ଭୁବନେଶ୍ୱର ୧୬/୧୦: ପୂର୍ବତନ ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ନେତା ତଥା ବିଜୁ ଜନତା ଦଳ ସଭାପତି । ନବୀନ ପଟ୍ଟନାୟକ ୭୯ ବର୍ଷରେ ପାଦ ଥାପିଛନ୍ତି । ବୁଧବାର ନବୀନଙ୍କ ଜନ୍ମଦିନ । ତାଙ୍କ ଜନ୍ମଦିନରେ ବିଜେଡି ରାଜ୍ୟର ବିଭିନ୍ନ ସ୍ଥାନରେ ଜୀବନବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ରକ୍ତଦାନ ଶିବିର ଆୟୋଜନ କରିବ ।
୧୯୪୬ ଅକ୍ଟୋବର ୧୬ ତାରିଖରେ କଟକରେ ଜନ୍ମ ନେଇଥିଲେ ନବୀନ । ଜୀବନର ୫୦ ବର୍ଷରୁ ଊଦ୍ଧ୍ୱର୍ କାଳ ରାଜନୀତିରୁ ଦୂରେଇ ରହିଥିବା ନବୀନ ଆକସ୍ମିକ ଭାବେ ପିତା ବିଜୁ ବାବୁଙ୍କ ମୃତ୍ୟୁ ପରେ ରାଜନୀତିରେ ପ୍ରବେଶ କରିଥିଲେ । ବିଜୁଙ୍କ ପରଲୋକ ପରେ ୧୯୯୭ରେ ନବୀନ ଗଢ଼ିଥିଲେ ବିଜେଡି । ସାଂସଦ, କେନ୍ଦ୍ରମନ୍ତ୍ରୀ ରହିବା ପରେ ଲଗାତାର ୫ ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ ନବୀନ । ୨୪ ବର୍ଷ କାଳ ଶାସନ କ୍ଷମତାରେ ରହିବା ପରେ ଏବେ ସେ ବିରୋଧୀ ଦଳ ନେତା ।
୭୯ ବର୍ଷରେ ପାଦ ଥାପିଥିବା ନବୀନଙ୍କ ପ୍ରଥମ ଥର ପାଇଁ ବିରାଟ ଚାଲେଞ୍ଜର ସାମ୍ନା କରୁଛନ୍ତି । ଦଳକୁ ସୁଦୃଢ଼ କରିବା ସହ ପୁଣି ବିଜୟ ଟ୍ରାକକୁ ଫେରିବା ପାଇଁ ସେ ଚଳାଇଛନ୍ତି କସରତ । ନିରାଡ଼ମ୍ବର ଭାବେ ସବୁବେଳେ ଜନ୍ମଦିନ ପାଳନ କରୁଥିବା ନବୀନଙ୍କୁ ଭେଟିବାକୁ ଆସନ୍ତାକାଲି ବିଜେଡି ନେତାଙ୍କ ଭିଡ଼ ନବୀନ ନିବାସରେ ଜମିବ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି ।