ଭୁବନେଶ୍ୱର: ମହାରାଷ୍ଟ୍ରରୁ ଶିମିଳିପାଳକୁ ଖୁବ୍ ଶୀଘ୍ର ଆସିବ ଦ୍ୱିତୀୟ ବାଘୁଣୀ। ଦିନେ ଦୁଇ ଦିନ ଭିତରେ ଓଡ଼ିଶାରୁ ଗୋଟିଏ ଟିମ୍ ମହାରାଷ୍ଟ୍ର ଯିବ। ୭ରୁ ୮ଟି ବାଘୁଣୀକୁ ବଛାଯାଇଥିବା ବେଳେ ଅନ୍ୟ ବାଘ ବି ଆସିବେ। ଯେଉଁ ଟିମ୍ ଯାଇଛନ୍ତି ସେମାନେ କୋର ଏରିଆରୁ ଗୋଟିଏ ବାଘୁଣୀକୁ ଟ୍ରାଙ୍କୁଲାଇଜ କରିବେ।
ଟ୍ରାଙ୍କୁଲାଇଜ କରିବାର ୨ ଘଣ୍ଟା ଭିତରେ ଓଡ଼ିଶାକୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହେବ। ଓଡ଼ିଶା ପହଞ୍ଚିବାକୁ ପ୍ରାୟ ୪୦ ଘଣ୍ଟା ସମୟ ଲାଗିବ। ଏଥିପାଇଁ ଟ୍ରାନସପୋର୍ଟ ଗାଡ଼ି ବି ପ୍ରସ୍ତୁତ ଅଛି। ତେବେ ଯେଉଁ ବାଘୁଣି ଜନବସତି ଆଡ଼କୁ ଯାଇନଥିବ ଓ ଗାଇଗୋରୁ ଶିକାର କରିନଥିବ, ସେଭଳି ବାଘୁଣୀକୁ ତଲାସ କରି ଟ୍ରାଙ୍କୁଲାଇଜ କରାଯିବ ବୋଲି କହିଛନ୍ତି ପିସିସିଏଫ୍ ସୁଶାନ୍ତ ନନ୍ଦ।
ଏହାପୂର୍ବରୁ ମହାରାଷ୍ଟ୍ରରୁ ଆସିଥିବା ଅଢେଇ ବର୍ଷର ବାଘୁଣୀକୁ ଶିମିଳିପାଳରେ ଛଡ଼ାଯାଇଛି। ଯାହାର ନାଁ ଯମୁନା ରଖାଯାଇଛି। ମହାରାଷ୍ଟ୍ର ତଡ଼ବା ଅନ୍ଧାରୀ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରୁ ଆସିଥିବା ବାଘୁଣୀକୁ ଏନକ୍ଲୋଜରରେ ମୁକ୍ତ ଭାବେ ଛଡ଼ା ଯାଇଛି। ବାରିପଦା ଯଶୀପୁର ମୁଖ୍ୟ ରାସ୍ତା ଦେଇ ଯମୁନାକୁ ଶିମିଳିପାଳ ଟାଇଗର ରିଜର୍ଭକୁ ନିଆଯାଇଥିଲା।