କଂଗ୍ରେସ କଳି ପୁଣି କୁହୁଳିଲା , ନିରଞ୍ଜନ ହଟାଓ ଅଭିଯାନରେ ଦିଲ୍ଲୀରେ ମୋକ୍କିମ

Published By : Prameya-News7 Bureau | February 12, 2020 IST

ଭୁବନେଶ୍ବର ୧୨/୦୨ – କିଛି ଦିନର ନୀରବତା ପରେ ପୁଣି କଂଗ୍ରେସରେ କଳି ଆରମ୍ବର  ଜୋରଦାର ସଂକେତ । ପିସିସି ନେତୃତ୍ୱ ପରିବର୍ତ୍ତନ ଦାବି ସହ ପୁଣି ଜୋର ଧରିଛି ନିରଞ୍ଜନ ହଟାଅ  ଅଭିଯାନ । କଂଗ୍ରେସ  ବିଧାୟକ ମହମ୍ମଦ ମୋକ୍କିମ୍ ଙ୍କ ଦିଲ୍ଲୀ ଗସ୍ତ ଏବଂ ବରିଷ୍ଠ ନେତାଙ୍କ ସହ ସାକ୍ଷାତ ଆଲୋଚନାରୁ ଏପରି କିଛି  ସଂକେତ ଆସିଛି । ତେବେ ଯୁବ ବିଧାୟକ ମୋକ୍କିମ୍ ଙ୍କୁ ଡାକରା ଆସିବା ପରେ ହିଁ ସେ ଦିଲ୍ଲୀ ଯାଇଥିବା ଜଣା ଯାଇଛି । 

 ବିଧାୟକ ମହମ୍ମଦ ମୋକ୍କିମ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା  ସୋନୀଆ ଗାନ୍ଧିଙ୍କ ବ୍ୟକ୍ତିଗତ ସଚିବ ମାଧବନ୍‌ଙ୍କୁ ସାକ୍ଷାତ କରିଛନ୍ତି । ଏହା ସହ ସେ  କଂଗ୍ରେସର ବରିଷ୍ଠ ନେତା ତଥା ଦଳୀୟ ସଂଗଠନରେ କର୍ତ୍ତୁତ୍ୱ ରଖୁଥିବା  ଅହମ୍ମଦ ପଟେଲ ଏବଂ ଭେନୁଗୋପାଲଙ୍କୁ ସାକ୍ଷାତ କରି କିଛି ଆଲୋଚନା କରିଛନ୍ତି । ବରିଷ୍ଠ ନେତାଙ୍କୁ ଭେଟିବା ପରେ ମୋକ୍କିମ୍  ଦଳର ସର୍ବୋଚ୍ଚ ନେତ୍ରୀ ସୋନିଆ ଗାନ୍ଧିଙ୍କୁ ଭେଟିବାକୁ ସମୟ ମାଗିଥିବା ଜଣାଯାଇଛି । ମୋକ୍କିମ୍‌ଙ୍କ ଏପରି ଅଭିଯାନରୁ କଂଗ୍ରେସର ରାଜ୍ୟ ନେତୃତ୍ୱ ପରିବର୍ତ୍ତନର ଆଭାସ ଦୃଢ ହୋଇଛି । କାରଣ ପ୍ରଦେଶ କଂଗ୍ରେସ ସଭାପତି ଦୌଡରେ ଅଛନ୍ତି ବାରବାଟୀ କଟକ ବିଧାୟକ ମହମ୍ମଦ ମୋକ୍କିମ । 

 ପ୍ରଦେଶ କଂଗ୍ରେସ ସଭାପତି ଥିବା ନିରଞ୍ଜନ ପଟ୍ଟନାୟକଙ୍କୁ ତାଙ୍କ ପଦରୁ ହଟାଇବାକୁ ଦୀର୍ଘ ଦିନ ଧରି ଦଳ ଭିତରୁ ହିଁ ଦାବି ହୋଇ ଆସୁଛି । ଏପରିକି କିଛି ନେତା ଦିଲ୍ଲୀ ଯାଇ ଜୋରଦାର ଲବି କରିଥିଲେ । ସେତେବେଳେ ବି ମୋକ୍କିମ୍ ଥିଲେ ପିସିସି ଫ୍ରଣ୍ଟରନର । ତେବେ ଗତ ବିଧାନସଭା ନିର୍ବାଚନରେ କଂଗ୍ରେସର ବିପର୍ଯ୍ୟୟ ପରେ ନିରଞ୍ଜନ ପିସିସି ସଭାପତି ପଦରୁ ଇସ୍ତଫା ଦେଇଥିଲେ ବି ଦଳ ହାଇକମାଣ୍ଡ ତାହା ଗ୍ରହଣ କରିନଥିଲେ ।ଏପଟେ ଦଳର ରାଜ୍ୟ ଶାଖା  ସ୍ଥାଣୁ ହୋଇଯାଇଥିବା ନେଇ ଦଳ ଭିତରେ ଅଭିଯୋଗ ଉଠୁଥିଲା ।ଏହି ପରିପ୍ରେକ୍ଷୀରେ ମୋକ୍କିମ୍‌ଙ୍କ ଦିଲ୍ଲୀ ଗସ୍ତ ଏବଂ ବରିଷ୍ଠ ନେତାଙ୍କ ସହ ସାକ୍ଷାତ ଆଲୋଚନା ନିରଞ୍ଜନ ହଟାଓ ଚର୍ଚ୍ଚାକୁ ତେଜ୍‌ କରିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.