ମିଠା ଖବର : ହାତରୁ ଖସି ଯାଉ ଯାଉ ରହିଗଲା ରସଗୋଲା, କାରଣ ଏହା ଆମର… ନବୀନ ଖୁସି ଓ ଧର୍ମେନ୍ଦ୍ର ବି
29/07/2019 at 7:26 PM

ଭୁବନେଶ୍ବର୨୯|୭: ରସଗୋଲାକୁ ନେଇ ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ଲାଗି ରହିଥିବା ବିବାଦରେ ପଡିଛି ପୂର୍ଣ୍ଣଛେଦ । ଓଡ଼ିଶା ରସଗୋଲାକୁ ମିଳିଲା ଜିଆଇ ଟ୍ୟାଗ୍ । ଚେନ୍ନାଇ ଜିଆଇ କାର୍ଯ୍ୟାଳୟରୁ ଓଡ଼ିଶା ରସଗୋଲାକୁ ମାନ୍ୟତା ଦିଆଯାଇଥିବା ବେଳେ ଏହାର ପ୍ରମାଣପତ୍ର ମଧ୍ୟ ଦିଆଯାଇଛି ।

ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ ଓ ଉତ୍କଳ ମିଷ୍ଟାନ୍ନ ବ୍ୟବସାୟୀ ସମିତି ପକ୍ଷରୁ ଜିଆଇ ଟ୍ୟାଗ୍ ହାସଲ ପାଇଁ ଆବେଦନ କରାଯାଇଥିଲା । ଉଭୟ ଓଡିଶା ଓ ପଶ୍ଚିମବଙ୍ଗ ରସଗୋଲା ନିଜର ବୋଲି ଦାବି କରୁଥିଲେ । ପ୍ରଥମେ ବାଙ୍ଗଲା ରସଗୋଲାକୁ ଜିଆଇ ଟ୍ୟାଗ୍ ମିଳିବା ପରେ ଆଜି ଓଡିଶା ରସଗୋଲକୁ ମିଳିଲା ଜିଆଇ ମାନ୍ୟତା ।

ରସଗୋଲା ବିବାଦରେ ପଡିଲା ପୂର୍ଣ୍ଣଛେଦ । ରସଗୋଲା ହାତେଇଲା ଓଡିଶା । ପଶ୍ଚିମବଙ୍ଗ ଓ ଓଡ଼ିଶା ଭିତରେ ଚାଲିଥିବା ରସଗୋଲା ଲଢେଇରେ ଓଡିଶାକୁ ଜାତିପଟ ମିଳିଛି । ଓଡ଼ିଶା ରସଗୋଲାକୁ ମିଳିଛି ଜିଆଇ ମାନ୍ୟତା । ଚେନ୍ନାଇ ଜିଆଇ ରେଜିଷ୍ଟ୍ରାରଙ୍କ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ପଶ୍ଚିମବଙ୍ଗ ଓ ଓଡିଶା ଭିତେର ରସଗୋଲା ଜିଆଇ ମାନ୍ୟତା ପାଇଁ ଲଢେଇ ଚାଲିଥିଲା ।

ବାଙ୍ଗଲାର ରସୋଗୋଲା ନାଁରେ ପଶ୍ଚିମବଙ୍ଗ ଜିଆଇଟ୍ୟାଗ ହାତେଇବା ପରେ ଓଡିଶା ରସଗୋଲା ନାଁରେ ୨୦୧୮ରେ ଓଡ଼ିଶା ସରକାରଙ୍କ ପକ୍ଷରୁ ରସଗୋଲାକୁ ଜିଆଇଟ୍ୟାଗ ମାନ୍ୟତା ଲାଗି ଆବେଦନ କରାଯାଇଥିଲା। ତଥ୍ୟ ପ୍ରମାଣକୁ ଆଧାର କରି ଓଡ଼ିଶାର ରସଗୋଲାକୁ ଜିଆଇ ଟ୍ୟାଗ୍ ମିଳିଛି। ଏହା ଓଡ଼ିଶାର ବିଜୟ ବୋଲି କହିଛନ୍ତି ରାଜ୍ୟ ସରକାର ।

ରସଗୋଲା ଓଡ଼ିଶାର ସଂସ୍କୃତି ଓ ପରମ୍ପରାରେ ରହିଆସିଛି । ନିଳାଦ୍ରୀ ବିଜେ ସମୟରେ ମାଲକ୍ଷ୍ମୀଙ୍କୁ ରସଗୋଲା ଦେଇ ତୁଷ୍ଟ କରିବାର ପରମ୍ପରା ରହିଛି। ନିଳାଦ୍ରୀ ବିଜେ ଦିନ ରସଗୋଲା ଦିବସ ଓଡିଶାରେ ପାଳନ ବି ହେଉଛି । ତେବେ ରସଗୋଲାକୁ ପଶ୍ଚିମବଙ୍ଗ ହାତେଇବାକୁ ମସୁଧା କରିବାବେଳେ ଏହାକୁ ବିରୋଧ କରାଯାଇଥିଲା ।

ଓଡ଼ିଶା ରସଗୋଲାକୁ କିପରି ଜିଆଇ ମାନ୍ୟତା ମିଳିବ ସେନେଇ ସ୍ବତନ୍ତ୍ର କମିଟି ଗଠନ କରିଚିଲେ । ଓଡ଼ିଶା ରସଗୋଲାକୁ ମାନ୍ୟତା ମିଳିବା ପରେ ସବୁ ସ୍ତରରେ ସ୍ବାଗତ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ୍ କରି ଖୁସି ବ୍ୟକ୍ତ କରିଛନ୍ତି ।

ହାତରୁ ଖସି ଯାଉ ଯାଉ ରହିଗୋଲା ରସଗୋଲା । ଏବେ ଏହାକୁ ଉଦାହରଣ ଭାବେ ନେଇ ରାଜ୍ୟ ସରକାର ଓଡିଶା ଅନ୍ୟ ପାରମ୍ପରିକ ଖାଦ୍ୟର ମାନ୍ୟତା ଲାଗି ଆବେଦନ କରିବାର ଆବଶ୍ୟକତା ରହିଛି ।