ପ୍ଲାଷ୍ଟିକ୍ ଏବଂ ପଲିଥିନ ବ୍ୟବହାର କଟକଣା: ଆରମ୍ଭ ହେଲା ଚଢଉ, ଏବେ ଦଣ୍ଡ ଆଉ ତଣ୍ଡ ଗଣିବାର ବେଳ

Published By : Prameya-News7 Bureau | November 01, 2018 IST

ଭୁବନେଶ୍ବର ୧|୧୧: ସରିଛି ଡେଡଲାଇନ୍ । ଆରମ୍ଭ ହୋଇଛି ଆକ୍ସନ୍ । ଏବେ ଦଣ୍ଡ ଆଉ ତଣ୍ଡ ଗଣିବାର ବେଳ । ପ୍ଲାଷ୍ଟିକ୍ ଏବଂ ପଲିଥିନ ବ୍ୟବହାର ରାଜ୍ୟରେ ବ୍ୟାନ୍ ହୋଇଥିବା ବେଳେ ଗତକାଲି ଶେଷ ହୋଇଛି କୋହଳ ସୀମା । ଆଉ ଏବେ ଆରମ୍ଭ ହୋଇଛି ଚଢ଼ାଉ । ପଲିଥିନ୍ ଷ୍ଟକିଷ୍ଟ, ଦୋକାନ, ବ୍ୟାବସାୟିକ ପ୍ରତିଷ୍ଠାନ, ବିଭିନ୍ନ ମା​‌ର୍କେଟ କମ୍ପ୍ଲେକ୍ସରେ ଚଢ଼ାଉ କରିଛି ବିଏମସି । ବିପୁଳ ପରିମାଣର ପଲିଥିନ ଜବତ ହୋଇଛି । ନିୟମ ଖିଲାପ କଲେ ରାସ୍ତାକଡ଼ ଦୋକାନୀ ୫ ଶହରୁ ୨ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବେ । ଛୋଟ ରେଷ୍ଟୁରାଣ୍ଟ ପାଇଁ ହଜାରରୁ ୫ ହଜାର ଟଙ୍କା ଯାଏଁ ଏବଂ ବଡ଼ ହୋଟେଲ୍ ପାଇଁ ୨ ହଜାରରୁ ୫୦ ହଜାର ଯାଏଁ ଜରିମାନା ଧାର୍ଯ୍ୟ ହୋଇଛି । ଦରକାର ପଡ଼ିଲେ, ଟ୍ରେଡ୍ ଲାଇସେନ୍ସ ମଧ୍ୟ ବାତିଲ ହୋଇପାରେ । ଲିଙ୍ଗରାଜ ମନ୍ଦିରରେ ପ୍ଲାଷ୍ଟିକ ବ୍ୟବହାରକୁ ସମ୍ପୂର୍ଣ୍ଣ ବ୍ୟାନ କରାଯାଇଛି। ପ୍ଲାଷ୍ଟିକ ଗ୍ଲାସରେ କ୍ଷୀର ହେଉ କି ପଲିଥିନ୍ ବ୍ୟାଗରେ ଫୁଲ, ଭୋଗ ମନ୍ଦିର ଭିତରକୁ କେହି ନେଇପାରିବେ ନାହିଁ । ସିଂହଦ୍ବାର ସମ୍ମୁଖରେ  ମନ୍ଦିର ପ୍ରଶାସନ ପକ୍ଷରୁ ଯାଞ୍ଚକୁ କଡାକଡି କରାଯାଇଛି । କଟକରେ ବି ସିଏମସିର ଆକ୍ସନ୍ ଦେଖିବାକୁ ମିଳିଛି । ୪ଟି ସ୍କ୍ବାଡରେ ୨୪ ଜଣ ସହରର ବିଭିନ୍ନ ସ୍ଥାନରେ ଚଢାଉ କରିଛନ୍ତି । ଗାନ୍ଧୀ ଜୟନ୍ତୀଠାରୁ ଆଜି ସୁଦ୍ଧା ସିଏମ୍‌ସି ସ୍କ୍ବାଡ୍‌ ପ୍ରାୟ ୨୫୦ କେଜି ପଲିଥିନ୍ ଜବତ କରିସାରିଲାଣି । ୩ ଥର ଧରାପଡ଼ି ଜରିମାନା ଦେବା ପରେ ସଂପୃକ୍ତ ବ୍ୟାବସାୟିକ ପ୍ରତିଷ୍ଠାନ ବିରୋଧରେ ହେବ ଫୌଜଦାରୀ ମାମଲା । ତେବେ ଏ କ୍ଷେତ୍ରରେ ଲୋକଙ୍କ ସଚେତନତା ନିହାତି ଜରୁରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.