ଲୋକ ବହୁତ ଡାକ୍ତର କମ୍, ରାଜ୍ୟରେ ପ୍ରତିବର୍ଷ ପାସ୍ କରୁଛନ୍ତି ୧୦୨୫ ଏମ୍‌ବିବିଏସ୍‌

Published By : Prameya-News7 Bureau | August 10, 2022 IST

ଭୁବନେଶ୍ୱର ୧୦/୦୮: ତାମିଲନାଡୁ ଦେଶରେ ସର୍ବାଧିକ ୧୦ ହଜାର ୭୨୫ ଜଣ ଡାକ୍ତର ପ୍ରତି ବର୍ଷ ତିଆରି କରୁଛି । ଏଠାରେ ରହିଛି ମୋଟ ୭୦ଟି ମେଡିକାଲ କଲେଜ । ୩୮ଟି ସରକାରୀ ଓ ୩୨ଟି ଘରୋଇ । ଏହା ପଛକୁ ରହିଛି କର୍ଣ୍ଣାଟକ । ଏଠାରେ ମୋଟ ୬୩ଟି ମେଡିକାଲ କଲେଜରୁ ପ୍ରତି ବର୍ଷ ୧୦ ହଜାର ୧୪୫ ଜଣ ଏମ୍‌ବିବିଏସ୍‌ ପାସ୍‌ କରୁଛନ୍ତି ।

ମହାରାଷ୍ଟ୍ର ୯୮୯୫, ଉତ୍ତରପ୍ରଦେଶ ୯୦୫୩, ଗୁଜରାଟ ୫୭୦୦, କେରଳ ୪୨୫୫, ମଧ୍ୟପ୍ରଦେଶ ୪୦୮୦, ରାଜସ୍ଥାନ ୪୦୦୫ ଡାକ୍ତର ପ୍ରତି ବର୍ଷ ତିଆରି କରୁଛି । ଆମ ପଡ଼ୋଶୀ ଆନ୍ଧ୍ରପ୍ରଦେଶରେ ୩୧ଟି ମେଡିକାଲ କଲେଜରୁ ବର୍ଷକୁ ୫୩୩୫ ଏମବିବିଏସ୍‌ ଡାକ୍ତର ପାସ୍‌ କରୁଛନ୍ତି । ପଶ୍ଚିମବଙ୍ଗରେ ୨୭ଟି କଲେଜରୁ ୪୨୨୫ ଜଣ, ତେଲେଙ୍ଗାନାରେ ୩୪ଟି କଲେଜରୁ ୫୦୫୦ ଜଣ ଡାକ୍ତର ପ୍ରତି ବର୍ଷ ବାହାରୁଛନ୍ତି ।

ଏବେ ଆସିବା ଆମ ରାଜ୍ୟ ଓଡ଼ିଶାକୁ । ଚଳିତ ୨୦୨୨ ଶିକ୍ଷା ବର୍ଷରେ ଆମ ରାଜ୍ୟରୁ ୧୦୨୫ ଜଣ ଛାତ୍ରଛାତ୍ରୀ ଏମ୍‌ବିବିଏସ୍‌ ପାସ୍‌ କରିଛନ୍ତି । ପ୍ରଥମ ଥର ପାଇଁ ଓଡ଼ିଶାରୁ ଚଳିତ ବର୍ଷ ହଜାରେରୁ ଅଧିକ ଡାକ୍ତର ବାହାରିଛନ୍ତି । ପୂର୍ବ ବର୍ଷଗୁଡିକରେ ଏହି ସଂଖ୍ୟା ବହୁତ କମ୍‌ ଥିଲା । ଗତ ଜୁଲାଇ ୧୮ ତାରିଖରେ ବିଧାନସଭାରେ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଦେଇଥିବା ସୂଚନା ମୁତାବକ ୨୦୧୮ରେ ରାଜ୍ୟରେ ଉଭୟ ସରକାରୀ ଓ ଘରୋଇ ମେଡିକାଲ କଲେଜରୁ ୬୬୨ ଜଣ ଏମବିବିଏସ୍‌ ପାସ୍‌ କରିଥିଲେ ।

୨୦୧୯ରେ ଏହା ୭୩୭, ୨୦୨୦ରେ ୭୫୮, ୨୦୨୧ରେ ୬୪୦ରେ ସୀମିତ ଥିଲା । କୋରାପୁଟ ଓ ବାରିପଦା ମେଡିକାଲ କଲେଜରୁ ପ୍ରଥମ ବ୍ୟାଚ୍‌ ବାହାରିବା ପରେ ୨୦୨୨ରେ ଏହା ୧୦୨୫ରେ ପହଞ୍ଚିଛି । ନୂଆପଡାରୁ ନବରଙ୍ଗପୁର । ଗଜପତିରୁ ମୟୂରଭଂଜ । ରାଜ୍ୟର ୩୦ଟି ଜିଲ୍ଲାରେ ସବୁବେଳେ ଲାଗି ରହିଛି ଡାକ୍ତର ସଙ୍କଟ । ଦୁର୍ଗମ ଓ ଉପାନ୍ତ ଅଞ୍ଚଳରେ ଏହି ସମସ୍ୟା ବେଶି ଉତ୍କଟ ।

ଦେଶରେ ପ୍ରତି ୧୦୮୦ ଲୋକରେ ଜଣେ ଡାକ୍ତର ଅଛନ୍ତି । ଆମ ରାଜ୍ୟରେ ପ୍ରତି ଦୁଇ ହଜାର ଜନସଂଖ୍ୟାରେ ଜଣେ ଡାକ୍ତର କାର୍ଯ୍ୟ କରୁଛନ୍ତି । ୨୦୨୧ର ଆକଳନ ଅନୁଯାୟୀ ଓଡ଼ିଶାର ଜନସଂଖ୍ୟା ୪ କୋଟି ୬୩ ଲକ୍ଷରୁ ଅଧିକ । ପ୍ରତି ହଜାରେ ଲୋକଙ୍କ ପାଇଁ ଜଣେ ଡାକ୍ତର ହିସାବରେ ଆମକୁ ଆବଶ୍ୟକ ୪୬ ହଜାରରୁ ଅଧିକ ଡାକ୍ତର ।

ଏବେ କିନ୍ତୁ ରାଜ୍ୟରେ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ପାଖାପାଖି ୨୭ ହଜାର ଡାକ୍ତର ସେବାରେ ନିୟୋଜିତ ଅଛନ୍ତି । ଜାତୀୟ ହାର ସହ ସମାନ ହେବାକୁ ହେଲେ ଆମକୁ ଆହୁରି ୧୯ ହଜାର ଡାକ୍ତର ଆବଶ୍ୟକ । ଗତ ସଂସଦ ଅଧିବେଶନରୁ ମିଳିଥିବା ତଥ୍ୟ ଅନୁଯାୟୀ ଦେଶରେ ମୋଟ ୩୨୨ଟି ସରକାରୀ ମେଡିକାଲ କଲେଜରେ ୪୮ ହଜାର ୧୨ଟି ଏମ୍‌ବିବିଏସ୍‌ ସିଟ୍‌ ରହିଛି ।

ସେହିପରି ୨୯୦ ଘରୋଇ ମେଡିକାଲ କଲେଜରେ ୪୩ ହଜାର ୯୧୫ ଏମ୍‌ବିବିଏସ୍‌ ସିଟ୍‌ ଅଛି । ଓଡ଼ିଶାରେ ୯ଟି ସରକାରୀ ମେଡିକାଲ କଲେଜରେ ୧୩୭୫ ସିଟ୍‌ ଓ ୪ଟି ଘରୋଇ କଲେଜରେ ୭୫୦ ସିଟ୍‌ ରହିଛି । ଗତ ଦୁଇ ଦଶନ୍ଧିରେ ଦେଶର ଅଧିକାଂଶ ରାଜ୍ୟ ଡାକ୍ତରୀ ଶିକ୍ଷାରେ ଆଗେଇ ଚାଲିଥିବା ବେଳେ ଓଡ଼ିଶା ସ୍ଥାଣୁ ହୋଇ ବସିଥିଲା ।

କଟକ, ବୁର୍ଲା ଓ ବ୍ରହ୍ମପୁର ସରକାରୀ ମେଡିକାଲ କଲେଜରୁ ଯେତିକି ଡାକ୍ତର ବାହାରୁଥିଲେ ସେଥିରେ କାମ ଚଳୁଥିଲା । ପରେ କିଛି ଘରୋଇ ମେଡିକାଲ କଲେଜ ଖୋଲିବାରୁ ସ୍ଥିତିରେ ସାମାନ୍ୟ ଉନ୍ନତି ହୋଇଥିଲା । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ୨୦୧୭-୧୮ ମସିହାରୁ ରାଜ୍ୟରେ ପର୍ଯ୍ୟାୟ କ୍ରମେ ନୂଆ ମେଡିକାଲ କଲେଜ ପ୍ରତିଷ୍ଠା ଆରମ୍ଭ ହୋଇଛି ।

୨୦୧୭ରେ କୋରାପୁଟ ଓ ବଲାଙ୍ଗିର ମେଡିକାଲ କଲେଜ ପ୍ରତିଷ୍ଠା ହୋଇଥିଲା । ୨୦୧୮-୧୯ରେ ବାରିପଦା ଓ ବାଲେଶ୍ୱରରେ ଏବଂ ୨୦୨୦-୨୧ରେ ପୁରୀରେ ମେଡିକାଲ କଲେଜ ପ୍ରତିଷ୍ଠା କରାଯାଇଛି । ୨୦୨୨-୨୩ ମସିହାରେ ସୁନ୍ଦରଗଡ଼ ଓ କେନ୍ଦୁଝରରେ ଗୋଟିଏ ଲେଖାଏଁ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ବ୍ୟବସ୍ଥା ହୋଇଛି ।

ସେଥିପାଇଁ ନ୍ୟାସନାଲ ମେଡିକାଲ କମିଶନ (ଏନ୍‌ଏମ୍‌ସି)ର ମାନଦଣ୍ଡ ଅନୁଯାୟୀ ଆବଶ୍ୟକ ଭିତ୍ତିଭୂମି ସହିତ ନିର୍ଦ୍ଧାରିତ ସଂଖ୍ୟକ ପ୍ରାଧ୍ୟାପକ, ସହଯୋଗୀ ପ୍ରାଧ୍ୟାପକ ଓ କର୍ମଚାରୀ ନିଯୁକ୍ତି କରାଯାଇଛି । ଆସନ୍ତା ବର୍ଷ ତାଳଚେର ମେଡିକାଲ କଲେଜରେ ନାମ ଲେଖା ଆରମ୍ଭ ହେବାର ସମ୍ଭାବନା ରହିଛି । ୨୦୨୩-୨୪ ମସିହାରେ ଭବାନୀପାଟଣା, ୨୦୨୪-୨୫ରେ ଯାଜପୁର ଓ ଫୁଲବାଣୀରେ ଗୋଟିଏ ଲେଖାଏଁ ସରକାରୀ ମେଡିକାଲ ପ୍ରତିଷ୍ଠା ଲାଗି ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ଚାଲିଛି ।

ଆମ ରାଜ୍ୟରେ ଡାକ୍ତରୀ ପାଠ ପଢ଼ିବା ନିମନ୍ତେ ଅଧିକ ମେଡିକାଲ କଲେଜ ନ ଥିଲା । ଡାକ୍ତର ସଙ୍କଟ ସମସ୍ୟା ସମାଧାନର ବାଟ ପାଉନଥିଲେ ରାଜ୍ୟ ସରକାର । ଗତ ୫ ବର୍ଷ ଭିତରେ ରାଜ୍ୟରେ ନୂଆ ନୂଆ ମେଡିକାଲ କଲେଜ ଖୋଲିବାରେ ଲାଗିଛି । ଏ ସମସ୍ତ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେଲେ ରାଜ୍ୟରେ ସରକାରୀ କଲେଜ ସଂଖ୍ୟା ୧୪ରେ ପହଞ୍ଚିବ ।

୨୦୩୦ ମସିହା ବେଳକୁ ରାଜ୍ୟରେ ବର୍ଷକୁ ଅଢ଼େଇ ହଜାର ଡାକ୍ତର ବାହାରିବେ । ବିଳମ୍ବରେ ହେଲେ ମଧ୍ୟ ଡାକ୍ତରୀ ଶିକ୍ଷାରେ ଅଣ୍ଟା ସଳଖୁଛି ଓଡ଼ିଶା । ଏସବୁ କଲେଜରୁ ପାଠ୍ୟକ୍ରମ ଶେଷ କରି ଡାକ୍ତର ବାହାରିଲେ ସ୍ୱାସ୍ଥ୍ୟସେବାରେ ଏହି ସଙ୍କଟ ଦୂର ହେବ ବୋଲି ଆଶା ବାନ୍ଧିଛନ୍ତି ସରକାର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.