ଗତ ଦୁଇ ଦଶନ୍ଧିରେ ଓଡିଶା ପାଇଁ ଅଶୁଭ ଅକ୍ଟୋବର : ୯୯ ମହାବାତ୍ୟା, ୧୪ ଫାଇଲିନ, ୧୫ ହୁଡହୁଡ, ୧୮ ତିତଲି

Published By : Prameya-News7 Bureau | October 11, 2018 IST

ଭୁବନେଶ୍ବର ୧୧|୧୦: ତିତଲି ଯେମିତି ଡରାଉଥିଲା ସେମିତି କିଛି ବଡଧରଣର ବିର୍ଯ୍ୟୟ ସୃଷ୍ଟି କରିନି ସତ, କିନ୍ତୁ ଅତୀତରେ ଓଡିଶାରେ ଏମିତି ଅନେକ ବାତ୍ୟା ଓଡିଶାର ମେରୁଦଣ୍ଡକୁ ଭାଂଗିଦେଇଛି। ପ୍ରାକୃତିକ ବିପର୍ଯ୍ୟ, ଯାହାର ନାଁ ଶୁଣିଲେ ଛାତି ଥରି ଉଠେ । କାରଣ  ତାହା ମାତ୍ର କେଇ ଘଣ୍ଟା ସମୟ ମଧ୍ୟରେ ସବୁକିଛି ଛାରଖାର କରିଦେଇଥାଏ । ପରବର୍ତ୍ତି ସମୟରେ ବିପର୍ଯ୍ୟୟ ସିନା ଚାଲିଯାଇଥାଏ ହେଲେ ଛଡ଼ିଯାଇଥାଏ ତାର ବିଧ୍ବସଂର ପାଦ ଚିହ୍ନ । ସେମିତି ପ୍ରାକୃତିକ ବିପର୍ଯ୍ୟୟକୁ  ୧୯୯୯ ଓ ୨୦୧୪ ମସିହାରେ ସମ୍ମୁଖୀନ ହୋଇଥିଲେ ଓଡ଼ିଶାବାସୀ । ୯୯ ମହାବାତ୍ୟା : ଓଡ଼ିଶାବାସୀଙ୍କ ପାଇଁ ଅଶୁଭ ଅକ୍ଟୋବର।  ୧୯୯୯, ୨୦୧୩ ଓ ୨୦୧୪ରେ  ଅକ୍ଟୋବର ମାସ ଆଣିଛି ବିନାଶ। ଓଡ଼ିଶାବାସୀ ଦେଖିଛନ୍ତି ମହାବାତ୍ୟା ଓ ଫାଇଲିନ୍‌ର କରାଳ ରୂପ। ୧୯୯୯ ଅକ୍ଟୋବର ୨୯, କେମିତି ବା ଓଡ଼ିଶାବାସୀ ଏଇ ତାରିଖକୁ ଭୁଲି ପାରିବେ । ସେଦିନ ଆସିଥିବା ମହାବାତ୍ୟା କେତେ ମାଆଙ୍କ କୋଳଶୂନ୍ୟ କରିଦେଇଛି । କେତେ ସଧବାଙ୍କୁ ବିଧବା ସଜେଇଛି ତାର କଳନା ନାହିଁ ।ଆଜି ବି ମନେ ପଡ଼ିଲେ ଏରସମାବାସୀଙ୍କ ଆଖି ଲୁହ ଛଳଛଳ ହୋଇଯାଏ । ୨୫ ଅକ୍ଟୋବର ୧୯୯୯ ଆଣ୍ଡାମାନ ସମୁଦ୍ରରେ ଦାନା ବାନ୍ଧିଥିଲା ମହାବାତ୍ୟା । ନଭେମ୍ବର ୪ରେ ବଙ୍ଗୋପ ସାଗରେ ବିଲୁପ୍ତ ହୋଇଥିଲା । ତେବେ ସ୍ଥଳଭାଗ ଛୁଇଁବା ଆଗରୁ ଆରମ୍ଭ ହୋଇ ଯାଇଥିଲା ତୁହାକୁ ତୁହା ବର୍ଷା। ବର୍ଷା ସାଙ୍ଗକୁ ପବନ ମଧ୍ୟ କିଛି କମ୍‌ ନଥିଲା । ହେଲେ ସ୍ଥଳଭାଗ ଛୁଇଁବା ପରେ ଆରମ୍ଭ ହୋଇଯାଇଥିଲା ମହାବାତ୍ୟାର ତାଣ୍ଡବ। ଘଣ୍ଟାକୁ ୨୬୦ କିଲୋମିଟର ପର୍ଯ୍ୟନ୍ତ ବହୁଥିଲା ପବନ । ତା ସାଙ୍ଗକୁ ଜୁଆର ମାଡ଼ ବି କମ୍‌ ନଥିଲା । ୩୫ କିଲୋମିଟର ବେଗରେ ସ୍ଥଳଭାଗ ଆଡ଼କୁ ମାଡ଼ି ଆସିଥିଲା  ୧୬ରୁ ୨୦ ଫୁଟ ଉଚ୍ଚର ଜୁଆର ।ସରକାରୀ ଭାବେ ୩୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ ପ୍ରକୃତ ସଂଖ୍ୟା ତା ଠାରୁ ଅଧିକ । କାରଣ କେବଳ ଜଗତସିଂହପୁର ଜିଲ୍ଲାରେ ୮ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିଲେ । ଲକ୍ଷ ଲକ୍ଷ ଲୋକ ବାସହରା ହୋଇ ରିଲିଫ କ୍ୟାମ୍ପରେ ରହିଥିଲେ । ବିଭିନ୍ନ ପ୍ରକାର ଫସଲ ସହ ପ୍ରାୟ ୪.୪୪ ବିଲିୟନ ଡଲାର କ୍ଷୟକ୍ଷତି ଆକଳନ କରାଯାଇଥିଲା । ୨୦୧୩ ଫାଇଲିନ : ମହାବାତ୍ୟାର ଦୀର୍ଘ ବର୍ଷ ପରେ ପୁଣି ଥରେ ବାତ୍ୟାକୁ ସମ୍ନା କରିଥିଲା ଓଡ଼ିଶା ।୨୦୧୩ ଅକ୍ଟୋବର ୧୩ରେ ଗଞ୍ଜାମ ଗୋପାଳପୁରରେ ସ୍ଥଳ ଭାଗ ଛୁଇଁଥିଲା ଫାଇଲିନ୍‌ । ବାତ୍ୟାରେ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଥିଲା ଗଞ୍ଜାମ, ଗଜପତି ଓ ଖୋର୍ଦ୍ଧା ଜିଲ୍ଲା । ତେବେ ଆଗୁଆ ସୂଚନା  ଓ ଉନ୍ନତ ଯୋଗାଯୋଗର ପାଇଁ ବ୍ୟାପକ କ୍ଷୟକ୍ଷତିରୁ ରକ୍ଷା ପାଇଥିଲେ ଓଡ଼ିଶାବାସୀ । ତଥାପି ଫାଇଲିନରେ  ୪୫ ଜଣଙ୍କର ମୃତ୍ୟୁ ହୋଇଥିବା ସରକାରୀ ରେକର୍ଡ ରହିଛି । ଅକ୍ଟୋବର ୪ରେ ଗଲ୍ପ ଦ୍ବୀପରେ ଏକ ଅବପାତ ସୃଷ୍ଟି ହୋଇଥିବା ସ୍ପଷ୍ଟ କରିଥିଲା ଜାପାନ ପାଣିପାଗ ବିଭାଗ । ତେବେ ଫାଇଲିନ ସିନା ଗଲ୍ପ ଦ୍ବୀପରେ ସୃଷ୍ଟି ହୋଇଥିଲା । ହେଲେ  ୭ ତାରିଖ ବେଳକୁ ତାହା ଆଣ୍ଡାମାନ ନିକୋବରରେ ପହଁଞ୍ଚି ସାରିଥିଲା । ସମ୍ଭାବ୍ୟ ବାତ୍ୟାକୁ ଆଖିରେ ରଖି ସରକାର ସଜାଗ ହେବା ସହିତ ଆରମ୍ଭ କରିଥିଲେ ସ୍ଥାନାନ୍ତର କାର୍ଯ୍ୟ । ହାତ ଗଣତି ଦିନ କେଇଟାରେ ରାଜ୍ୟ ସରକାର ପ୍ରାୟ ୬ ଲକ୍ଷ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିଥିଲେ। ଯାହା ଗତ ୨୩ ବର୍ଷ ମଧ୍ୟରେ ଥିଲା ସବୁଠାରୁ ବଡ଼ ସ୍ଥାନ୍ତାନ୍ତର । ଫାଇଲିନ ପାଇଁ ୧୨ ମିଲିୟନରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ପ୍ରାୟ ୪୨ ବିଲିୟନ ଡଲାରୁ ଅଧିକ ଟଙ୍କାର କ୍ଷୟକ୍ଷତି ହୋଇଛି । ୨୦୧୪ ହୁଡହୁଡ : ୨୦୧୪ ଅକ୍ଟୋବରରେ  ଆଣ୍ଡାମାନ ସମୁଦ୍ରରେ ସୃଷ୍ଟି ହୋଇଥିଲା ହୁଡ଼ହୁଡ଼ । ଅକ୍ଟୋବର ୮ ତାରିଖରେ ସୃଷ୍ଟି ହୋଇଥିବା ସାମୁଦ୍ରୀକ ଝଡ଼ ବାତ୍ୟାର ରୂପ ନେଇଥିଲା । ତେବେ ୧୨ ତାରିଖରେ ହୁଡ଼ହୁଡ଼ ସ୍ଥଳଭାଗକୁ ଛୁଇଁଥିଲେ ମଧ୍ୟ ହୁଡ଼ହୁଡ଼ ଦାଉରୁ ରକ୍ଷା ପାଇଯାଇଥିଲା ଓଡ଼ିଶା । କାରଣ  ବିଶାଖାପାଟଣାରେ ସ୍ଥଳ ଭାଗ ଛୁଇଁଥିଲା ହୁଡ଼ହୁଡ଼ । ସେହିପରି  ବଙ୍ଗୋପସାଗରେ ୨୦୦୯ ଆଇଲା ମଧ୍ୟ କିଛି କମ୍‌ ନଥିଲା ।କିନ୍ତୁ ଓଡ଼ିଶା ଉପରେ ତାହାର ପ୍ରଭାବ ସେତେଟା ପଡ଼ିନଥିଲା । ତେବେ ପଶ୍ଚିମବଙ୍ଗ ଓ ବାଂଲାଦେଶରେ ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା । ୩୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେବା ସହିତ ବ୍ୟାପକ କ୍ଷୟକ୍ଷତି ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.