରିବ ଘରର ପିଲାଙ୍କ ପାଇଁ ପକ୍କା ଘର ନିର୍ମାଣ କରିଛି । ମୋଦୀ କାଳରେ ୨୫ କୋଟି ଲୋକ ଗରିବୀରୁ ମୁକ୍ତ ହୋଇଛନ୍ତି । ଏଥିପାଇଁ ମୁଁ କହୁଛି ‘ମେରା ଭାରତ, ମେରା ପରିବାର’ । ମୋର ଏହି କଥା ପରିବାଦବାଦୀଙ୍କୁ ବାଧୁଛି ।' ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଚଣ୍ଡିଖୋଲରେ ୧୯ହଜାର ୬ଶହ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.