୬ ଦଫା ଦାବିରେ ଆନ୍ଦୋଳନକୁ ଓହ୍ଲାଇବ ଓଡିଶା ପୁଲିସ କର୍ମଚାରୀ ସଂଘ
27/01/2019 at 3:42 PM

କଟକ ୨୭|୧: ଛଅ ଦଫା ଦାବିରେ ଆନ୍ଦୋଳନକୁ ଓହ୍ଲାଇବ ଓଡିଶା ପୁଲିସ କର୍ମଚାରୀ ସଂଘ । ଆସନ୍ତା ୩୦ ତାରିଖ ଭିତରେ ଯଦି ସଂଘର ଦାବି ପୂରଣ ନହୁଏ ତେବେ ୩୧ ତାରିଖରୁ କଳାବ୍ୟାଚ୍ ପିନ୍ଧି ପୁଲିସ କର୍ମଚାରୀମାନେ ଡ୍ୟୁଟି କରିବେ ବୋଲି ସଂଘ ଚେତାବନୀ ଦେଇଛି । ଏହାସହ ଆସନ୍ତା ୪ରେ ହେବାକୁ ଥିବା ବିଧାନସଭା ଡ୍ୟୁଟିରେ ମଧ୍ୟ କଳା ବ୍ୟାଚ୍ ପିନ୍ଧିବେ ବୋଲି ଓଡିଶା ପୋଲିସ ଅଫିସର ସଂଘ କହିଛି । ସରକାରୀ ଚାକିରିଆଙ୍କୁ ବର୍ଷକୁ ୯୦ ଦିନ ଛୁଟି ମିଳୁଥିବା ବେଳେ ପୁଲିସ କର୍ମଚାରୀଙ୍କୁ ଅନ୍ୟୂନ ୩୦ ଦିନ ଛୁଟିର ଦରମା ଦେବାକୁ ଦାବି କରାଯାଇଛି । ଏଏସ୍ଆଇ, ଏସ୍ଆଇ ଓ ଇନିସ୍ପେକ୍ଟର ର୍ୟାଙ୍କରେ ରହିଥିବା କର୍ମଚାରୀଙ୍କ ଗ୍ରେଡ୍ ପରେ ଅସମାନତା ହଟେଇବା ପାଇଁ ମଧ୍ୟ ଦାବି ହୋଇଛି । ସ୍ବାସ୍ଥ୍ୟ ବୀମା, ଇନ୍ଭେଷ୍ଟିଗେସନ୍ ଖର୍ଚ୍ଚ ଦେବା ସହ କନେଷ୍ଟବଳମାନଙ୍କୁ ଚୁକ୍ତିଭିତ୍ତିକ ସେବା ବଦଳରେ ସ୍ଥାୟୀ ନିଯୁକ୍ତି ଦେବା ପାଇଁ ପୋଲିସ କର୍ମଚାରୀ ସଂଘ କହିଛି । ଏହାଛଡା ଡିଏସପି ପଦ ପାଇଁ ସିଧାସଳଖ ନିଯୁକ୍ତି ପ୍ରକ୍ରିୟାକୁ ବନ୍ଦ କରିବାକୁ ମଧ୍ୟ ଓଡିଶା ପୋଲିସ କର୍ମଚାରୀ ସଂଘ ଦାବି କରିଛି । ଗତବର୍ଷ ସେପ୍ଟେମ୍ବର ୨୮ ତାରିଖରେ ବସିଥିବା ଗଭର୍ଣ୍ଣି ବଡିଂ ମିଟିଂରେ ଏସବୁ ଦାବି ପୂରଣ ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା । ହେଲେ ଗୃହ ସଚିବ ଓ ଅର୍ଥ ସଚିବଙ୍କ ପାଖରୁ ଏଯାଏଁ ଏନେଇ କିଛି ଉତ୍ତର ମିଳିନଥିବାରୁ କଳାବ୍ୟାଚ୍ ପିନ୍ଧି ୩୧ ତାରିଖରୁ ଆନ୍ଦୋଳନ କରିବେ ବୋଲି ଓଡିଶା ପୋଲିସ କର୍ମଚାରୀ ସଂଘ କହିଛି ।