ଫୁଟବଲ୍ ‘ପାୱାର ହାଉସ’ ହେବ ଓଡ଼ିଶା
6/09/2020 at 12:05 PM

ଭୁବନେଶ୍ୱର ୦୬।୦୯: ହକିର ଲୋକପ୍ରିୟତା ଶିଖର ଛୁଇଁବା ପରେ ରାଜ୍ୟ ସରକାରଙ୍କ ପରବର୍ତ୍ତୀ ଲକ୍ଷ୍ୟ ଫୁଟବଲ୍ ଉପରେ ରହିଛି। ଓଡ଼ିଶାକୁ ଦେଶର ଫୁଟବଲ୍ ଲୋକପ୍ରିୟ ରାଜ୍ୟ ଭାବେ ଗଢି ତୋଳିବା ପାଇଁ ସରକାର ସମସ୍ତ ପ୍ରକାର ପଦକ୍ଷେପ ଆରମ୍ଭ କରିଛନ୍ତି । ବିଶେଷ କରି ମହିଳା ଫୁଟବଲ୍ରେ ଓଡ଼ିଶା ପାୱାର ହାଉସ୍ ରୂପେ ପରିଚୟ ପାଇବାକୁ ଯାଉଛି। ପୂର୍ବରୁ ଓଡ଼ିଶାର ଅନେକ ମହିଳା ଫୁଟବଲ୍ ଖେଳାଳି ଦେଶ ପାଇଁ ବିଭିନ୍ନ ବୟସ ବର୍ଗରେ ଖେଳିସାରିଛନ୍ତି। ଗତ ଖେଲୋ ଇଣ୍ଡିଆ ୟୁଥ୍ କ୍ରୀଡା ପ୍ରତିଯୋଗିତାରେ ମଧ୍ୟ ଓଡ଼ିଶା ଯଥାକ୍ରମେ ୨୧ବର୍ଷରୁ କମ୍ ବୟସ ବର୍ଗରେ ବ୍ରୋଞ୍ଜ ଓ ୧୭ ବର୍ଷରୁ କମ୍ ବୟସ ବର୍ଗରେ ରୌପ୍ୟ ପଦକ ହାସଲ କରିଥିଲା।
ବର୍ତ୍ତମାନ ତୃଣମୂଳ ସ୍ତରରୁ ଫୁଟବଲ୍ର ପ୍ରସାର ପାଇଁ ପଦକ୍ଷେପ ଆରମ୍ଭ ହୋଇଛି। ଏଲିଟ୍ ବର୍ଗରେ ଓଡ଼ିଶା ସବୁଠୁ ଶକ୍ତିଶାଳୀ ଦଳ ପ୍ରସ୍ତୁତ କରିପାରିବ। ପ୍ରତିଭାବାନ୍ ଫୁଟବଲ୍ ଖେଳାଳି ସୃଷ୍ଟ କରିବା ପାଇଁ ରାଜ୍ୟ ସରକାର ସବୁ ପ୍ରକାର ପ୍ରସ୍ତୁତି କରିଛନ୍ତି ବୋଲି କ୍ରୀଡ଼ା ନିର୍ଦ୍ଦେଶକ ଆର ଭିନିଲ କ୍ରିଷ୍ଣା ଏକ ୱେବିନାର ଅବସରରେ ପ୍ରକାଶ କରିଛନ୍ତି। ଆଇଏସଏଲ୍ ହିରୋ କପ୍ ଆୟୋଜନ କରାଯିବ ସହ ଫୁଟବଲ୍ ହାଇ ପରଫର୍ମାନ୍ସ ସେଣ୍ଟର ନିର୍ମାଣ କରାଯାଇଛି। ଆଇଏସଏଲ୍ରେ ଓଡ଼ିଶା ଏଫ୍ସି ଗତ ସିଜନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛି । କେବଳ ସେତିକି ନୁହେଁ ଆସନ୍ତା ବର୍ଷ ହେବାକୁ ଥିବା ୧୭ବର୍ଷରୁ କମ୍ ଫିଫା ମହିଳା ବିଶ୍ୱକପର କିଛି ମ୍ୟାଚ୍ ପାଇଁ କଳିଙ୍ଗ ଷ୍ଟାଡିୟମ୍କୁ ଚୟନ କରାଯିବା ରାଜ୍ୟ ପାଇଁ ଗୌରବର ବିଷୟ । ଅତ୍ୟାଧୁନିକ ଓ ଅନ୍ତର୍ଜାତୀୟ ମାନର ଭିତ୍ତିଭୂମି ଯୋଗୁଁ ଫିଫା ମହିଳା ବିଶ୍ୱକପ ଆୟୋଜନ ଅଧିକାର ମିଳିପାରିଛି।
ରାଜ୍ୟରେ ମଧ୍ୟ ଫୁଟବଲର ପ୍ରସାର ପାଇଁ ରାଜ୍ୟ ସରକାର ପ୍ରଶିକ୍ଷଣ ସୁବିଧା ଯୋଗାଇ ଦେଇଛନ୍ତି। ଖୁବ୍ ଶୀଘ୍ର ବିଭିନ୍ନ ବୟସ ବର୍ଗରେ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯିବ। ରାଜ୍ୟରେ ରହିଥିବା କ୍ରୀଡ଼ା ଛାତ୍ରାବାସରେ ମଧ୍ୟ ଫୁଟବଲ୍ ପ୍ରଣଶିକ୍ଷଣ ପାଇଁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି। ଓଡ଼ିଶା ଏଫ୍ସି ପକ୍ଷରୁ ରାଜ୍ୟର କୋଣ ଅନୁକୋଣରୁ ପ୍ରତିଭାବାନ୍ ଖେଳାଳିଙ୍କୁ ଚୟନ କରାଯାଇ ପ୍ରଶିକ୍ଷଣର ସୁବିଧା ଯୋଗାଇ ଦିଆଯାଉଛି। ୧୭ ଓ ୧୯ ବର୍ଷରୁ କମ୍ ବୟସ ବର୍ଗରେ ଓଡ଼ିଶା ଏଫ୍ସି ଦଳ ରହିଛି । ଏହି ଦଳରେ ବହୁ ଓଡ଼ିଆ ଖେଳାଳି ସ୍ଥାନ ପାଇଛନ୍ତି। ଖୁବ୍ ଶୀଘ୍ର ଓଡ଼ିଶା ଏଫ୍ସି ପକ୍ଷରୁ ମହିଳା ଦଳ ଗଠନ କରାଯିବ। ମହିଳା ଲିଗ୍ରେ ଏହି ଦଳ ଅଂଶ ଗ୍ରହଣ କରିବ। ଦେଶରେ ଏହା ସର୍ବୋଚ୍ଚ ମହିଳା ଲିଗ୍ ଟୁର୍ଣ୍ଣାମେଣ୍ଟ ହେବ। ଓଡ଼ିଶାରୁ ବହୁ ଖେଳାଳି ଓଡ଼ିଶା ଏଫ୍ସି ମହିଳା ଦଳରେ ସୁଯୋଗ ପାଇ ପାରିବେ ବୋଲି ଭିନିଲ କ୍ରିଷ୍ଣା ପ୍ରକାଶ କରିଛନ୍ତି ।